ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘର ସଂକଳ୍ପ ସମାବେଶ ଓ ସମ୍ବର୍ଦ୍ଧନା ସଭା ଆଜି ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ଆରମ୍ଭ କରିଥିବା ‘୫ ଟି’ ମନ୍ତ୍ରକୁ ଠିକଣା ଭାବେ ପାଳନ କରିବାକୁ ୫୦୦ ଡିପ୍ଲୋମା ଇଞ୍ଜିନିୟର ଆଜି ସଂକଳ୍ପ ନେଇଛନ୍ତି । ପର୍ଯ୍ୟାୟକ୍ରମେ ସମସ୍ତ ୮ ହଜାର ସଭ୍ୟ ସଂକଳ୍ପ ନେବେ ।
ଆଜିର ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ତ୍ତ, ଇସ୍ପାତ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି, ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘ ରାଜ୍ୟର ପ୍ରଥମ ସଂଗଠନ ଭାବେ ମୁଖ୍ୟମନ୍ତ୍ରୀଙ୍କ ‘୫ ଟି’ ମନ୍ତ୍ରକୁ କାର୍ଯ୍ୟକାରୀ କରିବାକୁ ସଂକଳ୍ପ ନେଇଛି । ଏହାକୁ ଠିକ୍ ଭାବେ ପାଳନ କଲେ ରାଜ୍ୟର ଉନ୍ନତି ନିଶ୍ଚିତ ଭାବେ ହେବ । ଜଳସେଚନଠୁ ଆରମ୍ଭ କରି ବିଲ୍ଡିଂ ଆଉ ରାସ୍ତା ସବୁର ନିର୍ମାଣରେ ଡିପ୍ଲୋମା ଇଞ୍ଜିୟରମାନେ ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଅନ୍ତି । ଠିକ୍ ସମୟରେ ଆଉ ନିଷ୍ଠାର ସହ କାମ କଲେ । କାର୍ଯ୍ୟରେ ସଫଳତା ନିଶ୍ଚିତ ମିଳିବ ।
ପଞ୍ଚାୟତିରାଜ, ଗୃହ ନଗର ଉନ୍ନୟନ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଡିପ୍ଲୋମା ଇଞ୍ଜିନିୟରମାନେ ସରକାରୀ କର୍ତ୍ତବ୍ୟକୁ ଠିକ୍ ଭାବେ ପାଳନ କରିବା ସହ ଜନସାଧାରଣଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରି ଆସ୍ଥାଭାଜନ ହେବାକୁ ପରାମର୍ଶ ଦେଇଛନ୍ତି ।
କୃଷି ଓ କୃଷକ ସଶକ୍ତିରଣ ଓ ଉଚ୍ଚଶିକ୍ଷାମନ୍ତ୍ରୀ ଡ. ଅରୁଣ ସାହୁ କହିଛନ୍ତି, ରାଜ୍ୟ ସରକାର ଏ ବର୍ଷ ବଜେଟରେ ନିର୍ମାଣ ପାଇଁ ଭଣ୍ଡାର ଖୋଲି ଦେଇଛନ୍ତି । ପୂର୍ତ୍ତ ବଜେଟ ୪,୪୦୦ କୋଟି ହୋଇଥିବା ବେଳେ କୃଷି ୮,୫୦୦, ଗ୍ରାମ୍ୟ ଉନ୍ନୟନ, ନଗର ଉନ୍ନୟନ ଆଉ ଜଳସେଚନ ବଜେଟ ମଧ୍ୟ ବହୁ ମାତ୍ରାରେ ବଢିଛି । ସରକାର ଏ ଟଙ୍କାରେ ଯେଉଁ ସବୁ ଯୋଜନା କରୁଛନ୍ତି, ଏହାକୁ ତୃଣମୂଳରେ ବାସ୍ତବ ରୂପ ଦେଉଛନ୍ତି ଡିପ୍ଲୋମା ଇଞ୍ଜିନିୟରମାନେ । ତୃଣମୂଳ ସ୍ତରରେ ଯେମିତି କାର୍ଯ୍ୟ ହେବ, ତାକୁ ନେଇ ରାଜ୍ୟରେ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାଖଲ କରୁଛନ୍ତି । ନିର୍ମାଣ କାମକୁ ନେଇ ମିଳୁଥିବା ଶ୍ରେୟର ଅନ୍ୟତମ ପ୍ରମୁଖ ହକ୍ଦାର ହେଉଛନ୍ତି ଡିପ୍ଲୋମା ଇଞ୍ଜିନିୟର । ୫ଟିକୁ ନେଇ କାମ କରିବାକୁ ଆଜି ନେଇଥିବା ସଂକଳ୍ପ ନିଶ୍ଚିତ ଭାବେ ପ୍ରଂଶସନୀୟ ।
ଜଳ ସମ୍ପଦ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି, ୫ଟିକୁ ଆଧାର କରି ଡିପ୍ଲୋମା ଇଞ୍ଜିନିୟରମାନେ କାମ କରିବା ସହ ନିଶ୍ଚିତ ଭାବେ ଲୋକଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରି ପାରିବେ । ଅନ୍ୟମାନଙ୍କ ମଧ୍ୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିରଣ ଓ ବିଜ୍ଞାନ କାରିଗର ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ କ୍ରୀଡ଼ା ଏବଂ ସୂଚନା ଓ ବୈଷୟିକ ମନ୍ତ୍ରୀ ତୁଷାରକାନ୍ତି ବେହେରା, ଡିପ୍ଲୋମା ଇଞ୍ଜିନିୟର ସଂଗଠନର ସଂଘୀୟ ମନୋଭାବକୁ ପ୍ରଂଶସା କରିବା ସହ ‘୫ଟି’କୁ ନେଇ ବିକାଶ କରିବାକୁ ଆହ୍ୱାନ ଜଣାଇଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ପରାମର୍ଶଦାତା ତଥା ଢେଙ୍କାନାଳ ସାଂସଦ ମହେଶ ସାହୁ, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ, ପ୍ରକାଶ ଚନ୍ଦ୍ର ମାଝୀ, ସଞ୍ଜିବ କୁମାର ମଲ୍ଲିକ, ଧ୍ରୁବ ଚରଣ ସାହୁ ଅତିଥି ଭାବେ ଉପସ୍ଥିତ ଥିଲେ । ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘର ସଭାପତି ଇଂ ପ୍ରଦୀପ କୁମାର ପାତ୍ର, ସଂଗଠନର ଉପଦେଷ୍ଟା ଇଂ ନରେନ୍ଦ୍ର କୁମାର ନାୟକ ଓ ସଂଗଠନର ପୂର୍ବତନ ସଭାପତି ତଥା କ୍ରିୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ଇଂ ନିର୍ମଳ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.