୩ ମାସରେ ମରିଛନ୍ତି ୨୧୭୬ ନବଜାତକ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଚଳିତ ବର୍ଷ ଏପ୍ରିଲ୍ରୁ ଜୁନ୍ ମାସ ମଧ୍ୟରେ ରାଜ୍ୟରେ ୨୧୭୬ ଜଣ ନବଜାତକ ମୃତୁ୍ୟବରଣ କରିଛନ୍ତି । ଜନ୍ମରୁ ୪ ସପ୍ତାହ ବୟସର ମୃତୁ୍ୟବରଣ କରିଥିବା ଏହି ଶିଶୁଙ୍କ ମଧ୍ୟରେ ୬୮୨ ଜଣ ହେଉଛନ୍ତି କେବିକେ ଜିଲ୍ଲାର ।
ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏକ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଦର୍ଶାଇଛନ୍ତି, ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସ ମଧ୍ୟରେ ୨୧୭୬ ଜଣ ଶିଶୁ ମୃତୁ୍ୟବରଣ କରିଥିବା ବେଳେ ଏମାନଙ୍କ ମଧ୍ୟରୁ ୩୧ଧ କେବିକେ ଜିଲ୍ଲାଗୁଡ଼ିକରେ ଅଛନ୍ତି ।
ଶିଶୁମାନଙ୍କ ମୃତୁ୍ୟକୁ ରୋକିବା ଲାଗି ରାଜ୍ୟ ସରକାର ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ନିମନ୍ତେ ଚଳିତ ବର୍ଷ ଏନ୍ଏଚ୍ଏମ୍-ପିଆଇପିରେ ୩୩୭ କୋଟି ୩୬ ଲକ୍ଷ ୧୧ ହଜାର ଟଙ୍କା ଓ ସମ୍ପୂର୍ଣ୍ଣା କାର୍ଯ୍ୟକ୍ରମରେ ୫୭ କୋଟି ୮୩ ଲକ୍ଷ ୧୪ ହଜାର ଟଙ୍କା ବ୍ୟୟ କରିବାର ଲକ୍ଷ୍ୟ ରଖିଛନ୍ତି । ଏହାବାଦ୍ ମା’ ଓ ଶିଶୁଙ୍କ ଯତ୍ନ ସଂକ୍ରାନ୍ତରେ ସଚେତନତା ସୃଷ୍ଟି, ଗ୍ରାମ୍ୟ ସ୍ୱାସ୍ଥ୍ୟ ଓ ପୁଷ୍ଟି ଦିବସ, ପିଲାଙ୍କୁ ଭିଟାମିନ୍ “କ’ ପ୍ରଦାନ ଓ ଟୀକାକରଣ ଆଦି କରାଯାଉଛି ।
ସେହିଭଳି ବିଜେଡି ସଦସ୍ୟ ଅନନ୍ତ ନାରାୟଣ ଜେନାଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଦାସ ଦର୍ଶାଇଛନ୍ତି, ୫ ବର୍ଷରୁ କମ୍ ବୟସର ଶିଶୁ ମୃତୁ୍ୟ କ୍ଷେତ୍ରରେ ଓଡ଼ିଶା ଏବେ ବି ଦେଶର ୩ ନମ୍ବର ସ୍ଥାନରେ ରହିଛି । ସର୍ବଶେଷ ଏସ୍ଆର୍ଏସ୍ ତଥ୍ୟ ଅନୁଯାୟୀ ଓଡ଼ିଶାରେ ପ୍ରତି ୧୦୦୦ ଶିଶୁ ମଧ୍ୟରୁ ୪୭ ଜଣ ମୃତୁ୍ୟବରଣ କରୁଥିବା ବେଳେ ଏହା ଉପରକୁ ଆସାମରେ ୪୮ ଓ ମଧ୍ୟପ୍ରଦେଶରେ ଏହା ୫୫ ରହିଛି । କେରଳରେ ପ୍ରତି ୧୦୦୦ରେ ୧୨ ଜଣ ଶିଶୁ ମୃତୁ୍ୟବରଣ କରୁଥିବା ବେଳେ ତାମିଲନାଡ଼ୁରେ ୧୯, ଦିଲ୍ଲୀ ଓ ମହାରାଷ୍ଟ୍ରରେ ୨୧ଟି କରି, ପଞ୍ଜାବ ଓ ଜାମ୍ମୁକଶ୍ମୀରରେ ୨୪ଟି କରି, ହିମାଚଳ ପ୍ରଦେଶରେ ଏହା ୨୫ ରହିଛି ।
ଓଡ଼ିଶାର ପଡେ଼ାଶୀ ରାଜ୍ୟ ପଶ୍ଚିମବଙ୍ଗରେ ପ୍ରତି ୧୦୦୦ ଶିଶୁ ମଧ୍ୟରେ ୨୬ ଜଣ ମରୁଥିବା ବେଳେ ଝାଡ଼ଖଣ୍ଡରେ ୩୪ ଓ ଆନ୍ଧ୍ର ପ୍ରଦେଶରେ ଏହା ୩୫ ରହିଛି । ସର୍ବଭାରତୀୟ ସ୍ତରରେ ପ୍ରତି ୧୦୦୦ ଶିଶୁରେ ୩୭ ଜଣ ମୃତୁ୍ୟବରଣ କରୁଥିବାବେଳେ ଦେଶର ସବୁଠାରୁ ଦରିଦ୍ର ରାଜ୍ୟ କୁହାଯାଉଥିବା ବିହାରରେ ଏହା ୪୧ ରେକର୍ଡ କରାଯାଇଛି ।
ଶିଶୁ ମୃତୁ୍ୟର ଅନ୍ୟତମ କାରଣ ପୁଷ୍ଟିହୀନତା ହୋଇଥିବାବେଳେ ପୁଷ୍ଟିସାଧନ କେନ୍ଦ୍ରର ସୂଚନାନୁଯାୟୀ ୨୦୧୮-୧୯ ବର୍ଷରେ ୯୫୭୮ ଶିଶୁ ଏହି କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ଚଳିତ ବର୍ଷ ଏପ୍ରିଲ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ପୁଷ୍ଟିସାଧନ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ୬୨୫୨ ଶିଶୁଙ୍କ ମଧ୍ୟରୁ ଜଣକର ମୃତୁ୍ୟ ଘଟିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons