ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ‘ଅମୃତ’ ଯୋଜନାରେ ଓଡ଼ିଶାକୁ ୨୦୧୫-୨୦ ମଧ୍ୟରେ ୮୮୫.୫୮ କୋଟି ପ୍ରଦାନ କରିଛନ୍ତି । ଏହା ଓଡ଼ିଶାରେ ସହରାଞ୍ଚଳ ବିକାଶ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଥିବା ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଅଟଳ ମିଶନ ‘ଅମୃତ’ ଯୋଜନାରେ ଓଡ଼ିଶାର ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର, ବ୍ରହ୍ମପୁର, କଟକ, ପୁରୀ, ରାଉରକେଲା ଓ ସମ୍ବଲପୁର ଭଳି ସହରଗୁଡ଼ିକରେ ସହରାଞ୍ଚଳ ଭିତ୍ତିଭୂମିର ଉନ୍ନତିକରଣ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହପୁରୀଙ୍କୁ ଟ୍ୱିଟ୍ କରି ଧନ୍ୟବାଦ ଦେଇଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି, ଏହି ଯୋଜନାରେ ପାନୀୟ ଜଳ ଯୋଗାଣ, ସ୍ୱରେଜ୍ ଓ ପରିମଳ ପରିଚାଳନା, ବର୍ଜ୍ୟ ଜଳ ନିଷ୍କାସନ, ସବୁଜ ପରିବେଶ, ପାର୍କ ଓ ଅଣମୋଟର ଚାଳିତ ସହରାଞ୍ଚଳ ପରିବହନ ଭଳି ମୌଳିକ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି । ରାଜ୍ୟ ବାର୍ଷିକ କାର୍ଯ୍ୟ ଯୋଜନା (ସାପ୍) ଅଧୀନରେ ଓଡ଼ିଶା ପାଇଁ ୧୫୯୯ କୋଟି ଟଙ୍କା ମଞ୍ଜୁର କରାଯାଇଛି ।
ଭୁବନେଶ୍ୱର ଓ ରାଉରକେଲାରେ ସ୍ମାର୍ଟସିଟି ମିଶନ ସହ ସ୍ୱୟଂଚାଳିତ ଜଳ ବିଶୋଧନ ପ୍ଲାଣ୍ଟ, ପାର୍କର ବିକାଶ, ଜରୁରୀକାଳୀନ ସୌରଚାଳିତ ପମ୍ପ ସ୍ଥାପନ ଭଳି ପ୍ରକଳ୍ପ ଲୋକଙ୍କ ଆକାଂକ୍ଷାକୁ ପୂରଣ କରୁଛି । ଏହି ଯୋଜନା ଅଧୀନରେ ଓଡ଼ିଶାକୁ ୧୯୧ଟି ପ୍ରକଳ୍ପ ମଞ୍ଜୁର କରାଯାଇଥିବା ବେଳେ ସେଥିରୁ ୧୫୨ଟି ପ୍ରକଳ୍ପ ଶେଷ ହୋଇଛି ଏବଂ ଅବଶିଷ୍ଟ ୩୯ ପ୍ରକଳ୍ପର କାମ ଜାରି ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
Comments are closed, but trackbacks and pingbacks are open.