ଭୁବନେଶ୍ୱର,(ବି.ବି.ବ୍ୟୁରୋ): ‘କାଳିଆ’ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ଓ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବାକୁ ସରକାର କସରତ ଆରମ୍ଭ କରିଛନ୍ତି । ମାତ୍ର ଏହା କୃଷି ବିଭାଗ ପାଇଁ ବେଶ କଷ୍ଟକର ହେଉଛି । ‘କାଳିଆ’ ତାଲିକା ଯାଞ୍ଚ ପ୍ରକ୍ରିୟା ସମୟସାପେକ୍ଷ ହେଉଥିବାରୁ ୧୪ ଯାଏ (ବୁଧବାର) ଥିବା ସମୟ ସୀମାକୁ ଆସନ୍ତା ୨୭ ଯାଏ ବଢ଼ାଯାଇଛି । ୨୭ରେ ପଞ୍ଚାୟତସ୍ତରରେ ଯାଞ୍ଚ ସରିବା ପରେ ୨୯ରେ ବ୍ଲକସ୍ତରରେ ଏବଂ ୩୧ରେ ଜିଲ୍ଲାସ୍ତରରେ ଏହାକୁ ଚୂଡ଼ାନ୍ତ କରାଯାଇ କୃଷି ବିଭାଗକୁ ଜିଲ୍ଲାରୁ ତାଲିକା ପଠାଯିବ । ଆଜି ଏକ ସମୀକ୍ଷା ବୈଠକ ପରେ ଏ ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ଡ.ଅରୁଣ କୁମାର ସାହୁ । ଏପରିକି ଅଯୋଗ୍ୟ ହିତାଧିକାରୀମାନେ ପରବର୍ତ୍ତୀ ସମୟରେ ଆଉ କାଳିଆ କିସ୍ତି ପାଇବେନି ବୋଲି ଡ. ସାହୁ ସ୍ପଷ୍ଟ କରିଛନ୍ତି ।
ଚାଷୀ ପରିବାରଗୁଡ଼ିକୁ ସହଯୋଗ କରିବାକୁ ରାଜ୍ୟ ସରକାର ଆରମ୍ଭ କରିଥିବା କାଳିଆ ଯୋଜନାରେ ବହୁ ସଂଖ୍ୟାରେ ଅଯୋଗ୍ୟ ହିତାଧିକାରୀ ସାମିଲ ହୋଇଥିବା ବେଳେ ଯୋଗ୍ୟ ହିତାଧିକାରୀମାନେ ତାଲିକାଭୁକ୍ତ ହୋଇପାରିନାହାନ୍ତି । ଏହାକୁ ଆଖିରେ ରଖି ଅଯୋଗ୍ୟଙ୍କୁ ବାଦ୍ ଦେବା ସହ ଯୋଗ୍ୟଙ୍କୁ ସାମିଲ କରିବାକୁ ଗତ ୫ରୁ ସରକାର ପଞ୍ଚାୟତସ୍ତରରେ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଅଗଷ୍ଟ ୧୪ ସୁଦ୍ଧା ପ୍ର୍ରକ୍ରିୟା ସାରିବାକୁ କୃଷି ବିଭାଗ ନିଷ୍ପତ୍ତି ନେଇଥିଲା ବେଳେ ଏ ଯାଏ ୫୧ ଲକ୍ଷରୁ ମାତ୍ର ୧୩ ଲକ୍ଷ ହିତାଧିକାରୀଙ୍କର ଯାଞ୍ଚ କାର୍ଯ୍ୟ ଶେଷ ହୋଇଛି । ତେଣୁ ଯାଞ୍ଚ ଅବଧିକୁ ଆସନ୍ତା ୨୭ ଯାଏ ବୃଦ୍ଧି କରାଯାଇଛି । କୃଷି ବିଭାଗ ସୂତ୍ରରୁ ମିଳିଥବା ସୂଚନା ଅନୁସାରେ ଏଯାଏ ପ୍ରାୟ ୭୦ ହଜାର ହିତାଧିକାରୀ ଅଯୋଗ୍ୟ ବୋଲି ଯାଞ୍ଚ ବେଳେ ଜଣାପଡ଼ିଛି । ସେମାନେ ୫ ହଜାର ଲେଖାଏଁ ୩୫ କୋଟିର ସରକାରୀ ସହାୟତା ପାଇଛନ୍ତି । ଏ ଅର୍ଥ ସେମାନେ ସ୍ୱେଛାକୃତ ଭାବେ ଫେରସ୍ତ କରିବେ ନା ନାହିଁ ତାହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ତେବେ ବହୁ ପରିବାର ଟଙ୍କା ଫେରସ୍ତ କରିବାକୁ ଆଗ୍ରହୀ ଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଏ ସଂପର୍କରେ ଆଜି ସମୀକ୍ଷା ବେଳେ ଜଣାପଡ଼ିଛି ଯେ, ୧୯ ପଞ୍ଚାୟତରେ ବହୁ କମ୍ ସଂଖ୍ୟାରେ ଚାଷୀ କାଳିଆ ସହାୟତା ପାଇଁ ଆବେଦନ କରିଛନ୍ତି । ଏଠାରେ ଆବେଦନକାରୀ ଚାଷୀ ପରିବାର ସଂଖ୍ୟା ବହୁ କମ୍ ଥିବାରୁ କୃଷି ଅଧିକାରୀମାନେ ଗସ୍ତ କରି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କୁ ସଚେତନ କରିବାକୁ କୃଷି ନିର୍ଦ୍ଦେଶକ ଜିଲ୍ଲା କୃଷି ଅଧିକାରୀମାନଙ୍କୁ ଚିଠି ଲେଖିଛନ୍ତି । ଆଜିର ସମୀକ୍ଷା ବୈଠକରେ ‘ଫୋନି’ରେ ପ୍ରଭାବିତ ଚାଷୀଙ୍କୁ ପ୍ୟାକେଜ୍ ବଣ୍ଟନ ସହ କୃଷି ନୀତି-୨୦୧୯ ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ବୈଠକରେ କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗଙ୍କ ସହ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ଉଲ୍ଲେଖଯୋଗ୍ୟ, ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେବାକୁ କୃଷି ବିଭାଗ କାଳିଆ ସହାୟତା ପାଇଥିବା ୫୧ ଲକ୍ଷ ଚାଷୀ ପରିବାରର ତାଲିକା ୱେବସାଇଟରେ ଅପଲୋଡ କରିଛି । ପଞ୍ଚାୟତୱାରୀ ଏ ସଂପର୍କିତ ତାଲିକା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସହ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟରେ ଅଗଷ୍ଟ ୬ ରୁ ୧୪ ଯାଏ ସର୍ବସାଧାରଣଙ୍କ ଅବଗତି ପାଇଁ ପ୍ରଦର୍ଶନ କରାଯାଉଛି । ଏହା ୨୭ ଯାଏ ପ୍ରଦର୍ଶିତ ହେବ । ଯଦି ଏ ତାଲିକାରେ ଥିବା କୌଣସି ହିତାଧିକାରୀ ଅଯୋଗ୍ୟ ବୋଲି କେହି ଅନୁଭବ କରନ୍ତି ତେବେ ସେ ସଂପର୍କରେ ପଞ୍ଚାୟତସ୍ତରୀୟ ନୋଡାଲ ଅଫିସରଙ୍କୁ ଦରଖସ୍ତ ଆକାରରେ ଜଣାଇପାରିବେ । ସୂଚନାଦାତାଙ୍କ ସମସ୍ତ ତଥ୍ୟ ଗୋପନ ରଖାଯିବ । ଏପରିକି କୌଣସି ହିତାଧିକାରୀ ନିଜକୁ ଏ ଯୋଜନାରେ ଅଯୋଗ୍ୟ ଅନୁଭବ କରୁଥିଲେ ତାଲିକାରୁ ନିଜ ନାମ ବାଦ ଦେବାକୁ ଦରଖାସ୍ତ ଦେଇପାରିବେ । ଏପରିକି ସହାୟତା ରାଶି ଫେରାଇବାକୁ ଚାହିଁଲେ ସଂପୃକ୍ତ ବ୍ୟାଙ୍କ ମ୍ୟାନେଜରଙ୍କୁ ସହାୟତା ରାଶି ଫେରସ୍ତ ପାଇଁ ଆବେଦନ କରିପାରିବେ । ଯେଉଁ ଯୋଗ୍ୟ ଚାଷୀ ପରିବାରର କୌଣସି ସଦସ୍ୟ ଏଯାଏ ଚୟନ ହୋଇନାହାନ୍ତି କିମ୍ବା ଦରଖାସ୍ତ କରି ନାହାନ୍ତି ସେମାନେ ସାଧାରଣ ସେବା କେନ୍ଦ୍ରକୁ ଯାଇ ଅନଲାଇନରେ ଆସନ୍ତା ୨୭ ମଧ୍ୟରେ ଆବେଦନ କରିପାରିବେ । ଯୋଗ୍ୟ ଚାଷୀମାନେ କିଭଳି ଏ ତାଲିକାରେ ସାମିଲ ହେବେ ସେଥିପାଇଁ ପଞ୍ଚାୟତ, ବ୍ଳକ ଓ ଜିଲ୍ଲାସ୍ତରରେ କମିଟି ଗଠନ ହୋଇଛି ।
Comments are closed, but trackbacks and pingbacks are open.