ଗୁଆହାଟୀ: କୋର୍ଟରେ ବିଚାରାଧୀନ ମାମଲା ସଂଖ୍ୟା ବୃଦ୍ଧି ପାଇବା ନେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି । କହିଛନ୍ତି ୨୫ ବର୍ଷ ହେଲା ବିଭିନ୍ନ କୋର୍ଟରେ ପ୍ରାୟ ୨ଲକ୍ଷରୁ ଅଧିକ ମାମଲା ପଡିରହିଛି । ଏପରିକି ୫୦ ବର୍ଷରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ପ୍ରାୟ ୧ ହଜାରରୁ ଅଧିକ ମାମଲାର ଫଇସଲା ହୋଇପାରି ନାହିଁ ।
ଆସାମର ଗୁଆହାଟୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଜଷ୍ଟିସ ଗୋଗୋଇ କହିଲେ ଯେ ମାମଲାର ଲମ୍ବା ତାଲିକାକୁ ନେଇ ଅନେକ ସମୟରେ କୋର୍ଟକୁ ସମାଲୋଚନା କରାଯାଉଛି । କିନ୍ତୁ ଦୀର୍ଘ ସମୟ ଧରି ମାମଲା ବିଚାରାଧୀନ ଭାବେ ପଡିରହିବା ପାଇଁ କେବଳ କୋର୍ଟ ଦାୟୀ ନୁହନ୍ତି । କାର୍ଯ୍ୟପାଳିକା ମଧ୍ୟ କିଛି ମାତ୍ରାରେ ଦାୟୀ । ବିଶେଷକରି ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ କ୍ରିୟାନ୍ୱୟନ କରିବା କ୍ଷେତ୍ରରେ ସରକାରଙ୍କର କିଛିଟା ଦାୟିତ୍ୱ ରହିଛି । ଭାରତରେ ଗତ ୨୫ ବର୍ଷରୁ ଊଦ୍ଧ୍ୱର୍ ହେଲା ୨ଲକ୍ଷରୁ ଅଧିକ ମାମଲା ବିଭିନ୍ନ କୋର୍ଟରେ ବିଚାରାଧୀନ ରହିଛି । ସେଥିରେ ୧ ହଜାରରୁ ଅଧିକ ମାମଲା ୫ ଦଶନ୍ଧୀରୁ ଅଧିକ ସମୟର । ବିଭିନ୍ନ କୋର୍ଟରେ ପଡିରହିଥିବା ୯୦ଲକ୍ଷ ସିଭିଲ କେସ୍ (ଦେୱାନି ମାମଲା) ମଧ୍ୟରୁ ୨୦ଲକ୍ଷ ମାମଲାରେ ଏପର୍ଯ୍ୟନ୍ତ ପକ୍ଷମାନଙ୍କୁ ସମନ୍ ଜାରି କରାଯାଇନାହିଁ । ସିଭିଲ ମାମଲା ମଧ୍ୟରୁ ଏହା ହେଉଛି ୨୩ ପ୍ରତିଶତ । ସେହିଭଳି ଫୌଜଦାରୀ ମାମଲାର ସ୍ଥିତି ଆହୁରି ଖରାପ । ଦେଶର ବିଭିନ୍ନ କୋର୍ଟରେ ପ୍ରାୟ ୨ କୋଟି ୧୦ ଲକ୍ଷରୁ ଅଧିକ ଫୌଜଦାରୀ ମାମଲା ରହିଛି । ସେଥିରେ ୪୫ ଲକ୍ଷ ଛୋଟମୋଟ ଅପରାଧ ମାମଲା ।
ସେହିଭଳି ୧ କୋଟିରୁ ଅଧିକ ଫୌଜଦାରୀ ମାମଲା କେବଳ ସମନ୍ ଜାରି ଷ୍ଟେଜରେ ସୀମିତ ରହିଛି । ଯଦି ସମନ ଜାରି କରା ନଯିବ ତେବେ ବିଚାରପତିମାନେ କିଭଳି ମାମଲାର ବିଚାର କରିବେ ବୋଲି କାର୍ଯ୍ୟପାଳିକାକୁ ଜଷ୍ଟିସ୍ ଗୋଗୋଇ ପ୍ରଶ୍ନ କରିଛନ୍ତି । ଜଷ୍ଟିସ୍ ଗୋଗୋଇ ଗତ ଜୁଲାଇ ୧୦ ତାରିଖରେ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଏକ ସମ୍ମିଳନୀରେ ଯୋଗଦେଇଥିଲା ବେଳେ ୫୦ ବର୍ଷ ଓ ୨୫ ବର୍ଷ ହେଲା ପଡିରହିଥିବା ମାମଲାର ଶୀଘ୍ର ଫଇସଲା କରିବା ଉପରେ ଜୋର୍ ଦେଇଥିଲେ । ଆସାମରେ ବିଭିନ୍ନ କୋର୍ଟରେ ପଡିରହିଥିବା ଏହି ମାମଲାର ତ୍ୱରିତ ଫଇସଲା କରିବାକୁ ସେ ଗୁଆହାଟୀ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଅରୁପ କୁମାର ଗୋସ୍ୱାମୀଙ୍କୁ ପରାମର୍ଶ ଦେଇଥିଲେ । ଜଷ୍ଟିସ ଗୋଗୋଇ କହିଥିଲେ ହାଇକୋର୍ଟ ବିଚାରପତିମାନଙ୍କ ଅବସର ବୟସ ସୀମା ବର୍ତ୍ତମାନ ୬୨ ବର୍ଷ ରହିଥିଲା ବେଳେ ତାକୁ ୬୫କୁ ବୃଦ୍ଧି କରିବା ଲାଗି ସେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ସରକାର ତାଙ୍କ ପ୍ରସ୍ତାବ ଗ୍ରହଣ କରିବେ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ଥିବା କହିଛନ୍ତି । ବିଚାରପତିଙ୍କ ଅବସର ବୟସ ସୀମା ଶୀଘ୍ର ୩ ବର୍ଷ ବୃଦ୍ଧି ହେବା ଦରକାର । ଯାହାଫଳରେ ଖାଲିପଡିଥିବା ୪୦୩ ବିଚାରପତିଙ୍କ ପଦବୀ ପୂରଣ ଦିଗରେ ସହାୟକ ହୋଇପାରିବ ।
ତଳ କୋର୍ଟ ସମ୍ପର୍କରେ ସୂଚନା ଦେଇ ଜଷ୍ଟିସ ଗୋଗୋଇ କହିଲେ ଯେ ନିମ୍ନ ଅଦାଲତ ଗୁଡିକରେ ୬ ହଜାର ପଦବୀ ଖାଲି ପଡିଥିଲା । ସେଥିରୁ ୪ ହଜାର ପଦବୀ ପୂରଣ କରାଯାଇଛି । ଚଳିତବର୍ଷ ଶେଷ ସୁଦ୍ଧା ଆହୁରି ୧୫୦୦ ପଦବୀ ପୂରଣ କରାଯିବ । ସେହିଭଳି ହାଇକୋର୍ଟ ସମ୍ପର୍କରେ ସେ କହିଲେ ଯେ ସମଗ୍ର ଦେଶରେ ଥିବା ବିଭିନ୍ନ ହାଇକୋର୍ଟରେ ୧,୦୭୯ ପଦବୀ ରହିଥିଲା ବେଳେ ସେଥିରୁ ବର୍ତ୍ତମାନ ୪୦୩ ଖାଲି ରହିଛି । ଏହି ପଦବୀରେ ନୂଆ ବିଚାରପତିଙ୍କୁ ନିଯୁକ୍ତି ଦେବା ଲାଗି ସେ ବିଚାରପତିଙ୍କ ନାମ ପଠାଇବାକୁ ହାଇକୋର୍ଟର ମୁଖ୍ୟ ବିଚାରପତିମାନଙ୍କୁ ପତ୍ର ଲେଖିଛନ୍ତି । ଆସାମ ସମେତ ଅନ୍ୟ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ୫୦ ବର୍ଷ ତଳର କୌଣସି ମାମଲା ବିଚାରାଧୀନ ନାହିଁ । କିନ୍ତୁ ୨୫ ବର୍ଷ ତଳର ୧୦୬ଟି ମାମଲା ବିଚାରାଧୀନ ରହିଥିବା ଜଷ୍ଟିସ ଗୋଗୋଇ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.