ଝରିଗାଁ,(ବି.ବି.ନୁ୍ୟଜ୍): ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ବାଇକ୍ରେ ତିନି କିମି ବୁହାହେଲେ ଗର୍ଭବତୀ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବେଲଗାଁ ପଞ୍ଚାୟତ ଭଇସାପଡା ଗାଁରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ, ଗାଁର ରଥ ଗୌଡଙ୍କ ସ୍ତ୍ରୀ ଚିତା(୧୮) ଗର୍ଭବତୀ ଥିଲେ । ଶନିବାର ଭୋରରୁ ତାଙ୍କର ପ୍ରସବ ବେଦନା ଆରମ୍ଭ ହୋଇଥିଲା । ପରିବାର ଲୋକେ ସ୍ଥାନୀୟ ଆଶା ତୁଳସୀ ଜାନିଙ୍କୁ ଖବର ଦେଇଥିଲେ । ତୁଳସୀଙ୍କ ସହାୟତାରେ ପରିବାର ଲୋକେ ଚିତାଙ୍କୁ ମେଡିକାଲ ନେବାକୁ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ଖବର ପାଇ ଆମ୍ବୁଲାନ୍ସ ଭଇସାପଡା ଅଭିମୁଖେ ବାହାରିଥିଲା । କିନ୍ତୁ ଗାଁକୁ ଭଲ ରାସ୍ତା ନଥିବାରୁ ଗାଡିଟି ମହଣ୍ଡି ଛକରେ ଅଟକି ରହିଥିଲା । ଅନ୍ୟ କିଛି ଉପାୟ ନପାଇ ପରିବାର ଲୋକେ ଚିତାଙ୍କୁ ଏକ ବାଇକ୍ରେ ବସାଇ ୩ କିମି ଦୂର ପାର୍ ହୋଇ ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ । ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଝରିଗାଁ ସିଏଚସିରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ଗମ୍ଭୀର ଥିବାରୁ ଡାକ୍ତର ଚିତାଙ୍କୁ ନବରଙ୍ଗପୁର ପଠାଇଥିଲେ । ପରେ ତାଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଛି । କୋରାପୁଟରେ ଚିତା ଚିକିତ୍ସାଧୀନ ଅଛନ୍ତି ।


Comments are closed, but trackbacks and pingbacks are open.