ଭଦ୍ରକ,(ବି.ବି.ନୁ୍ୟଜ୍): ଭଦ୍ରକ ଜିଲ୍ଲା ଧାମନଗରଠାରେ ଆୟୋଜିତ ପ୍ରସିଦ୍ଧ ଉର୍ସ ଉତ୍ସବରୁ ଶ୍ରଦ୍ଧାଳୁଙ୍କୁ ନେଇ ଫେରୁଥିବା ଏକ ଘରୋଇ ବସ୍ ଭଦ୍ରକରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୨ ଜଣ ଯାତ୍ରୀଙ୍କ ମୃତୁ୍ୟ ଘଟିଛି । ମୃତ ଯାତ୍ରୀ ଦୁହେଁ ହେଲେ ଭଦ୍ରକ ପୌରପାଳିକା ମିର୍ଜାପୁରର ସେକ ନିଜାମୁଦ୍ଧିନ (୩୨) ଓ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଅଞ୍ଚଳର ସୟଦ ଇଦ୍ରିଶ ବାସା (୬୫) । ୨୫ ଜଣ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏବେ ବି ଭଦ୍ରକ ଜିଲ୍ଲା ଚିକିତ୍ସାଳୟରେ ୧୮ ଜଣ ଚିକିତ୍ସାଧୀନ ଅଛନ୍ତି । ଭଦ୍ରକରେ ଚିକିତ୍ସାଧୀନ ଥିବା ଯାତ୍ରୀଙ୍କ ମଧ୍ୟରେ ୭ ଜଣ ମହିଳା ଓ ୪ ଜଣ ଶିଶୁ ଅଛନ୍ତି । କଟକ ସ୍ଥାନାନ୍ତର ହୋଇଥିବା ଆହତମାନେ ହେଲେ ସୋରର ସେକ୍ ସବିର, ସେକ୍ ରାଜା, କଟକର ସେକ ଜବାର, ଜଗତସିଂପୁରର ଜଲିଲ ଖାନ, ଅବାସ ଅଲ୍ଲୀ, ବିଶାଖାପାଟଣାର ଶହିଦ ଖାଁ, କୋଲକତାର ଜ୍ୟୋତି, ବାଲେଶ୍ୱରର ଅଜୁ । ଅନ୍ୟ ଜଣଙ୍କର ପରିଚୟ ମିଳିପାରି ନାହିଁ । ଭଦ୍ରକରେ ଚିକିତ୍ସାଧୀନ ସମସ୍ତ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଥିବା ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି ।
ଖବରପାଇ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ସଂଜୀବ ମଲ୍ଲିକ, ଜିଲ୍ଲାପାଳ ଶ୍ରୀ ଦାସ, ଏସ୍ପି ରାଜେଶ ପଣ୍ଡିତ, ଆଞ୍ଚଳିକ ପରିବହନ ଅଧିକାରୀ ବିରଞ୍ଚି ନାରାୟଣ ଦାସଅଧିକାରୀଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଦୁର୍ଘଟଣାସ୍ଥଳ ଓ ଜିଲ୍ଲା ଚିକିତ୍ସାଳୟରେ ପହଞ୍ଚିଥିଲେ । ଚିକିତ୍ସାଧୀନ ଗୁରୁତର ଯାତ୍ରୀଙ୍କ ପାଇଁ ଜିଲ୍ଲାପାଳ ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ କରିଥିଲେ । ବ୍ୟବଚ୍ଛେଦ ପରେ ସ୍ଥାନୀୟ ଲୋକେ ମେଡିକାଲ ସମ୍ମୁଖରେ ନିଜାମୁଦ୍ଧିନଙ୍କ ଶବ ରଖି କ୍ଷତିପୂରଣ ପାଇଁ ଧାରଣା ଦେଇଥିଲେ । ବିଧାୟକ ଶ୍ରୀ ମଲ୍ଲିକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।
ଘଟଣାରୁ ପ୍ରକାଶ, ଗତ ୩ଦିନ ଧରି ପ୍ରସିଦ୍ଧ ଉର୍ସ ଉତ୍ସବ ଧାମନଗରରେ ଚାଲିଥିଲା । ଏଥିରେ ଭାରତର ବିଭିନ୍ନ ପ୍ରାନ୍ତରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଗତକାଲି ଉର୍ସ ଉତ୍ସବ ଉଦ୍ୟାପିତ ହେବାପରେ ରାତି ପ୍ରାୟ ୨ଟା ବେଳେ ୪୦ରୁ ଊଦ୍ଧ୍ୱର୍ ଶ୍ରଦ୍ଧାଳୁଙ୍କୁ ଧରି ‘ଉପହାର’ ନାମକ ଏକ ଘରୋଇ ବସ ଧାମନଗରରୁ ଭଦ୍ରକ ଅଭିମୁଖେ ବାହାରିଥିଲା । ରାତି ପ୍ରାୟ ସାଢେ଼ ୩ଟା ବେଳେ ଭଦ୍ରକର ବନ୍ତ ଛକ ଫ୍ଲାଏ ଓଭରବ୍ରିଜ ନିକଟରେ ବାଲେଶ୍ୱର ଆଡ଼ୁ ଆସୁଥିବା ଏକ ମାଲବୋଝେଇ ଟ୍ରକ୍ ସମ୍ମୁଖରୁ ଉକ୍ତ ବସକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟାବହ ଥିଲା ଯେ ବସ୍କୁ ୨୦ମିଟର ଦୂରକୁ ଟ୍ରକ୍ ଘୋଷାରିି ନେଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ସମେତ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଥିଲେ । ତେବେ ସେଖ ନିଜାମୁଦ୍ଧିନ ଓ ସୟଦ ଇଦ୍ରିଶ ବାସାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଅନ୍ୟ ୨୫ ଜଣଙ୍କୁ ଉଦ୍ଧାର କରି ଅଗ୍ନିଶମ ବାହିନୀ ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଜିଲ୍ଲା ଚିକିତ୍ସାଳୟକୁ ପଠାଇଥିଲେ । ଉଭୟ ଟ୍ରକ ଓ ବସର ଚାଳକ ଇଞ୍ଜିନ ମଧ୍ୟରେ ଚାପି ହୋଇ ରହିଥିଲେ । ଅଗ୍ନିଶମ ବାହିନୀ ଅନ୍ଧାର ଭିତରେ ବି ଗ୍ୟାସ କଟର ସହାୟତାରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ଦୁର୍ଘଟଣାଯୋଗୁଁ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ଦୀର୍ଘ ସମୟ ଧରି ବ୍ୟାହତ ହୋଇଥିଲା ।
ସୂଚନାଯୋଗ୍ୟ, ୧୬ ନମ୍ବର ଜାତୀୟ ରାଜପଥ ପ୍ରଶସ୍ତୀକରଣ କାର୍ଯ୍ୟ ପାଇଁ ଭଦ୍ରକ ସହର ମଧ୍ୟରେ ଶାହାପୁରଠାରୁ ଗେଲପୁର ପର୍ଯ୍ୟନ୍ତ ଗୋଟିଏ ଲେନରେ ଗାଡ଼ି ଚଳାଚଳ କରୁଛି । ଫଳରେ ରାତି ସମୟରେ ଏହି ରାସ୍ତା ବିପଜ୍ଜନକ ହୋଇପଡ଼ୁଛି ।


Comments are closed, but trackbacks and pingbacks are open.