୫ ଜିଲ୍ଲାରେ ପ୍ରବଳ ବର୍ଷା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଉତ୍ତର ଆଣ୍ଡାମାନରେ ସୃଷ୍ଟ ଲଘୁଚାପ ଆଜି ବଙ୍ଗୋପସାଗରରେ ଅବପାତର ରୂପ ନେଇଛି । ଯାହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୀଷଣ ଅବପାତରେ ପରିଣତ ହେବ । ଏହାର ପ୍ରଭାବରେ ୧୨ ତାରିଖ ସକାଳରୁ ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ ଓ କୋରାପୁଟର କେତେକ ଅଂଚଳରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗବିତ୍ ପୂର୍ବାନୁମାନ କରିଛନ୍ତି । ଏହି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ଚିଠି ଲେଖିଛନ୍ତି । ସେହିପରି ଗୋପାଳପୁର ବନ୍ଦର ପାଇଁ ୩ ନମ୍ବର ସତର୍କ ସଙ୍କେତ ଦିଆଯିବା ସହିତ ୧୩ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବେ ବାରଣ କରାଯାଇଛି । ଅପରପକ୍ଷେ ୧୭ ତାରିଖରୁ ଆଉ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗବିତ୍ ଆକଳନ କରିଛନ୍ତି ।
କୃଷି ପାଣିପାଗବିତ୍ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ ଲଘୁଚାପ ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ଅଛି । ୧୨ ତାରିଖ ରାତିରେ ବିଶାଖାପାଟଣା ଦକ୍ଷିଣର ଆନ୍ଧ୍ର ଉପକୂଳରେ ଗଭୀର ଅବପାତର କେନ୍ଦ୍ର ଛୁଇଁବ । ତେବେ ୧୩ରେ ଏହା ସ୍ଥଳଭାଗକୁ ସମ୍ପୂର୍ଣ୍ଣ ଭାବେ ପ୍ରବେଶ କରିବ । ଯାହା ପଶ୍ଚିମ ଆଡକୁ ମୁହାଁଇବ । ୧୪ ତାରିଖରେ ଏହାର ବିସ୍ତୃତି ବଢ଼ିବ । ଯାହାକି ମିଅାଁମାରଠାରୁ ମହାରାଷ୍ଟ୍ର ସଂଲଗ୍ନ ଆରବ ସାଗର ପର୍ଯ୍ୟନ୍ତ ବ୍ୟାପ୍ତ ରହିବ । ଆରବ ସାଗରରେ ଏହା ଲଘୁଚାପ ବା ଅବପାତ ରୂପ ନେଇପାରେ । ତେବେ ସମଗ୍ର ଉପକୂଳ ଓଡ଼ିଶାରେ ଏହାର ପ୍ରବଳ ପ୍ରଭାବ ରହିବ । ୧୬ ତାରିଖ ଦିନ ସମଗ୍ର ଓଡ଼ିଶା ଉପକୂଳ ଓ ସଂଲଗ୍ନ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଯାହାକି ବିସ୍ତୃତ ଲଘୁଚାପର ଅଂଶ ବିଶେଷ ରହିବ । ସେତେବେଳକୁ ମିଆଁମାର ନିକଟ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଯାହା ୧୭ରେ ଲଘୁଚାପରେ ପରିଣତ ହେବ । ୧୮ରେ ଏହା ଓଡ଼ିଶା ଓ ଏହା ସଂଲଗ୍ନ ପଶ୍ଚିମବଙ୍ଗ, ଉତ୍ତର ଆନ୍ଧ୍ର ଉପକୂଳ ଆଡକୁ ମୁହାଁଇପାରେ । ଏହି ଦୁଇଟି ଯାକ ଲଘୁଚାପର ପ୍ରଭାବରେ ୧୨ ତାରିଖ ସକାଳ ପରେ ରାଜ୍ୟରେ ବର୍ଷା ଆରମ୍ଭ ହେବ । ପୁରୀ, ଗଞ୍ଜାମ ଓ ନୟାଗଡ଼ରେ ପ୍ରାୟତଃ ଭାରୀ(୬୫ ମିଲିମିଟର ପର୍ଯ୍ୟନ୍ତ) ବର୍ଷା ହୋଇପାରେ । ତେବେ ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଅବଶିଷ୍ଟ ଅଞ୍ଚଳରେ ସ୍ୱଳ୍ପ ବର୍ଷା ହେବ । ୧୩ ତାରିଖରେ ପାଗ ଅପରିବର୍ତ୍ତିତ ରହିବ । ୧୪ରେ ଗଜପତି, କନ୍ଧମାଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ୧୫ ଓ ୧୬ ତାରିଖରେ ସମଗ୍ର ଉପକୂଳ, ଆଭ୍ୟନ୍ତରୀଣ ଦକ୍ଷିଣରେ ବର୍ଷା ହେବ । ପୁରୀ ଓ ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଉପକୂଳର କେତେକ ସ୍ଥାନରେ ଭାରୀ ବର୍ଷା ହେବ । ବାକି ସ୍ଥାନଗୁଡିକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ୧୬ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ପ୍ରଫେସର ପଶୁପାଳକ ପୂର୍ବାନୁମାନ କରିଛନ୍ତି । ତେବେ ୧୬ ତାରିଖରେ ସମ୍ଭାବ୍ୟ ଲଘୁଚାପର ରୂପ, ପ୍ରକୋପ ଓ ଗତିପଥ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons