ନବରଙ୍ଗପୁର,(ବି.ବି.ନୁ୍ୟଜ୍): ଗଞ୍ଜେଇ ମାଫିଆ ଚୋରା ଚାଲାଣ ତରିକା ବଦଳାଇଛନ୍ତି । ପୁଲିସ ଆଖିରେ ଧୂଳି ଦେଇ କୁଣ୍ଡାବସ୍ତାରେ ଗଞ୍ଜେଇ ଚାଲାଣ କରାଯାଉଛି । ଆଜି ମାଲକାନଗିରି ଖଇରପୁଟ ଅଞ୍ଚଳରୁ କୋଷାଗୁମୁଡାକୁ ଗଞ୍ଜେଇ ଚାଲାଣ ବେଳେ ପାପଡାହାଣ୍ଡି ପୁଲିସ ଏକ ୪୦୭ ଭ୍ୟାନ୍ରୁ ୫ କୁଇଣ୍ଟାଲ ୩୯ କେଜି ଗଞ୍ଜେଇ ଜବତ କରିଛି । ଏହି କାରବାରରେ ୨ଜଣଙ୍କୁ ଅଟକ ରଖାଯାଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ପ୍ରତୁ୍ୟଷ ମହାପାତ୍ର କହିଛନ୍ତି । ସେମାନେ ହେଲେ ଖଇରପୁଟ ଗାଁର ପଦ୍ମନ ଖେମୁଣ୍ଡୁ ଓ ସୁରେଶ ଖେମୁଣ୍ଡୁ ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଆଜି ଏକ ଭ୍ୟାନ୍(ଓଡି୧୦ କେ-୩୫୧୦)ରେ କୁଣ୍ଡା ଭର୍ତ୍ତି ହୋଇଯାଉଥିଲା । ଏଥିରେ ଗଞ୍ଜେଇ ଚାଲାଣ ହେଉଥିବା ଆଗୁଆ ସୂଚନା ପାଇ ପାପଡାହାଣ୍ଡି ପୁଲିସ ୨୬ନଂଜାତୀୟ ରାଜପଥ ପୁରୁଣା ଥାନାଛକ ନିକଟରେ ୨ ଟି ଜିପ୍ଲଗାଇ ରାସ୍ତାକୁ ସିଲ୍ କରିଥିଲା । ରାସ୍ତାରେ ପୁଲିସକୁ ଦେଖି ଗାଡିଟି ଦ୍ରୁତ ଗତିରେ ଚାଲିଯାଇଥିବା ବେଳେ ରାଜପଥ ପାଶ୍ୱର୍ ଫୁଟପାଥ ଗ୍ରୀଲକୁ ଧକ୍କା ଦେଇ ଅଟକି ଯାଇଥିଲା । ଥାନା ଅଧିକାରୀ ଶ୍ରୀ ମହାପାତ୍ରଙ୍କ ନେତୃତ୍ୱରେ ଅଶ୍ୱିନ କୁମାର ପଟ୍ଟନାୟକ, ସୁବାସଚନ୍ଦ୍ର କର୍କରା ସେଠାରେ ପହଞ୍ଚି ଗାଡିକୁ ଯାଞ୍ଚ କରିଥିଲେ । ସେଥିରେ ୨୬ଟି କୁଣ୍ଡା ବସ୍ତାରେ ଗଞ୍ଜେଇ ଥିବା ଜଣାପଡିଥିଲା । ଚାଲାଣକାରୀଙ୍କୁ କାବୁ କରିବା ସହ ଗାଡିକୁ ପୁଲିସ ଜବତ କରିଥିଲା । ଆଜି ସନ୍ଧ୍ୟାରେ ପାପଡାହାଣ୍ଡି ସହକାରୀ ତହସିଲଦାର ତଥା ମାଜିଷ୍ଟେ୍ରଟ ମଧୁସୂଦନ ମାଝୀଙ୍କ ଉପସ୍ଥିତରେ ଜବତ ଗଞ୍ଜେଇକୁ ଓଜନ କରାଯାଇଥିଲା । କୁଣ୍ଡାବସ୍ତାରୁ ୫ କୁଇଣ୍ଟାଲ ୩୯ କେଜି ଗଞ୍ଜେଇ ମିଳିଥିଲା । ଏହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି ।
Comments are closed, but trackbacks and pingbacks are open.