କୁନ୍ଦୁରା,(ବି.ବି.ନୁ୍ୟଜ୍): ଆରପାରିକୁ ଚାଲିଗଲେ ବାପାମାଆ । ଅନାଥ ହୋଇଯାଇଛନ୍ତି କୁନି କୁନି ୪ ଭାଇଭଉଣୀ । ନାତିନାତୁଣୀଙ୍କ ସବୁ ଦାୟିତ୍ୱ ତୁଲାଉଛନ୍ତି ବୁଢୀ ଜେଜେମା’ । ହେଲେ ଗତ ମାସେ ହେଲା ସେ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ । ଦିନକୁ ଦିନ ବଢିଚାଲିଛି ଯନ୍ତ୍ରଣା । ପ୍ରତି ମୁହୂର୍ତ୍ତରେ ମୃତୁ୍ୟ ସହ ସଂଘର୍ଷ କରୁଛନ୍ତି । ଏଭଳି ସ୍ଥିତିରେ ଜେଜେମା’ଙ୍କ ସେବାଯତ୍ନ କରୁଛନ୍ତି ଚାରି ନାତିନାତୁଣୀ । ଓଳିଏ ଖାଇଲେ ଆରଓଳି ଉପାସରେ ରହୁଛନ୍ତି । ଗାଁ ଲୋକଙ୍କ ହାତଟେକାରେ ବଞ୍ଚିଛନ୍ତି କୁନ୍ଦୁରା ବ୍ଲକ୍ ଦିଗାପୁର ପଞ୍ଚାୟତ ଖିଲପୁଟ ଗାଁର ପଦ୍ମା ପରଜା ଓ ତାଙ୍କ ୪ ନାତିନାତୁଣୀ । ଦୁଃଖର ବିଷୟ, ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଚାରି ଅନାଥ ପିଲାଙ୍କୁ ଉଦ୍ଧାର କରାଯାଇ ଥଇଥାନ କରାଯାଇନି । ରୋଗ ଶଯ୍ୟାରେ ପଡ଼ିଥିବା ପଦ୍ମାଙ୍କ ପାଖରେ ବି ପହଞ୍ଚି ପାରିନି ପ୍ରଶାସନର ସହାୟତା ।
ପଦ୍ମା କହିଛନ୍ତି ଯେ, ବହୁବର୍ଷ ତଳୁ ଆରପାରିରେ ସ୍ୱାମୀ । ପୁଅ ବିଜୟ ପରଜା, ବୋହୂ ରତ୍ନା ପରଜା ଓ ନାତୁଣୀ ରିଙ୍କି ପରଜା(୧୦), ନାତି ଈଶ୍ୱର ପରଜା(୮), ସଭାପତି ପରଜା(୬) ଓ ଶଙ୍କର ପରଜା(୪)ଙ୍କୁ ନେଇ ତାଙ୍କ ସଂସାର ଚାଲିଥିଲା । ପୁଅ କୁଲି କାମ କରି ୭ ପ୍ରାଣୀଙ୍କୁ ପୋଷୁଥିଲା । ଦାଉ ସାଧିଲା ଦଇବ । ୨ ବର୍ଷ ତଳେ ହଠାତ୍ ପୁଅର ମୃତୁ୍ୟ ହୋଇଗଲା । ଏହି ଦୁଃଖ ମନରୁ ନଲିଭୁଣୁ ବର୍ଷେ ତଳେ ବୋହୂର ମୃତୁ୍ୟ ହୋଇଗଲା । ଅନାଥ ହୋଇଗଲେ ୪ ନାତିନାତୁଣୀ । ପୁଅବୋହୂ ପରେ ସେମାନଙ୍କ ସବୁ ଦାୟିତ୍ୱ ତାଙ୍କ ଉପରେ ପଡିଛି ।
ଖିଲପୁଟ ପ୍ରାଥମିକ ବିଦ୍ୟାଳୟରେ ରିଙ୍କି ଚତୁର୍ଥ, ଈଶ୍ୱର ତୃତୀୟ, ସଭାପତି ପ୍ରଥମ ଶ୍ରେଣୀରେ ପଢୁଥିବା ବେଳେ ଶଙ୍କର ଅଙ୍ଗନବାଡି କେନ୍ଦ୍ରକୁ ଯାଉଛି । ପଦ୍ମାଙ୍କୁ ମାସକୁ ୫୦୦ ଟଙ୍କା ଭତ୍ତା ଓ ୨୫ କେଜି ଚାଉଳ ମିଳୁଛି । ଏଥିରେ ୫ ପ୍ରାଣୀ କୁଟୁମ୍ବ ଚଳିବା କାଠିକର ପାଠ । ମାସେ ତଳେ ଜ୍ୱରରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇଛନ୍ତି ପଦ୍ମା । ଭାତ ଗଣ୍ଡାଏ ଫୁଟାଇବାକୁ ବଳ ନାହିଁ । ତାଙ୍କ ପରିବାରର ଏପରି ଅବସ୍ଥା ଦେଖି ଗାଁ ଲୋକେ ପାଳିକରି ଖାଇବାକୁ ଦେଉଛନ୍ତି । ଓଳିଏ ଖାଇଲେ ଆର୍ ଓଳି ଉପାସରେ ରହୁଛନ୍ତି । ପୁଅର ମୃତୁ୍ୟକୁ ଦେଢ ବର୍ଷ ବିତିଯାଇଥିଲେ ମଧ୍ୟ ପରିବାର ମଙ୍ଗଳ ଯୋଜନାରେ ଆଜି ପର୍ଯ୍ୟନ୍ତ ତାଙ୍କ ପରିବାରକୁ ଆର୍ଥିକ ସହାୟତା ମିଳିନାହିଁ । ଯୋଗ୍ୟ ହିତାଧିକାରୀ ହୋଇଥିଲେ ବି ବିପିଏଲ୍ ତାଲିକାରେ ତାଙ୍କ ନାଁ ନଥିବା କହିଛନ୍ତି ପଦ୍ମା । ତାଙ୍କ ଅନ୍ତେ ଅନାଥ କୁନି କୁନି ୪ ନାତିନାତୁଣୀଙ୍କ ଅବସ୍ଥା କ’ଣ ହେବ, ତାକୁ ନେଇ ଦିନରାତି ଚିନ୍ତାରେ ଘାରି ହେଉଛନ୍ତି ।
ପଦ୍ମାଙ୍କ ପରିବାରର ଏଭଳି ପରିସ୍ଥିତି ଶୁଣିବା ପରେ ସହାୟତାର ହାତ ବଢାଇଛି ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁÂାନ ‘ନିଃସହାୟଙ୍କ ସ୍ୱର’ । ସଂଗଠନର କର୍ମକର୍ତ୍ତାମାନେ ଗାଁରେ ପହଞ୍ଚି ପ୍ରଥମେ ପଦ୍ମାଙ୍କ ନାଁରେ ବ୍ୟାଙ୍କରେ ଖାତା ଖୋଲିଥିଲେ । ପରେ ଦିଗାପୁର ସରପଞ୍ଚଙ୍କ ଦ୍ୱାରା ଏକ ପ୍ରମାଣପତ୍ର ପ୍ରସ୍ତୁତ କରାଯାଇଥିଲା । ପଦ୍ମାଙ୍କୁ ପରିବାର ମଙ୍ଗଳ ଯୋଜନାରେ ୨୦ ହଜାର ଟଙ୍କା ଦେବା ଲାଗି ବ୍ଲକ୍ ଅଧ୍ୟକ୍ଷ ଓ ମଙ୍ଗଳ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି । ଏଥିସହ ତାଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବା ଏବଂ ଅନାଥ ପିଲାଙ୍କ ଥଇଥାନ ଦିଗରେ ବ୍ୟବସ୍ଥା କରିବା ଲାଗି ପଞ୍ଚାୟତ ଓ ବ୍ଲକ୍ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଥଇଥାନ ବ୍ୟବସ୍ଥା କରାନଗଲେ କୋର୍ଟର ଦ୍ୱାରସ୍ଥ ହେବେ ବୋଲି ସଂଘ ସଭାପତି ରାଧାବିନୋଦ ସାମନ୍ତରାୟ ଓ ଉପସଭାପତି ଟୁଲୁ ରଥ, ବଦ୍ରି ଆଚାର୍ଯ୍ୟ ପ୍ରମୁଖ କହିଛନ୍ତି ।
ଏ ସମ୍ପର୍କରେ ବ୍ଲକ୍ ସାମାଜିକ ମଙ୍ଗଳ ଅଧିକାରୀ ସୁମିତ୍ରା ଖରାଙ୍କୁ ପଚାରିବାରୁ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରି ତୁରନ୍ତ ସହାୟତା ଯୋଗାଇବା ଦିଗରେ ପଦକ୍ଷେପ ନେବେ ବୋଲି କହିଛନ୍ତି ।


Comments are closed, but trackbacks and pingbacks are open.