ଜୟପୁର,(ବି.ବି.ନୁ୍ୟଜ): ଲମତାପୁଟ ବ୍ଲକର ଜଲାପୁଟ ଅଞ୍ଚଳରୁ ଅନୁଗୁଳ ଚାଲାଣ ବେଳେ ସଦର ପୁଲିସ ହାତରେ ପୁଣି ଧରାପଡିଛି ୨୫୭ କେଜି ଗଞ୍ଜେଇ । ଏହି କାରବାରରେ ୪ ମାଫିଆଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ବୌଦ୍ଧ କୁସୁମଝୁଲିର ସ୍ୱାଧୀନ ନାୟକ(୩୭), ମନମୁଣ୍ଡା ଭାଲିଆପଦରର ଅନନ୍ତ ଭୋଇ(୨୭), ଦେବଗଡ଼ ଗୁଣ୍ଢେଇଗୋଲା ପାରାଗାଁର ସୁବ୍ରତ କୁମାର ପ୍ରଧାନ(୩୨) ଏବଂ ଅନୁଗୁଳ ନୂଆଗାଁର ବଳିଆରଭୁଜ ସାହୁ(୩୨) । ସେମାନଙ୍କ ପାଖରୁ ଗୋଟିଏ ୪୦୭ ଭ୍ୟାନ୍, ୫ଟି ମୋବାଇଲ ଏବଂ ନଗଦ ୩୮ ହଜାର ଟଙ୍କା ଜବତ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ଆକଳନ କରିଛି । ଗତ ୧୯ ତାରିଖ ସନ୍ଧ୍ୟା ୬ଟାରେ ଲମତାପୁଟ ଅଞ୍ଚଳରୁ ଏକ ଭ୍ୟାନ୍ରେ ଗଞ୍ଜେଇ ଚାଲାଣ ହେଉଥିବା ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା । ଏନଏଚ୍-୩୨୬ରେ ଧଳା ରଙ୍ଗର ୪୦୭ ଭ୍ୟାନ୍ଟି ଦ୍ରୁତ ଗତିରେ ଆସୁଥିବା ବେଳେ ଅଟକା ଯାଇଥିଲା । ଗାଡ଼ି ଭିତରେ ଡ୍ରାଇଭର ସ୍ୱାଧୀନଙ୍କ ସହ ଅନନ୍ତ, ବଳିଆରଭୂଜ ଏବଂ ସୁବ୍ରତ ବସିଥିଲେ । ଯାଞ୍ଚ ବେଳେ ଗାଡ଼ି ଡାଲାରେ କରାଯାଇଥିବା ସ୍ୱତନ୍ତ୍ର ଚାମ୍ବରରେ ରହିଥିଲା ୪୬ ପ୍ୟାକେଟ୍ ଗଞ୍ଜେଇ । ପଚରାଉଚରା ବେଳେ ଆନ୍ଧ୍ର ସୀମାନ୍ତରୁ ଗଞ୍ଜେଇ ସଂଗ୍ରହ କରି ଅନୁଗୁଳ ନେଉଥିବା ସମ୍ପର୍କରେ ମାନିଥିଲେ ଅଭିଯୁକ୍ତ ।
Comments are closed, but trackbacks and pingbacks are open.