୪ ଦିନ ଲଗାଣ ବର୍ଷା

Get real time updates directly on you device, subscribe now.

ଭୁବନେଶ୍ୱର: ମୌସୁମୀକୁ ଧରି ଆସୁଛି ଲଘୁଚାପ । ବଙ୍ଗୋପସାଗରରେ ଲଘୁଚାପ ପାଇଁ ଦାନା ବାନ୍ଧି ସାରିଲାଣି । ଏହା ୧୦ରୁ ୧୪ ତାରିଖ ଯାଏଁ ବର୍ଷିବ । ଉପକୂଳରୁ ଆଭ୍ୟନ୍ତରୀଣ ପର୍ଯ୍ୟନ୍ତ ଲଗାଣ ବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଏଭଳି ବର୍ଷାରେ ବିଭିନ୍ନ ନଦୀ ଉଛୁଳିପାରେ । ବନ୍ୟା ସ୍ଥିତି ଉପୁଜିପାରେ । ସହରାଞ୍ଚଳର ତଳି ଇଲାକାରେ ଜଳବନ୍ଦୀ ସମସ୍ୟା ହୋଇପାରେ । ପାହାଡ଼ିଆ ଜାଗାରେ ଭୂସ୍ଖଳନ ଆଶଙ୍କା ବି ରହିଛି । ଏ ନେଇ ସତର୍କ କରାଇଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା । ସମସ୍ତ ଜିଲ୍ଲାପାଳ ଏବଂ ମହାନଗର ନିଗମ କମିଶନରଙ୍କୁ ସତର୍କତା ପଦକ୍ଷେପ ପାଇଁ ନିଦେ୍ର୍ଧଶ ଜାରି ହୋଇଛି । ସ୍ଥିତି ମୁକାବିଲା ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବା ସହ ଆବଶ୍ୟକସ୍ଥଳେ ଲୋକଙ୍କୁ ନିରାପଦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ ପାଇଁ ଏସଆରସି ନିଦେ୍ର୍ଧଶ ଦେଇଛନ୍ତି ।
ଅନ୍ୟପକ୍ଷରେ କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ସତର୍କ କରାଇଛନ୍ତି ଯେ, ଆସନ୍ତା ୧୮ ତାରିଖବେଳକୁ ଆଉ ଏକ ଲଘୁଚାପ ଆସିପାରେ । ଯାହାକି ମୌସୁମୀର ପ୍ରଥମ ପର୍ଯ୍ୟାୟ ବର୍ଷା ତୁଳନାରେ ଓଡ଼ିଶାରେ ଅଧିକ ବର୍ଷା କରାଇବ ।
ଭାରତୀୟ ପାଣିପାଗ ବିଭାଗ କହିଛି, ଦକ୍ଷିଣ-ପଶ୍ଚିମ ମୌସୁମୀ ଆଜି ମୁମ୍ବାଇରେ ପ୍ରବେଶ କରିଛି । ଓଡ଼ିଶା ଆଗମନ ପାଇଁ ପାଗ ଅନୁକୂଳ ରହିଛି । ଆସନ୍ତା ଦୁଇଦିନରେ ସାରା ଓଡ଼ିଶାକୁ ବ୍ୟାପିଯିବ ମୌସୁମୀ ।
ପୂର୍ବ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ୧୧ ତାରିଖ ସୁଦ୍ଧା ଉତ୍ତର ବଙ୍ଗୋପସାଗରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ୧୨ ତାରିଖବେଳକୁ ଏହା ଆହୁରି ଘନୀଭୂତ ହେବ । ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୧୦ରୁ ୧୪ ଯାଏଁ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ଓ କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ଅଛି ।
୧୦ ତାରିଖ (ଗୁରୁବାର) ଅଧିକାଂଶ ଜାଗାରେ ବର୍ଷା ହୋଇପାରେ । କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର ଜିଲ୍ଲାର କିଛି ଜାଗାରେ ପ୍ରବଳରୁ ଅତି ପ୍ରବଳ ଓ ସ୍ଥାନେ ସ୍ଥାନେ ଅତ୍ୟନ୍ତ ପ୍ରବଳ ବର୍ଷା ଅଜାଡ଼ିବା ଆଶଙ୍କା ଅଛି । ଏମିତି ହେଲେ କିଛି ସ୍ଥାନରେ ପାଣି ଜମିବା ସହ ଆକସ୍ମିକ ବନ୍ୟା ସ୍ଥିତି ଆସିପାରେ । ଏହାବାଦ୍ ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ଯାଜପୁର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ବରଗଡ଼, ମାଲକାନଗିରି, କୋରାପୁଟ,କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, ନବରଙ୍ଗପୁରର ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।
ଶୁକ୍ରବାର (୧୧ ତାରିଖ) ଅଧିକାଂଶ ଜାଗାରେ ବର୍ଷା ହେବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଅନୁଗୁଳ, ଢେଙ୍କାନାଳର କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଏବଂ ଗୋଟିଏ ଦୁଇଟି ଜାଗାରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, କେନ୍ଦୁଝର, ମୟୂରଭଞ୍ଜର ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ହୋଇପାରେ । ୧୨ ତାରିଖ (ଶନିବାର) ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ବିଶେଷ କରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗିର, ସୋନପୁର, ବୌଦ୍ଧ, ବରଗଡ଼, ସମ୍ବଲପୁର, ଅନୁଗୁଳରେ ପ୍ରବଳରୁ ଅତି ପ୍ରବଳ ଏବଂ ଅତ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା ଅଛି । କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୧୩ରେ ଦକ୍ଷିଣ ଓ ଉତ୍ତର-ପଶ୍ଚିମ ଓଡ଼ିଶାର ଅନେକ ଜାଗାରେ ବର୍ଷା ହେବ । ସମୁଦ୍ର ଅଶାନ୍ତ ଯୋଗୁ ୧୦ରୁ ସମୁଦ୍ରକୁ ନଯିବା ପାଇଁ ସତର୍କ ସୂଚନା ଜାରି ହୋଇଛି ।
ଲଗାଣ ବର୍ଷା ହେଲେ ବନ୍ୟା ସହ ତଳି ଇଲାକାରେ ଜଳବନ୍ଦୀ ସମସ୍ୟା ଉପୁଜିପାରେ । ତେଣୁ ଏସଆରସି ନିଦେ୍ର୍ଧଶ ଦେଇଛନ୍ତି, ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମ କାର୍ଯ୍ୟାଳୟ ୨୪ ଘଣ୍ଟିଆ କଣ୍ଟେ୍ରାଲ ରୁମ୍ ଚଳାଇବେ । ଜଳ ସମ୍ପଦ ବିଭାଗର ଯନ୍ତ୍ରୀମାନେ ନଦୀ ବନ୍ଧ ଉପରେ ନଜର ରଖିବେ । ଯେଉଁଠାରେ ନଦୀବନ୍ଧ ଦୁର୍ବଳ ଅଛି, ତାହା ଉପରେ କଡ଼ା ନଜର ରଖିବାକୁ କୁହାଯାଇଛି । ଡ୍ରେନରେ ଯେପରି ବର୍ଷା ଜଳ ବିନା ବାଧାରେ ନିଷ୍କାସିତ ହୋଇପାରିବ, ସେଥିପାଇଁ ତାହାକୁ ସଫା ରଖିବାକୁ ତାଗିଦ୍ କରାଯାଇଛି । ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ରହିଛି । ତେଣୁ ଭୂସ୍ଖଳନ ପ୍ରବଣ ଅଞ୍ଚଳରେ କ୍ଷୟକ୍ଷତି ରୋକିବାକୁ ସତର୍କତା ପଦକ୍ଷେପ ନେବା ସହ ପାହାଡ଼ ତଳି ଅଞ୍ଚଳରୁ ଲୋକଙ୍କୁ ନିରାପଦ ସ୍ଥାନକୁ ନେବା ପାଇଁ କୁହାଯାଇଛି ।
ଲୋକଙ୍କ ସ୍ଥାନାନ୍ତର ପାଇଁ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖିବାକୁ ଜିଲ୍ଲା ପ୍ରଶାସନକୁ ନିଦେ୍ର୍ଧଶ ଦେଇଛନ୍ତି ଏସଆରସି । କୋଭିଡ୍ ସମୟରେ ସାମାଜିକ ଦୂରତା ରକ୍ଷା କରି ସ୍ଥାନାନ୍ତରଣ ନେଇ ବ୍ୟବସ୍ଥା ହେବ । ଅଗ୍ନିଶମ ବାହିନୀକୁ ମଧ୍ୟ ପ୍ରସ୍ତୁତ ଓ ସଜାଗ ରହିବାକୁ କୁହାଯାଇଛି । ବର୍ଷା ବା ବନ୍ୟାରେ ଯାହା ଘର କ୍ଷତିଗ୍ରସ୍ତ ହେବ, ତାଙ୍କୁ ତୁରନ୍ତ ପଲିଥିନ ସିଟ୍ ଯୋଗାଇବାକୁ ପ୍ରଶାସନକୁ କୁହାଯାଇଛି । ଲଗାଣ ବର୍ଷା ଓ ବନ୍ୟା ଆଶଙ୍କା ଥିବାରୁ ରାସ୍ତାଘାଟ, ବିଜୁଳି ଓ ଟେଲିକମର ତୁରନ୍ତ ପୁନରୁଦ୍ଧାର ପାଇଁ ପ୍ରସ୍ତୁତ ରହିବାକୁ ଏସଆରସି ନିଦେ୍ର୍ଧଶ ଦେଇଛନ୍ତି ।
ତେବେ ଜୁନ୍ ୧୧ରୁ ଆରମ୍ଭ ହେଉଥିବା ପ୍ରଥମ ପର୍ଯ୍ୟାୟ ମୌସୁମୀ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା କରାଇବ । ଉତ୍ତର ଉପକୂଳର କେନ୍ଦ୍ରାପଡ଼ା ଓ ଭଦ୍ରକରେ ସବୁଠୁ କମ୍ ବର୍ଷା ସମ୍ଭାବନା ଅଛି । ଆନ୍ଧ୍ର ଏବଂ ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ସବୁଠୁ ଅଧିକ ବର୍ଷା ହୋଇପାରେ । କାରଣ ସମ୍ଭାବ୍ୟ ଅବପାତ ଆଭ୍ୟନ୍ତରୀଣ ଦକ୍ଷିଣ ଓ ସଂଲଗ୍ନ ପଶ୍ଚିମ ଓଡ଼ିଶାରେ ଥିବାବେଳେ ଏହାର ଦକ୍ଷିଣ ଭାଗରେ ଅଧିକ ମେଘ ସୃଷ୍ଟି ହେବ । ଜୁନ୍ ୧୮ ବେଳକୁ ଆଉ ଏକ ଲଘୁଚାପ ସମ୍ଭାବନା ଅଛି । ଏହା ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ପ୍ରଥମ ପର୍ଯ୍ୟାୟ ଅପେକ୍ଷା ଦ୍ୱିତୀୟ ପର୍ଯ୍ୟାୟରେ ଅଧିକ ବର୍ଷା ହେବ ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons