ବସ୍ତା,(ବି.ବି.ନୁ୍ୟଜ୍): ବସ୍ତା ତଥା ଆଖପାଖ ଅଞ୍ଚଳରେ ଦିନକୁ ଦିନ ବ୍ରାଉନସୁଗର ବ୍ୟବସାୟ ବଢି ଚାଲିଛି । ଏହି ବେପାରକୁ ରୋକିବା ଲାଗି ପୁଲିସ ପକ୍ଷରୁ ବ୍ୟାପକ ଚଢ଼ଉ କରାଯାଉଛି । ହେଲେ ପୁଲିସ ଆଖିରେ ଧୂଳି ଦେଇ ନିଶା ବେପାରୀମାନେ ବ୍ରାଉନସୁଗରର ଅବାଧ ବେପାର କରୁଥିବା ଦେଖିବାକୁ ମିଳିଛି । ମଙ୍ଗଳବାର ସିଂଲା ଥାନା ଅନ୍ତର୍ଗତ କାଦରାୟାଁ -ପାଉଁଶକୁଲି ରାସ୍ତାରେ ପୁଲିସ ପାଟୋ୍ରଲିଂ କରୁଥିବା ବେଳେ ଜନୈକ ବାଇକ୍ ଆରୋହୀ ଠାରୁ ୫୧ ଗ୍ରାମର ବ୍ରାଉନସୁଗର ସହ ନଗଦ ଟଙ୍କା ଜବତ କରିଛି । ଏ ନେଇ ବସ୍ତା ଥାନା ଏସଡିପିଓ ଜଳଧର ଜାଲି ଓ ସିଂଲା ଥାନା ଆଇଆଇସି ପ୍ରଶାନ୍ତ କୁମାର ଜେନା ସୂଚନା ଦେଇଛନ୍ତି ।
ଘଟଣାରୁ ପ୍ରକାଶ, ମଙ୍ଗଳବାର ଅପରାହ୍ନରେ ବିଶସ୍ତ ସୂତ୍ରରୁ ବ୍ରାଉନସୁଗର ଚାଲାଣ ହେଉଥିବା ଖବର ପାଇ ଥିଲା ସିଂଲା ଥାନା ପୁଲିସ । ଏସ୍ଆଇ ଏନ୍ଏନ୍ ସୁତାରଙ୍କ ସହ ଥାନାର ଅନ୍ୟ ପୁଲିସ କର୍ମଚାରୀମାନେ କାଦରାୟାଁ-ପାଉଁଶକୁଲି ରାସ୍ତାରେ ପାଟ୍ରୋଲିଂ କରୁଥିବା ବେଳେ ଆମ୍ବକୁଡୁଚି ଗ୍ରାମର ବାତ୍ୟା ଆଶ୍ରୟସ୍ଥଳୀ ନିକଟରେ କାଦରାୟାଁ ଗାଁର ସେଖ୍ ଇବ୍ରାହିମ୍ଙ୍କ ପୁଅ ସେଖ୍ ତାହିର (୩୭) ଓଡି-୦୧-ଟି-୧୫୮୭ ନଂର ଏକ ବାଇକ୍ରେ ଜଳେଶ୍ୱର ଅଭିମୁଖେ ଆସୁଥଲେ । ତାକୁ ଅଟକ ରଖି ଯାଞ୍ଚ କରିଥିଲା ପୁଲିସ । ଯାଞ୍ଚ ସମୟରେ ତା’ ନିକଟରୁ ୫୧ ଗ୍ରାମ ବ୍ରାଉନସୁଗର ସହିତ ନଗଦ ୨ଲକ୍ଷ ୪୫ହଜାର ଟଙ୍କା ବାହାରିଥିଲା । ଏ ନେଇ ପୁଲିସ ଅଧିକ ଖୋଳତାଡ଼ କରିବାରୁ ସେ ବ୍ରାଉନସୁଗର ବ୍ୟବସାୟ ପାଇଁ ଜଳେଶ୍ୱର ଯାଉଥିବା ସ୍ୱୀକାର କରିଥିଲା । ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହିତ ଜବତ ବ୍ରାଉନସୁଗର, ଟଙ୍କା, ବାଇକ୍ ଓ ୨ଟି ମୋବାଇଲକୁ ଜବତ କରିଥିଲା । ବୁଧବାର ପୁଲିସ ୯/୨୦ନଂ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବ୍ରାଉନ ସୁଗାର ବେପାରୀକୁ କୋର୍ଟଚାଲାଣ କରିଛି । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୫ଲକ୍ଷ ୧୦ହଜାର ହେବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ । ଅଭିଯୁକ୍ତ ଜଣକ ଦୀର୍ଘ ୧ ବର୍ଷ ଧରି ଏହି ମାରାତ୍ମକ ନିଶା ବ୍ରାଉନସୁଗର ବ୍ୟାବସାୟ କରିଆସୁଥିଲା । ତେବେ ଏହି ବ୍ୟବସାୟରେ ସମ୍ପୃକ୍ତ ର୍ୟାକେଟ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।
Comments are closed, but trackbacks and pingbacks are open.