୪୮ କେଜି କାଠ ଜବତ

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ୍): ଗିରଫ୍ ହେଲା ଚନ୍ଦନ କାଠ ମାଫିଆ ସପନ । ତା’ ପାଖରୁ ୪୮ କେଜି ଚନ୍ଦନ କାଠ ଜବତ ହେଲା । ଏଥିସହ ସପନର ଜଣେ ସହଯୋଗୀ ଘରୁ ଏକ କଟର୍ ମେସିନ୍ ଜବତ ହୋଇଛି । ସୁନାବେଡ଼ା ଥାନାରେ ଏକ କେସ୍(ନଂ-୧୦/୨୦) ରୁଜୁ କରି ସପନକୁ କୋର୍ଟ ଚାଲାଣ କରାଯାଇଛି ।
ସୁନାବେଡ଼ା ଏସ୍ଡ଼ିପିଓ ନିରଞ୍ଜନ ବେହେରା ଗଣାମଧ୍ୟକୁ କହିଛନ୍ତି, ସୁନାବେଡ଼ା ହାଲ୍ ପରିସରରୁ ଚନ୍ଦନ ଗଛ ଚୋରି ଘଟଣାରେ ମାଫିଆ ସପନ କୁମାର ଚକ୍ରବର୍ତ୍ତି ଓରଫ୍ ସପନକୁ ଗିରଫ କରାଯାଇଛି । ସୁନାବେଡ଼ା ଓ ସେମିଳିଗୁଡ଼ା ଅଞ୍ଚଳରେ ସପନ ଚନ୍ଦନ ଗଛ ଚୋରି କରି ବାହାରେ ବ୍ୟବସାୟ କରି ଆସୁଥିଲା । ସପନର ଘର ସୁନାବେଡ଼ା ଡ଼ିପି କ୍ୟାମ୍ପ ଅଞ୍ଚଳରେ । ସେ ବାରମ୍ବାର ଚନ୍ଦନ କାଠ ଚୋରା ଚାଲଣ କରି ଆସୁଥିଲା । ଏହା ପୂର୍ବରୁ ୨୦୧୪ ରେ ସପନ ଅନୁରୂପ ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିଲା । ସେମିଳିଗୁଡ଼ା ଥାନାରେ ଏ ନେଇ ଅଭିଯୋଗ ହୋଇଥିଲା । ଜେଲରୁ ଫେରି ପୁଣି କାରବାର କରିଥିଲା । ନିଜେ ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ୍ କରିଥିଲା । ଗଛ କାଟି ଏହାକୁ ବଜାରରେ ବିକ୍ରି କରୁଥିଲା । ଗତ ଗୁରୁବାର ସୁନାବେଡ଼ାରୁ ଏକ ସ୍କୁଟିରେ ଚନ୍ଦନ କାଠ ନେଇ କୋରାପୁଟ ଅଭିମୁଖେ ଯାଉଥିଲା । ସୁନାବେଡ଼ା ଥାନା ପୁଲିସ ହାତରେ ଧରା ପଡ଼ିଥିଲା । ହାଲ୍ ପରିସରରୁ ଏକ ବଡ ଚନ୍ଦନ ଗଛ ଚୋରି ହୋଇଥିଲା । ଏ ସମ୍ପର୍କରେ ସୁନାବେଡ଼ା ଥାନାରେ ହାଲ୍ ସହକାରୀ ମ୍ୟାନେଜର ରାଜୀବ ରଞ୍ଜନ ଗତ ୧୩ ତାରିଖରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା । ଗତ ଗୁରୁବାର ସପନ ଏକ ସ୍କୁଟିରେ କୋରାପୁଟ ଅଭିମୁଖେ ଯାଉଥିବା ପୁଲିସକୁ ସୂଚନା ମିଳିଥିଲା । ପୁଲିସ ସ୍କୁଟି ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ସ୍କୁଟିରୁ ୧୨ କେଜି ଚନ୍ଦନ କାଠ ମିଳିଥିଲା । ଜେରା ପରେ ଆଉ ୩୬ କେଜି ଚନ୍ଦନ କାଠ ସପନ ଘରୁ ଜବତ ହୋଇଥିଲା । ଏହି ଚୋରା ଚାଲଣ ପଛରେ ଏକ ର୍ୟାକେଟ କାମ କରୁଛି । ର୍ୟାକେଟରେ ସପନର ବହୁ ସହଯୋଗୀ ଅଛନ୍ତି । ସେମାନଙ୍କ ସମ୍ପର୍କରେ ମଧ୍ୟ ପୁଲିସ ସୂରାକ ପାଇଛି । ସେମାନଙ୍କ ଘର ଉପରେ ପୁଲିସ ଚଢ଼ାଉ କରିଛି । ଜଣେ ସହଯୋଗୀ ଘରୁ ପୁଲିସ ଗଛ କଟାରେ ବ୍ୟବହୃତ ଏକ କଟର୍ ମେସିନ ଜବତ କରିଛି । ତେବେ ଉକ୍ତ ସହଯୋଗୀ ଘରୁ ଫେରାର୍ ହୋଇଯାଇଛି । ତାକୁ ମଧ୍ୟ ଅତିଶୀଘ୍ର ଗିରଫ କରାଯିବ । ସୂଚନାଯୋଗ୍ୟ, ୨୦୧୮ ରେ ପାଡ଼ୁଆ ଥାନା ଅଞ୍ଚଳର ଜଣେ ଚନ୍ଦନ କାଠ ମାଫିଆକୁ ପାଡ଼ୁଆ ଥାନା ପୁଲିସ ଗିରଫ କରିଥିଲା । ତା ଠାରୁ ୩୮୮ କେଜି ଚନ୍ଦନ କାଠ ଜବତ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons