ଭୁବନେଶ୍ୱର/ଭଦ୍ରକ,(ବି.ବି.ବୁ୍ୟରୋ): ‘୫ଟି’ ସଚିବ ଭିକେ ପାଣ୍ଡିଆନଙ୍କ ଭଦ୍ରକ ଗସ୍ତରୁ ଆଜି ଶାରୀରିକ ଓ ମାନସିକ ଭିନ୍ନକ୍ଷମ ପିଲାମାନଙ୍କୁ ବେଶ ଲାଭ ମିଳିଛି । ୩ ମାସ ହେବ ଶାରୀରିକ ଓ ମାନସିକ ଭିନ୍ନକ୍ଷମମାନଙ୍କୁ ଥଇଥାନ କରୁଥିବା ସଂସ୍ଥାଗୁଡ଼ିକୁ ମିଳିବାକୁ ଥିବା ୩୩ ଲକ୍ଷ ଟଙ୍କା ଟଙ୍କା ମାତ୍ର ୩ ଘଣ୍ଟା ମଧ୍ୟରେ ମଞ୍ଜୁର ହୋଇଛି । ଏ ସଂପର୍କରେ ରିପୋର୍ଟ ପାଇବା ପରେ ମୁଖ୍ୟମନ୍ତ୍ରୀ ଭୀଷଣ କ୍ଷୁବ୍ଧ ହେବା ସହ ଏହାର ତଦନ୍ତ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । କୌଣସି ପରିସ୍ଥିତିରେ ଭିନ୍ନକ୍ଷମମାନଙ୍କ ପ୍ରତି ଏଭଳି ଅବହେଳାକୁ ବରଦାସ୍ତ କରାଯିବନି ବୋଲି ସେ ସ୍ପଷ୍ଟ କରିଛନ୍ତି ।
ଶ୍ରୀ ପାଣ୍ଡିଆନ ଆଜି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଚାନକ ଗସ୍ତ କରିଥିଲେ । ତାଙ୍କ ଗସ୍ତକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଚଳଚଞ୍ଚଳ ହୋଇ ଉଠିଥିଲା । ୫-ଟି ସଚିବଙ୍କ ସହିତ ଉନ୍ନୟନ କମିସନର ସୁରେଶ ମହାପାତ୍ର ଓ ନ୍ୟାସନାଲ ହେଲଥ୍ ମିଶନ ଏମ୍ଡି ଶାଳିନୀ ପଣ୍ଡିତ ଆସିଥିଲେ । ଉନ୍ନୟନ କମିସନର ସୁରେଶ ମହାପାତ୍ରଙ୍କଠାରୁ ଫୋନ୍ କଲ୍ ପାଇ ଜିଲ୍ଲାପାଳ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଏସ୍ପି ରାଜେଶ ପଣ୍ଡିତ, ସିଡିଏମଓ ଡା. ଜଗନ୍ନାଥ ପହି, ଏନଏଚ୍ଏମ୍ ଡିପିଏମ୍ ସରିତା ମହାପାତ୍ର ପ୍ରମୁଖ ଜିଲ୍ଲା ହସ୍ପିଟାଲରେ ତରବରିଆ ଭାବେ ପହଞ୍ଚିଥିଲେ ।
ପ୍ରଥମେ ୫-ଟି ସଚିବ ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗର ଏସ୍ଏନୁ୍ୟସି ୱାର୍ଡକୁ ଯାଇ ସ୍ୱାସ୍ଥ୍ୟ ସେବାକୁ ଅନୁଧ୍ୟାନ କରିଥିଲେ । ପରେ ସେ ଫିମେଲ ମେଡିସିନ୍, ଡାଇଲିସିସ୍, ଟ୍ରମା କେୟାର ୟୁନିଟ୍ ଓ ସର୍ଜରୀ ୱାର୍ଡକୁ ଯାଇ ଚିକିତ୍ସାଧୀନ ରୋଗୀଙ୍କୁ ବିଭିନ୍ନ ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ । ସିଡିଏମଓ କାର୍ଯ୍ୟାଳୟକୁ ଯାଇ ମୁଖ୍ୟ ଚିକିତ୍ସାଳୟରେ ଥିବା ପ୍ରମୁଖ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଆଲୋଚନା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ୩ ଜଣ ରୋଗୀଙ୍କ ଆଟେଣ୍ଡାଣ୍ଟଙ୍କୁ ପଚାରି ଚିକିତ୍ସା, ମାଗଣା ଔଷଧ ବିତରଣ, ବାହାରକୁ ଟେଷ୍ଟ ପାଇଁ ପଠା ନଯିବା, ନିୟମିତ ଖାଦ୍ୟ ଯୋଗାଣ, ସଫେଇ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ମିଳୁଛି କି ନାହିଁ ପଚାରି ବୁଝିଥିଲେ । ସେହିଭଳି ଜିଲ୍ଲା ହସ୍ପିଟାଲରେ ପାର୍କିଂ ବ୍ୟବସ୍ଥା ପାଇଁ ୧୨ ଲକ୍ଷ ଟଙ୍କା ଓ ଟିକେଟ କାଉଣ୍ଟର ସଂଖ୍ୟା ବୃଦ୍ଧି ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିଦେ୍ର୍ଧଶ ଦେଇଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀମିଶ୍ର ସୂଚନା ଦେଇଥିଲେ । ଡାକ୍ତରଖାନାରୁ ଚରମ୍ପା ନିକଟରେ ଏକ ସ୍ୱେଛାସେବୀ ସଂସ୍ଥା ଦ୍ୱାରା ପରିଚାଳିତ ଭିନ୍ନକ୍ଷମ ଓ ମାନସିକ ଅକ୍ଷମ ଥଇଥାନ କେନ୍ଦ୍ର (ସେଣ୍ଟର ଫର ରିହାବିଲଟେସନ ସର୍ଭିସେସ୍ ଆଣ୍ଡ ରିସର୍ଚ୍ଚ)କୁ ପରିଦର୍ଶନରେ ଯାଇଥିଲେ । ସେଠାରେ ସେ ପିଲାଙ୍କ ସହ ମଧ୍ୟାହ୍ନଭୋଜନ ଗ୍ରହଣ କରି ଭଲମନ୍ଦ ବୁଝିବା ବେଳେ ଜାଣିବାକୁ ପାଇଲେ ଯେ ଗତ ୩ ମାସ ହେବ ଅନ୍ତେବାସୀଙ୍କ ଖାଇବା ବାବଦ ପାଣ୍ଠି ଭିନ୍ନକ୍ଷମ ଓ ସାମାଜିକ ସୁରକ୍ଷା ବିଭାଗରୁ ମଞ୍ଜୁର ହୋଇନି । ଏ ସଂପର୍କରେ ୫ ଟି ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ ତୁରନ୍ତ ଭଦ୍ରକ, ପୁରୀ ଓ ଅନୁଗୁଳ ଜିଲ୍ଲାରେ ଭିନ୍ନକ୍ଷମ ରହୁଥିବା ୩ଟି ସ୍ୱେଛାସେବୀ ସଂସ୍ଥାର ବକେୟା ୩୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ।
ଚରମ୍ପାର ସେଣ୍ଟର ଫର ରିହାବିଲଟେସନ ସର୍ଭିସେସ୍ ଆଣ୍ଡ ରିସର୍ଚ୍ଚକୁ ୨୨ ଲକ୍ଷ ୨୦ ହଜାର, ପୁରୀ ପଣ୍ଡାପୋଖରୀର ଇନଷ୍ଟିଚୁ୍ୟଟ୍ ଫର ସେଲଫ ଏମ୍ପ୍ଲୟମେଣ୍ଟ ଆଣ୍ଡ ରୁରାଲ ଡେଭଲେପମେଣ୍ଟକୁ ୫ ଲକ୍ଷ ୪୦ ହଜାର ଏବଂ ଅନୁଗୁଳ ହାକିମପଡ଼ାର ଶିବାଙ୍ଗିନୀ ଇନଷ୍ଟିଚୁ୍ୟଟ୍ ଅଫ ଚାଇଲଡ ଡେଭେଲପମେଣ୍ଟକୁ ୫ ଲକ୍ଷ ୪୦ ହଜାର ମଞ୍ଜୁର ହୋଇଛି । ଏହି ପାଣ୍ଠି ବାକି ଥିବାରୁ ମୁଖ୍ୟମନ୍ତ୍ରୀ ଭୀଷଣ କ୍ଷୁବ୍ଧ ହୋଇଥିବା ସୂଚନା ମିଳିଛି । ୫ ଟି ସଚିବ ଶ୍ରୀ ପାଣ୍ଡିଆନଙ୍କ ସହ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିଦେ୍ର୍ଧଶକ ଶାଳିନୀ ପଣ୍ଡିତ ମଧ୍ୟ ଭଦ୍ରକ ଗସ୍ତରେ ଯାଇଥିଲେ ।
Comments are closed, but trackbacks and pingbacks are open.