୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

Get real time updates directly on you device, subscribe now.

ଜୟପୁର,(ବି.ବି.ନୁ୍ୟଜ୍): ୟୁପି ଚାଲାଣ ବେଳେ ପୁଣି ଜବତ ହୋଇଛି ୭ କ୍ୱିଣ୍ଟାଲକୁ ଅଧିକ ଗଞ୍ଜେଇ । ଏହି କାରବାରରେ ଜଣେ ପୂର୍ବତନ ବିଏସ୍ଏଫ୍ ଏସ୍ଆଇଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ହେଲେ ଉତ୍ତରପ୍ରଦେଶ ବରେଲି ଜିଲ୍ଲାର ରାହୁଲ ପ୍ରତାପ ସିଂ(୩୭), ମେରଟ ଡିଫେନ୍ସ କଲୋନିର ସୁରେନ୍ଦ୍ର ସିଂ(୫୫) ଏବଂ କୋରାପୁଟ ଜିଲ୍ଲା ପାଡୁଆ ଥାନା ଖମାର ଅଞ୍ଚଳର ପ୍ରଫୁଲ୍ଲ ଖେମୁଣ୍ଡୁ ଓରଫ ରାହୁଲ(୨୪) । କାରବାରରେ ବ୍ୟବହୃତ ଏକ ଟ୍ରକ୍, କାର୍ ଓ ବାଇକ୍ ସହ ନଗଦ ୯ ହଜାର ୯୦୦ ଟଙ୍କା ଏବଂ ୩ଟି ମୋବାଇଲ ଜବତ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ଆକଳନ କରିଛି । ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ ପଠାଇ ଦିଆଯାଇଛି । ଅଭିଯୁକ୍ତ ସୁରେନ୍ଦ୍ର ପୂର୍ବରୁ ବିଏସ୍ଏଫ୍ରେ ଜଣେ ଏସ୍ଆଇ ଭାବେ କାମ କରୁଥିଲେ । ଗଞ୍ଜେଇ ଚାଲାଣ ବେଳେ ଯାଞ୍ଚରୁ ବଞ୍ଚିବା ଲାଗି ସେ ନିଜ କାରରେ ଆର୍ମି ଲୋଗୋ ବ୍ୟବହାର କରୁଥିଲେ ବୋଲି ସଦର ଥାନା ଓଆଇସି ଆଦିତ୍ୟ ମହାକୁଡ କହିଛନ୍ତି ।
୧୫ ତାରଖ ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଗଞ୍ଜେଇ ଚାଲାଣ ସମ୍ପର୍କରେ ଓଆଇସି ଶ୍ରୀ ମହାକୁଡଙ୍କୁ ଖବର ମିଳିଥିଲା । ଏହାପରେ ସେ ଏସ୍ଆଇ ନବୀନ କୁମାର ଟପୋ, ଗଣେଶ ପ୍ରସାଦ ବେହେରା ଏବଂ ଅନ୍ୟ କର୍ମଚାରୀଙ୍କୁ ସାଙ୍ଗରେ ଧରି ଆମ୍ବାଗୁଡା ଗସ୍ତ କରିଥିଲେ । ଆମ୍ବାଗୁଡା କୋଲ୍ଡଷ୍ଟୋର ପାଖ ଏକ ସ୍ଥାନରେ ୫ରୁ ୬ଜଣ ବ୍ୟକ୍ତି ଏକ ଟ୍ରକ(ୟୁପି ୧୫ ସିଟି-୨୮୪୮)ରେ ଗଞ୍ଜେଇ ଲୋଡ୍ କରୁଥିଲେ । ପୁଲିସକୁ ଦେଖି ସମସ୍ତେ ଦୌଡିବା ଆରମ୍ଭ କରିଥିଲେ । ସେମାନଙ୍କ ପିଛା କରି ୩ ଜଣଙ୍କୁ ଗିରଫ କରିଥିଲା ପୁଲିସ୍ । ଅନ୍ୟମାନେ ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ଥିବା କାର୍(ଡିଏଲ୍୪ ସିଏଇ-୮୬୧୭) ଏବଂ ବାଇକ୍ (ଓଡି ୧୦ ଏନ୍-୧୨୧୯) ଜବତ କରାଯାଇଥିଲା । ଯାଞ୍ଚ ବେଳେ ଗାଡିରେ ୮୯ଟି ପ୍ୟାକଟେରେ ରହିଥିଲା ଗଞ୍ଜେଇ । ମାଜିଷ୍ଟେ୍ରଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା । ପଚରାଉଚରା ବେଳେ ଗଞ୍ଜେଇ ପାଡୁଆରୁ ଉତ୍ତରପ୍ରଦେଶ ଚାଲାଣ ହେଉଥିବା ଅଭିଯୁକ୍ତମାନେ ମାନିଥିଲେ । ପାଡୁଆର ପ୍ରଫୁଲ୍ଲ ଅଗ୍ରୀମ ଟଙ୍କା ନେଇ ଗଞ୍ଜେଇ ସଂଗ୍ରହ କରି ଯୋଗାଉଥିଲା । କାରବାରରେ ଜଡ଼ିତ ଅନ୍ୟମାନଙ୍କୁ ଧରିବା ଲାଗି ପୁଲିସ୍ ଉଦ୍ୟମ ଜାରି ରହିଛି । ଏ ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଏସ୍ଆଇ ଶଙ୍କର ପଣ୍ଡା ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।
ଓଆଇସି ଶ୍ରୀ ମହାକୁଡ କହିଛନ୍ତି ଯେ ଅଭିଯୁକ୍ତ ସୁରେନ୍ଦ୍ର କହିଛି, ପୂର୍ବରୁ ସେ ବିଏସ୍ଏଫରେ ଚାକିରି କରୁଥିଲା । ଏଫଏଚ୍କୁ୍ୟରେ ଥିବା ବେଳେ ବାରାମୂଳାରେ ଡୁ୍ୟଟି ସମୟରେ ଏକ ମିଶନରେ କ୍ରସ୍ ଫାୟାରିଂ ବେଳେ ତା ଦେହରେ ଗୁଳି ବାଜିଥିଲା । ଗୁରୁତର ଆହତ ହୋଇ ଚାକିରିରୁ ୨୦୦୬ ଏପ୍ରିଲ ମାସରେ ଅବସର ନେଇଥିଲା । ଅଧିକ ରୋଜଗାର ଆଶାରେ ଗଞ୍ଜେଇ କାରବାର ଆରମ୍ଭ କରିଥିଲା । ଗତ ଅଗଷ୍ଟ ୨୮ ତାରିଖରେ କୋରାପୁଟ ଆସି ଗଞ୍ଜେଇ ନେଇ ସୁରୁଖୁରୁରେ ଖସିଯିବାରେ ସଫଳ ହୋଇଥିଲା । ଅନ୍ୟ ଅଭିଯୁକ୍ତ ରାହୁଲ ସିଂର ଭାଇ ବି ଆର୍ମିରେ ଚାକିରି କରୁଥିବା ସେ କହିଛି । ସେମାନେ ଏଠାରୁ ଗଞ୍ଜେଇ ନେଇ ଅନ୍ୟମାନଙ୍କୁ ଅଧିକ ଦରରେ ବିକ୍ରି କରୁଥିଲା । ଅବିଭକ୍ତ କୋରାପୁଟ ଜିଲ୍ଲାରେ ବିଏସ୍ଏଫ ସହ ଅନ୍ୟ ସୁରକ୍ଷାବଳଙ୍କ କ୍ୟାମ୍ପ୍ ରହିଛି । ଚାଲାଣ ବେଳେ ସେମାନେ ଯାଞ୍ଚରୁ ବର୍ତ୍ତିବା ଲାଗି କାର୍ ଆଗରେ ଏବଂ ପଛରେ ଆର୍ମି ଲୋଗୋ ବ୍ୟବହାର କରୁଥିଲେ । ଯାଞ୍ଚ ବେଳେ ସେମାନେ ଆର୍ମି କର୍ମଚାରୀ ବୋଲି କହି ଆରାମରେ ଖସିଯାଉଥିଲେ । ତେବେ ବିଏସ୍ଏଫ୍ରେ ସୁରେନ୍ଦ୍ର କାମ କରୁଥିଲା କି ନାହିଁ ସେ ସମ୍ପର୍କରେ କିଛି ଦସ୍ତାବିଜ ଦେଇନାହିଁ । ଏହାର ତଦନ୍ତ ଚାଲିଥିବା ଶ୍ରୀ ମହାକୁଡ଼ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons