ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଦୁଇଟି ପୃଥକ୍ ପୃଥକ୍ ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସୋପିଆନର ପାନ୍ଦୁସାନ ଗ୍ରାମରେ ଶୁକ୍ରବାର ଠାରୁ ଏକ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଏଠାରେ ଗତକାଲି ଜଣେ ଆତଙ୍କବାଦୀ ନିହତ ହୋଇଥିଲାବେଳେ ଆଜି ଆଉ ଜଣେ ନିପାତ ହୋଇଛି । ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣକର ପରିଚୟ ଜୈସର ସ୍ଥାନୀୟ କମାଣ୍ଡର ଜୀନତ ଉଲ ଇସଲାମ ନାଇକୁ ବୋଲି ଜଣାପଡିଛି । ତା’ର ମୃତଦେହକୁ ଇତିମଧ୍ୟରେ ତା’ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।
ସେ ସୋପିଆନ ଜିଲାରେ ଅନେକ ଆତଙ୍କବାଦୀ ଆକ୍ରମଣରେ ସଂପୃକ୍ତ ଥିଲା । ୨୦୧୮ରେ ସୋପିଆନରେ ହୋଇଥିବା ଏକ ବଡ଼ଧରଣର ଆକ୍ରମଣରେ ତା’କୁ ଖୋଜାଯାଉଥିଲା । ଉକ୍ତ ଆକ୍ରମଣରେ ୪ ଜଣ ପୁଲିସକର୍ମୀ ସହିଦ ହୋଇଥିଲେ । ସୋପିଆନରେ ହୋଇଥିବା ଏନକାଉଣ୍ଟରରେ ଜଣେ ସେନା ଯବାନ ବି ସହିଦ ହୋଇଛନ୍ତି । ସେଠାରେ ଅପରେସନ ଶେଷ ହୋଇଛି ବୋଲି ସୂଚନା ଦିଆଯାଇଛି । ଆଜି ବାରାମୂଲାର ୱାରପୋରା ଅଞ୍ଚଳରେ ହୋଇଥିବା ଏକ ଏନକାଉଣ୍ଟରରେ ଆଉ ଜଣେ ଆତଙ୍କବାଦୀକୁ ନିପାତ କରାଯାଇଛି ।
Comments are closed, but trackbacks and pingbacks are open.