ନୂଆପଡ଼ା,(ବି.ବି.ନ୍ୟୁଜ୍): ତିନିଦିନ ପରେ ସଦର ବ୍ଲକ କୁକୁଡ଼ାତାଲ ଗାଁ ମୁଣ୍ଡ ପଥର ଚଟାଣ ଛାଡ଼ିଲେ ଦୁଇ କଲରା ପତରିଆ ବାଘ । ୭୨ ଘଣ୍ଟା ହେଲା ଦୁଇ ବାଘ ଅଞ୍ଚଳରେ ଆତଙ୍କ ଖେଳାଇଥିବାବେଳେ କୁକୁଡତାଲ ଓ ଆଖପାଖ ଗାଁ ଲୋକେ ଭୟଭୀତ ଅବସ୍ଥାରେ କାଳାତିପାତ କରୁଛନ୍ତି । ବାଘ ଯିବା ପରେ ଆଜି ଉକ୍ତ ଚଟାଣ ଉପରେ ବନବିଭାଗ କର୍ମଚାରୀମାନେ ସର୍ଚ୍ଚ ଅପରେସନ କରିଛନ୍ତି । ବାଘର ଗତିବିଧି ଉପରେ ମଧ୍ୟ ଅନୁଧ୍ୟାନ ଚଲାଇଛନ୍ତି । ମଧ୍ୟାହ୍ନରେ ଏସିଏଫ ଦେବେନ୍ଦ୍ର ଖୁଣ୍ଟିଆ ଘଟଣାସ୍ଥଳରେ ସ୍ଥିତ ଅନୁଧ୍ୟାନ କରୁଛନ୍ତି ।
ଶନିବାର ସନ୍ଧ୍ୟାରେ ଆମାନାରା ନିକଟ କୁକୁଡାତାଲ କୁସରଙ୍ଗୀ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ ଦୁଇଟି କଲରା ପତରିଆ ବାଘ ଦେଖା ଦେଇଥିଲେ । ଆଜି ଦିନ ତମାମ ପାହାଡର ପଥର ଚଟାଣ ଉପରେ ଦୁଇଟି କଲରା ପତରିଆ ବାଘ ଛକି ବସି ରହିଥିଲା । ଆଜି ସକାଳୁ ବାଘ ଘଞ୍ଚ ଜଙ୍ଗଲ ଭିତରେ ଲୁଚି ଦେଇଛନ୍ତି । ବର୍ତ୍ତମାନ ପଥର ଚଟାଣ ଉପରୁ ବାଘ ଉଭାନ ହୋଇ ଯାଇଛି । ବାଘର ସ୍ଥିତି ଅନୁଧ୍ୟାନ କରିବାକୁ ଫରେଷ୍ଟର ଗୋପାଲ ମହାନନ୍ଦଙ୍କ ନେତୃତ୍ୱରେ ଏକ ଠିମ୍ ଗଠିତ ହୋଇଥିଲା । ବନ କର୍ମଚାରୀ ଜୀବନକୁ ବାଜି ଲଗାଇ ମୁସରଙ୍ଗୀ ପାହାଡ଼ ଉପରକୁ ଚଢ଼ିଥିଲେ । ଏହି ପାହାଡ଼ର ଶିଖରସ୍ଥିତ ଚଟାଣ ଉପରକୁ ଚଢ଼ି ଦେଖିବା ବେଳେ ବାଘର କୌଣସି ଖୋଜ ଖବର ମିଳି ନଥିଲା । ପଥର ଚଟଣା ଉପରେ ଚାରି ପଟେ ବାଘ ଖୋଜିଥିଲେ । ପରେ ସେଠାରୁ ବନ କର୍ମଚାରୀ ପାହାଡ଼ ତଳକୁ ଓହ୍ଲାଇ ଥିଲେ । ମଧ୍ୟାହ୍ନରେ ଏସିଏଫ ଦେବେନ୍ଦ୍ର ଖୁଣ୍ଟିଆ କୁକୁଡାତାଲ ଗାଁକୁ ଯାଇଥିଲେ । ସେଠାରୁ ମୁସରଙ୍ଗୀ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ତଳକୁ ଯାଇଥିଲେ । ସେଠାରେ ବାଘର ଗତିବିଧି ଉପରେ ଅନୁଧ୍ୟାନ କରି ଗାଁ ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇଥିଲେ ।
ବାଘ ଭୟ ପରେ ଏବେ ବନ କର୍ମଚାରୀ ମୁସରଙ୍ଗୀ ଜଙ୍ଗଲ ପାଦ ଦେଶରେ ୨୪ ଘଣ୍ଟିଆ ପଏଁତରା ମାରୁଛନ୍ତି । ସନ୍ଧ୍ୟା ଓ ସକାଳ ସମୟରେ ଲୋକଙ୍କୁ ଜଙ୍ଗଲକୁ ଯିବାକୁ ବାରଣ କରାଯାଇଛି । ରାତିରେ ଘରୁ ନ ବାହାରିବାକୁ ଅନୁରୋଧ କରୁଛନ୍ତି । ଜରୁରୀ ସ୍ଥଳେ ଗୋଷ୍ଠୀବଦ୍ଧ ହୋଇ ବାହାରକୁ ଯିବାକୁ ପରାମର୍ଶ ଦେଉଛନ୍ତି । ପାହାଡ଼ ପାଦ ଦେଶରେ ବନ କର୍ମଚାରୀ ୨୪ ଘଣ୍ଟା ରହି ବାଘର ଗତି ଉପରେ ନଜର ରଖିଛନ୍ତି । ଏନେଇ ସଦର ରେଞ୍ଜର ଅସିତ ଦାସ କହିଛନ୍ତି, ଆଜି ବାଘର ଚଳପ୍ରଚଳ ଜଣା ପଡୁନାହିଁ । ସୁନାବେଡା ଅଭୟାରଣ୍ୟ ଭିତରକୁ ବାଘ ଚାଳି ଯାଇଥିବାର ଅନୁମାନ କରାଯାଉଛି । ବନବିଭାଗ କର୍ମଚାରୀ ଜଙ୍ଗଲ ନିକଟରେ କ୍ୟାମ୍ପ କରି ଦିନ ରାତି ଜଗି ରହୁଛନ୍ତି । ଏବେ ବାଘର ଭୟ ନାହିଁ । ତଥାପି ଲୋକଙ୍କୁ ସତର୍କ ହୋଇ ରହିବାକୁ ପରାମର୍ଶ ଦିଆଯାଉଛି ବୋଲି କହିଥିଲେ ।


Comments are closed, but trackbacks and pingbacks are open.