ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଲକ୍ଡାଉନ୍ ଯୋଗୁଁ ପ୍ରାୟ ୨ ମାସ ଧରି ଖଣ୍ଡଗିରି ମୁଣ୍ଡିଆ ତଳେ ଫସି ରହିଥିଲେ ୬୨ ବନ୍ଜାରା । ସେମାନଙ୍କୁ ଆଜି ଖଣ୍ଡଗିରି ଥାନା ପୁଲିସ ଏକ ବସ୍ ସହାୟତାରେ ମହାରାଷ୍ଟ୍ର ପଠାଇଛି । ବାଟରେ ଖାଦ୍ୟପେୟ ସହ ପାଣିର ବନେ୍ଦାବସ୍ତ କରି ଛଡ଼ା ଯାଇଛି । ନିଜ ପ୍ରଦେଶକୁ ଫେରିବାକୁ ବ୍ୟାକୁଳ ହୋଇଥିବା ଏହି ବନ୍ଜାରାମାନେ ପୁଲିସକୁ ଧନ୍ୟବାଦ ଜଣାଇବା ସହ ଖୁସି ମନରେ ଫେରିଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ଏହି ବନ୍ଜାରା ମାନେ ପ୍ରତିବର୍ଷ ଖଣ୍ଡଗିରି ମେଳା ସମୟରେ ଆସନ୍ତି । ସେମାନେ ମେଳାରେ ଖେଳନା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଜିନିଷ ବିକ୍ରି କରନ୍ତି । ଖଣ୍ଡଗିରି ମେଳା ପରେ ଆଖପାଖ ମେଳା ମହୋତ୍ସବରେ ମଧ୍ୟ ଖେଳନା ଆଦି ବିକ୍ରି କରନ୍ତି । ମେଳା ମହୋତ୍ସବ ସରିବା ପରେ ସେମାନେ ପୁଣି ନିଜ ରାଜ୍ୟକୁ ଫେରି ଯାଆନ୍ତି ।
ଏଥର କିନ୍ତୁ ଏହି ବନ୍ଜରା ମାନେ ଲକ୍ଡାଉନ୍ ଯୋଗୁଁ ଫସି ଯାଇଥିଲେ । ଖଣ୍ଡଗିରି ମୁଣ୍ଡିଆ ତଳେ ଥିବା ବସ୍ଷ୍ଟାଣ୍ଡରେ ଆଶ୍ରୟ ନେଇଥିଲେ । ଦୁଇମାସ ଧରି ଫସି ରହିବାରୁ ଯାହାକିଛି ରୋଜଗାର କରିଥିଲେ ତାହା ଖିଆପିଆରେ ସରିଗଲା । ଗାଡ଼ି ଭଡ଼ାକରି ନିଜ ପ୍ରଦେଶକୁ ଫେରିବାକୁ ଚାହୁଁଥିଲେ ମଧ୍ୟ ପାଖରେ ସମ୍ବଳ ନଥିଲା । ଶେଷରେ ସେମାନେ ଫେରିବା ପାଇଁ ଖଣ୍ଡଗିରି ଥାନା ପୁଲିସର ସହାୟତା ଲୋଡ଼ିଥିଲେ । ଖଣ୍ଡଗିରି ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ର ଏକ ବସ୍ ଯୋଗାଡ଼ କରିବା ସହ ବାଟରେ ସେମାନଙ୍କ ପାଇଁ ଖାଦ୍ୟପେୟର ବନେ୍ଦାବସ୍ତ କରି ମହାରାଷ୍ଟ୍ର ପଠାଇଛନ୍ତି ।
Comments are closed, but trackbacks and pingbacks are open.