୨୮ରେ ଶାହଙ୍କ ଓଡ଼ିଶା ଗସ୍ତ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପ୍ରସ୍ତୁତି ତେଜିଛି । ବିଜେପି ଶିବିରରେ ଏବେ ଉତ୍ସାହ ଆଉ ଉତ୍ସାହ । ଆସନ୍ତା ୨୮ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ । ସରକାରୀ ଗସ୍ତ ସହ ସେ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବେ । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗଦେବା ପରେ ଶାହ ଜନତା ମଇଦାନରେ ବିଜେପି ପକ୍ଷରୁ ଆୟୋଜିତ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିବେ । ନାଗରିକତା ସଂଶୋଧନ ଆଇନ (ସିଏଏ) ନେଇ ସେ ଲୋକଙ୍କୁ ସଚେତନ କରାଇବା ସହ କେନ୍ଦ୍ର ସରକାର ଓ ବିଜେପିର ଆଭିମୁଖ୍ୟକୁ ସ୍ପଷ୍ଟ କରିବେ । ଏ ସମାବେଶରେ ପ୍ରାୟ ୧ ଲକ୍ଷ ଲୋକଙ୍କୁ ଦଳ ଏକଜୁଟ କରିବାକୁ ଲକ୍ଷ୍ୟ ରଖିଛି ।
ଶାହଙ୍କ ଗସ୍ତ ନେଇ ବିଜେପି ପକ୍ଷରୁ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇ କହିଛନ୍ତି, ଶାହ ୨୮ ତାରିଖ ସକାଳ ୯ଟାରେ ଭୁବନେଶ୍ୱରରେ ପହଞ୍ଚିବେ । ସେ ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗଦେବା ପରେ ବିଜେପି ପକ୍ଷରୁ ସିଏଏ ନେଇ ଅନୁÂିତ ହେବାକୁ ଥିବା ବିଶାଳ ସମାବେଶରେ ଜନସଭାକୁ ସମ୍ବୋଧିତ କରିବେ । ଏ ସମାବେଶରେ ବୁଥ୍ କର୍ମକର୍ତ୍ତାଙ୍କ ସହ ସାଧାରଣ ଲୋକ ମଧ୍ୟ ସାମିଲ ହେବେ । ଏଥିପାଇଁ ଦଳ ପକ୍ଷରୁ ପ୍ରସ୍ତୁତି ଜୋର ହୋଇଛି । ୨୯ରେ ଶାହ ମହାପଭୁ ଶ୍ରୀଲିଙ୍ଗରାଜ ଓ ଜଗନ୍ନାଥଙ୍କ ଦର୍ଶନ ସାରି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ । ଶାହଙ୍କ ଗସ୍ତକୁ ସଫଳ କରିବାକୁ ବିଜେପି କ୍ୟାମ୍ପ ଏବେ ରାତିଦିନ ଏକ କରିଛି । ଦଳୀୟ କାର୍ଯ୍ୟାଳୟରେ ଘନ ଘନ ବୈଠକ ବସି ଦଳ ପକ୍ଷରୁ ସମୀକ୍ଷା କରାଯାଉଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ପ୍ରସ୍ତୁତିର ତଦାରଖ କରୁଛନ୍ତି ।
ସାଧାରଣ ନିର୍ବାଚନ ପରେ ଶାହ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଭୋଟ ପୂର୍ବରୁ ବିଜେଡି-ବିଜେପି କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଥିଲା ବେଳେ ଭୋଟ ପରେ ଚିତ୍ର ବଦଳିଛି । ଦୁଇ ଦଳ ଏବେ ପରସ୍ପର ପ୍ରତି ବେଶ ନରମ ମନୋଭାବ ପୋଷଣ କରୁଛନ୍ତି । ମାତ୍ର ଦୁଇ ଦଳ ନିଜ ସଂଗଠନକୁ ସଜାଡ଼ିବାକୁ ବେଶ ପରିଶ୍ରମ କରୁଛନ୍ତି । ସଭ୍ୟ ସଂଗ୍ରହରୁ ଆରମ୍ଭ କରି ନୂଆ ଟିମ୍ ଗଠନ କରିବାକୁ ଅଣ୍ଟା ମଧ୍ୟ ଭିଡ଼ିଛନ୍ତି । ବିଜେପି ଇତିମଧ୍ୟରେ ନୂଆ ମଙ୍ଗୁଆଳ ପାଇଥିଲା ବେଳେ ଶାସକ ବିଜେଡିର ସୁପ୍ରିମୋ ପଗଡ଼ି ପୁଣି ପିନ୍ଧିବେ ନବୀନ । ଆଗକୁ ପୌର ନିର୍ବାଚନ ଥିବାରୁ କେହି କାହାକୁ ବାଟ ଛାଡ଼ିବାକୁ ନାରାଜ । ଏଭଳି ସମୟରେ ଶାହଙ୍କ ଗସ୍ତକୁ ବିଜେପି ଶିବିର ବେଶ ଗୁରୁତ୍ୱ ଦେଉଛି । ଶାହ ଦଳକୁ ମାର୍ଗଦର୍ଶନ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।
ନାଗରକିତା ସଂଶୋଧନ ଆଇନ ନେଇ ଜନସାଧାରଣଙ୍କୁ ବାସ୍ତବ ତଥ୍ୟ ଦେବାକୁ ବିଜେପିର ବହୁ ପ୍ରମୁଖ ନେତା ଓଡ଼ିଶା ଗସ୍ତରେ ଆସିଛନ୍ତି । ଗତ ଶୀତକାଳୀନ ଅଧିବେଶନରେ ନାଗରିକତା ସଂଶୋଧନ ଆଇନ ବିଲ୍ ପାରିତ ହେବା ପରେ ଜାନୁଆରୀ ୫ରୁ ଦେଶବ୍ୟାପୀ ଏହି ଆଇନ ସଂପର୍କରେ ସଚେତନ କାର୍ଯ୍ୟକ୍ରମ ଅନୁÂିତ ଆରମ୍ଭ ହୋଇଛି । କଟକଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବ୍ରହ୍ମପୁରଠାରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ, ସମ୍ବଲପୁରଠାରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଏବଂ ଜୟପୁରଠାରେ ସାଂସଦ ରୁପା ଗାଙ୍ଗୁଲି ଯୋଗଦାନ କରି ଏହି ଆଇନ ସଂପର୍କରେ ଅନୁÂିତ ବିଶାଳ ଜନସଭାକୁ ସମ୍ବୋଧିତ କରିଥିଲେ । ମାତ୍ର ବିଜେପିର ସାଂଗଠନିକ ନବକଳେବର ପରେ ଦଳକୁ ଅଧିକ ଚଳଚଞ୍ଚଳ କରିବାକୁ ଦଳ ଯୋଜନା କରିଛି । ଶାହଙ୍କ ଗସ୍ତ ଦଳ ପାଇଁ ଆଣିଛି ସୁବର୍ଣ୍ଣ ସୁଯୋଗ । ଏହାର ଭରପୁର ଫାଇଦା ଉଠାଇବାକୁ ଦଳ ସମସ୍ତ ୩୪ ସାଂଗଠନିକ ଜିଲ୍ଲାର ୩୭୦୦୦ ବୁଥରୁ କର୍ମକର୍ତ୍ତାଙ୍କୁ ସମାବେଶକୁ ଡାକିଛି । ଜନତା ମଇଦାନରେ ୨୮ ଅପରାହ୍ନରେ ଶାହ ଦଳର କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବେ । ଆଗାମୀ ରଣନୀତି ନେଇ ସେ ମନ୍ତ୍ର ମଧ୍ୟ ଫୁଙ୍କିବେ । ଶାହଙ୍କ ଗସ୍ତ ଦଳକୁ ଅଧିକ ଆତ୍ମବିଶ୍ୱାସ ଦେବ । ଦଳର ନୂଆ ସଭାପତି ଓ ଟିମକୁ ମଧ୍ୟ ଏ ଗସ୍ତ ବଳ ଦେବ ବୋଲି ରାଜନୈତିକ ମହଲ ଆକଳନ କରୁଛି ।
ଶାହଙ୍କ ଗସ୍ତ ପୂର୍ବରୁ ରାଜ୍ୟ ରାଜନୀତି ବେଶ ସରଗରମ ଧରିଛି । କଂଗ୍ରେସ ଶାହଙ୍କ ଗସ୍ତକୁ ଜୋରଦାର ସମାଲୋଚନା କରିଛି । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ଶାହ ନବୀନଙ୍କ ସହ ରାଜ୍ୟସଭା ସିଟ୍ ଡିଲ କରିବାକୁ ଆସୁଛନ୍ତି । ଗତ ଥର ନବୀନ ଗୋଟିଏ ଆସନ ବିଜେପିକୁ ଛାଡ଼ିଥିଲେ, ଏଥର ଶାହ ଦୁଇଟି ମାଗିବେ । ଭୋଟ ପୂର୍ବରୁ ବିଜେପି-ବିଜେଡି ପରସ୍ପର ଉପରେ ଆକ୍ରମଣ କରୁଥିଲେ । ମାତ୍ର ଏବେ ଦୁଇ ଦଳ ନିରବ । ଏ ଦୁଇ ଦଳ ସଲାସୁତୁରାରେ ଲୋକଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି । କଂଗ୍ରେସର ଏ ଅଭିଯୋଗକୁ ବିଜେଡି ଓ ବିଜେପି ପକ୍ଷରୁ ଖଣ୍ଡନ କରାଯାଇଛି । ଆମ ଭିତରେ କିଛି ଡିଲ୍ ନାହିଁ । ପୂର୍ବାଞ୍ଚଳ ପରିଷଦ ବୈଠକ ସହ ତାଙ୍କ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଶାହ ଆସୁଛନ୍ତି । ଦିଲ୍ଲୀରେ ବିଜେପି ଶାସନରେ ଆମେ ବିରୋଧୀ । ଏଠି ଆମେ ଶାସନରେ, ବିଜେପି ବିରୋଧୀ ଦଳରେ । ତେଣୁ ଆମ ଭିତରେ ସଂପର୍କ କଣ ସମସ୍ତଙ୍କୁ ଜଣା । ତାଙ୍କ ଦଳୀୟ ବ୍ୟାପାରରେ ଆମର କିଛି କହିବାର ନାହିଁ ବୋଲି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି । ବିଜେପି ପକ୍ଷରୁ ପୃଥ୍ୱୀରାଜ କହିଛନ୍ତି, କଂଗ୍ରେସ ଅଯଥା ରାଜନୀତିର ରଙ୍ଗ ବୋଳୁଛି । ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ବିଭିନ୍ନ ସମସ୍ୟା ସଂପର୍କରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ ଆଲୋଚନା କରିବାକୁ ଆସୁଛନ୍ତି । ଏହାପରେ ସେ ଦଳୀୟ ସମାବେଶରେ ଯୋଗଦେବେ । କଂଗ୍ରେସ ଏବେଠୁ ଏତେ ଚିନ୍ତିତ କାହିଁକି?
ଉଲ୍ଲେଖଯୋଗ୍ୟ, ଶାହଙ୍କ ଗସ୍ତ ସୂଚୀ ଅନୁସାରେ ଲୋକସେବା ଭବନରେ ଦୁଇଟି ପର୍ଯ୍ୟାୟରେ ପୂର୍ବାଞ୍ଚଳ ପରିଷଦ ବୈଠକ ବସିବ । ଏଥିରେ ଓଡ଼ିଶା ସମେତ ଆସାମ, ପଶ୍ଚିମବଙ୍ଗ, ସିକିମ୍, ଝାଡ଼ଖଣ୍ଡ, ବିହାର ମୁଖ୍ୟମନ୍ତ୍ରୀ କିମ୍ବା ପ୍ରତିନିଧି ଯୋଗଦେବାର କାର୍ଯ୍ୟସୂଚୀ ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons