୩୦ ଫୁଟ୍ ତଳକୁ ଖସିଲା କାର୍, ଦୁଇ ଗୁରୁତର

Get real time updates directly on you device, subscribe now.

ପାଟଣା,(ବି.ବି.ନୁ୍ୟଜ୍): କେନ୍ଦୁଝର ଜିଲ୍ଳା ପାଟଣା ବାଇପାସ ସ୍ୱାମ ପୋଲ ନିକଟରେ ଏକ କାର୍ ଭାରସାମ୍ୟ ହରାଇ ୩୦ ଫୁଟ୍ ତଳ ନାଳ ଭିତରକୁ ଖସି ପଡ଼ିଥିଲା । ଫଳରେ କାର୍ରେ ଥିବା ଦୁଇ ଜଣ ଗୁରୁତର ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଛନ୍ତି ।
ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ବାମଦା ଗ୍ରାମର ଚନ୍ଦ୍ର ମୋହନ ବାସ୍କେ(୫୦) ଓ ତାଙ୍କ ପତ୍ନୀ ରାନୁମଣି ବାସ୍କେ ଏକ କାର୍(ଓଡି-୦୧ଏଫ୍-୯୧୧୮)ରେ ବହଳଦାରୁ କଟକ ଜିଲ୍ଲା ଜଗତପୁର ସ୍ଥିତ ନିଜ ଝିଅ ଘରକୁ ଯାଉଥିଲେ । ସ୍ୱାମ ନାଳ ପୋଲ ନିକଟରେ କାର୍ଟି ଭାରସାମ୍ୟ ହରାଇ ୩୦ ଫୁଟ୍ ତଳକୁ ଖସି ପଡ଼ିଥିଲା । ଏଥିରେ ଚନ୍ଦ୍ର ମୋହନ ଓ ରାନୁମଣି ଗୁରୁତର ହୋଇଥିବା ବେଳେ କାର୍ ଚାଳକ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ସ୍ଥାନୀୟ ଦମକଳ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପାଟଣା ପୁଲିସ ଦୁର୍ଘଟଣାଗ୍ରସ୍ତ କାର୍କୁ ଜବତ କରିଛି ।
ଅନ୍ୟପଟେ ଏହି ଦୁର୍ଘଟଣା ପୂର୍ବରୁ ଉକ୍ତ କାର୍ଟି ଧାନବେଣୀ ବୈତରଣୀ ନଦୀ ନିକଟରେ ନିଜ ବାଇକ୍ ନେଇ ଛିଡ଼ା ହୋଇଥିବା ଶିଲପଦା ପଞ୍ଚାୟତ ବଲାଣିପସି ଗ୍ରାମର ସୁବାସ ଚନ୍ଦ୍ର ମହାନ୍ତଙ୍କୁ ଧକ୍କା ଦେଇଥିବା ଜଣାପଡ଼ିଛି । ଏଥିରେ ସୁବାସ ମଧ୍ୟ ଗୁରୁତର ଆହତ ହୋଇ ପାଟଣା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ସୁବାସଙ୍କୁ ଧକ୍କା ଦେଇ କାର୍ଟି ଦ୍ରୁତ ଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ନାଳକୁ ଖସି ପଡ଼ିଥିବା କୁହାଯାଉଛି ।
ସୂଚନା ଥାଉକି, ସ୍ୱାମ ପୋଲ ନିକଟରେ ବୁଲାଣି ରାସ୍ତା ଥିବାବେଳେ ଏନେଇ କୌଣସି ସୂଚନା ଫଳକ ଲଗାଯାଇନାହିଁ । ଫଳରେ ଅନେକ ସମୟରେ ଏଠାରେ ଛୋଟବଡ଼ ଦୁର୍ଘଟଣା ଘଟୁଥିବା ନଜିର ରହିଛି । ଗତ ବୁଧବାର ଧାନ ବୋଝେଇ ଏକ ମିନିଟ୍ରକ ଏହି ସ୍ଥାନରେ ବନ୍ୟା ପାଣିରେ ଭାସି ଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons