ଭୁବନେଶ୍ୱର: କରୋନା ମହାମାରୀ ସଂକ୍ରମଣ ଭୟ ଯୋଗୁଁ ଚଳିତବର୍ଷ ହେବନି ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ପରୀକ୍ଷା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି । ପରୀକ୍ଷାଠାରୁ ଛାତ୍ରଛାତ୍ରୀଙ୍କ ଜୀବନ ବହୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ନିର୍ଦ୍ଧିଷ୍ଟ ସମୟରେ ଉତ୍ତମ ଭାବରେ ନିର୍ଦ୍ଧାରିତ ମାପଦଣ୍ଡ ଅନୁସାରେ ମୂଲ୍ୟାୟନ ସାରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ)କୁ ନିଦେ୍ର୍ଧଶ ଦେଇଛନ୍ତି । ମାର୍କକୁ ନେଇ ଅସନ୍ତୁଷ୍ଟଙ୍କୁ କରୋନା ପରିସ୍ଥିତି ସୁଧୁରିବା ପରେ ପରୀକ୍ଷା ଦେବାକୁ ସୁଯୋଗ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍ଇ) ରାସ୍ତାରେ ସିଏଚ୍ଏସ୍ଇ । ଚଳିତବର୍ଷ ସିବିଏସ୍ଇ ଦଶମ ପରୀକ୍ଷା ବାତିଲ କରିବା ପରେ ରାଜ୍ୟ ସରକାର ମଧ୍ୟ ଦଶମ ପରୀକ୍ଷା ବାତିଲ କରିଥିଲେ । ସେହିପରି ସିବିଏସଇ ଦ୍ୱାଦଶ ପରୀକ୍ଷା ବାତିଲ କରିବାର ୨ ଦିନ ପରେ ଆଜି ରାଜ୍ୟ ସରକାର ସିଏଚଏସଇର ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିଛନ୍ତି । ତେବେ ପରୀକ୍ଷା ବାତିଲ ହେବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଅଧିକାଂଶ ଛାତ୍ରଛାତ୍ରୀ ପରୀକ୍ଷା ବାତିଲ ହେବାକୁ ନେଇ ଖୁସି ଥିବା ବେଳେ କିଛି ଛାତ୍ର ପରୀକ୍ଷା ହୋଇଥିଲେ ଭଲ ହୋଇଥାନ୍ତା ବୋଲି ଯୁକ୍ତି ବାଢ଼ିଛନ୍ତି । ତେବେ ଅଧିକାଂଶ ଛାତ୍ର ଓ ଅଭିଭାବକ ମୂଲ୍ୟାୟନକୁ ନେଇ ଚିନ୍ତାରେ ପଡିଛନ୍ତି । ସିବିଏସ୍ଇ ଭଳି ସିଏଚ୍ଏସ୍ଇରେ ଇଣ୍ଟରନାଲ୍ ଆସେସ୍ମେଣ୍ଟ୍ ବ୍ୟବସ୍ଥା ନାହିଁ । ଗତବର୍ଷ ମଧ୍ୟ ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷା ହୋଇନି । ତେଣୁ କିଭଳି ମୂଲ୍ୟାୟନ ହେବ ତାହାକୁ ନେଇ ଛାତ୍ର ଓ ଅଭିଭାବକ ଚିନ୍ତାରେ ପଡିଛନ୍ତି ।
ଶୁକ୍ରବାର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାରା ଦେଶରେ କୋଭିଡ ମହାମାରୀର ଦ୍ୱିତୀୟ ଲହର ବର୍ତ୍ତମାନ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି । ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ପିଲାମାନଙ୍କ ପାଠପଢା ଓ ଲୋକମାନଙ୍କର ଜୀବନଜୀବିକା । କିନ୍ତୁ ଏସବୁଠାରୁ ଉଦ୍ଧ୍ୱର୍ରେ ରହିଛି ମଣିଷ ଜୀବନର ସୁରକ୍ଷା । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ସମସ୍ତଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ବାର୍ଷିକ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କରାଗଲା ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜୀବନ ଆଗ, ଆଉସବୁ ପଛ । ଜୀବନ ସୁରକ୍ଷିତ ରହିଲେ ଆଗକୁ ଅନନ୍ତ ସମ୍ଭାବନା ରହିବ ଏବଂ ସମାଜ ଓ ସଭ୍ୟତା ଆଗକୁ ବଢିବ । ତେଣୁ ଆମ ଦେଶ ଓ ଜାତିର ଭବିଷ୍ୟତ ଆମ ପିଲାମନଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ପରୀକ୍ଷାଠାରୁ ବହୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ପରୀକ୍ଷା କରାଯାଇଥିଲେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏପରି ସମ୍ବେଦନଶୀଳ ସମୟରେ ପରିସ୍ଥିତିକୁ ସମ୍ଭାଳିବାରେ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାରର ସଦସ୍ୟମାନଙ୍କର ଉଦ୍ୟମ, ଦୃଢ ମନୋବଳ ଓ ଧୈର୍ଯ୍ୟର ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିଛନ୍ତି । ଦ୍ୱାଦଶ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ଦକ୍ଷତାର ମୂଲ୍ୟାୟନ ବିଶେଷଜ୍ଞମାନଙ୍କ ପରାମର୍ଶକ୍ରମେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଉତ୍ତମ ଭାବରେ ନିର୍ଦ୍ଧାରିତ ମାପଦଣ୍ଡ ( ୱେଲ୍ ଡିଫାଇନଡ୍ ଅବଜେକ୍ଟିଭ୍ କ୍ରାଇଟେରିଆ) ଦ୍ୱାରା ନିର୍ଦ୍ଧିର୍ଷ୍ଟ ସମୟସୀମା ମଧ୍ୟରେ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି । ଏହି ମୂଲ୍ୟାୟନରେ ଯଦି କୌଣସି ଛାତ୍ରଛାତ୍ରୀ ସନ୍ତୁଷ୍ଟ ନ ହୁଅନ୍ତି, ତେବେ ସେମାନେ ଚାହିଁଲେ ପରେ ପରୀକ୍ଷା ଦେଇପାରିବେ । ପରିସ୍ଥିତିର ସମୀକ୍ଷା କରି ପରୀକ୍ଷା କେତେବେଳେ କରାଯିବ ତାହା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଣ୍ଣୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଯୁକ୍ତ ଦୁଇ ପରୀକ୍ଷା ବାତିଲ ନିଷ୍ପତ୍ତିକୁ ଛାତ୍ରବିଜେଡି ପକ୍ଷରୁ ସ୍ୱାଗତ କରାଯାଇଛି । ଏହି ଅବସରରେ ଛାତ୍ରବିଜେଡି ରାଜ୍ୟ ସଭାପତି ଦେବୀରଞ୍ଜନ ତି୍ରପାଠୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.