ନୂଆଦିଲ୍ଲୀ: ଆମେରିକାରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରି ଭୟାନକ ରୂପ ନେଇଛି । ପ୍ରତିଦିନ ୧.୫୦ ଲକ୍ଷରୁ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ୧.୬୨ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଗତ ୬ ଦିନ ମଧ୍ୟରେ ଆମେରିକାରେ ୧୦ ଲକ୍ଷରୁ ଅଧିକ କରୋନା ମାମଲା ସାମ୍ନାକୁ ଆସିଲାଣି । ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ପ୍ରଥମ ୧୦ ଲକ୍ଷ ଛୁଇଁବାକୁ ୧୦୦ ଦିନ ଲାଗିଥିଲା । ଏବେ ଏହା ୬ ଦିନକୁ ଖସିଥିବାରୁ ସ୍ଥିତି ଆହୁରି ବିସ୍ଫୋରକ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।
ୱାର୍ଲଡୋମିଟର ତଥ୍ୟ ମୁତାବକ ଆମେରିକାରେ ଗତ ୨୪ ଘଣ୍ଟାରେ ୧,୬୨,୩୪୬ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୧.୧୫ କୋଟି ପାର୍ କରିଛି । ସେହିଭଳି ଦିନକରେ ୭୪୦ ରୋଗୀ ପ୍ରାଣ ହରାଇବା ପରେ ମୋଟ ମୃତୁ୍ୟ ସଂଖ୍ୟା ୨,୫୨,୯୩୪ରେ ପହଞ୍ଚିଛି ।
ସଂକ୍ରମଣ ବଢ଼ିବା ଯୋଗୁ ଆମେରିକାର ହସ୍ପିଟାଲଗୁଡ଼ିକରେ ରୋଗୀ ସଂଖ୍ୟା ବଢ଼ିବାକୁ ଲାଗିଛି । ଏହାଯୋଗୁ ହସ୍ପିଟାଲରେ ଉପଲବ୍ଧ ଖାଲି ବେଡ୍ ସଂଖ୍ୟା ହ୍ରାସ ପାଉଛି । ଏହାକୁ ଦୃଷ୍ଟିରେ ରଖି ଆମେରିକାର ବିଭିନ୍ନ ରାଜ୍ୟ ପ୍ରଶାସନଗୁଡ଼ିକ ପକ୍ଷରୁ ତନାଘନା ଆରମ୍ଭ ହୋଇଯାଇଛି । ନର୍ଥ ଡକୋଟାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ମିଶିଗାନରେ କଲେଜ, ହାଇସ୍କୁଲ ଏବଂ କାର୍ଯ୍ୟାଳୟ ୩ ସପ୍ତାହ ପାଇଁ ବନ୍ଦ ହୋଇଛି । ୱାଶିଂଟନରେ ଲୋକମାନଙ୍କୁ ଅନ୍ୟଙ୍କ ଘରକୁ ଯିବା ପାଇଁ ବାରଣ କରାଯାଇଛି । ରେସ୍ତୋରାଁ ଏବଂ ବାର୍କୁ ବନ୍ଦ କରାଯାଇଛି । ଲୋକଙ୍କୁ କୋଭିଡ-୧୯ ଗାଇଡଲାଇନ କଡ଼ାକଡ଼ି ଭାବେ ପାଳନ ପାଇଁ ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି ।
ସେପଟେ ତଥ୍ୟରୁ ଜଣାପଡ଼ିଛି ଯେ ବ୍ରିଟେନ, ପୋଲାଣ୍ଡ, ଇଟାଲୀ ଏବଂ ରୁଷ ସ୍ଥିତି ବି ଖରାପ ହେବାରେ ଲାଗିଛି । ବ୍ରିଟେନରେ ଦିନକରେ ୨୧,୩୬୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ମାମଲା ସଂଖ୍ୟା ୧୩.୯୦ ଲକ୍ଷ ଅତିକ୍ରମ କରିଛି । ସେହିଭଳି ୨୧୩ ଲୋକଙ୍କ ଜୀବନ ଯିବା ପରେ ମୋଟ ମୃତୁ୍ୟ ଏଠାରେ ୫୨,୧୪୭କୁ ବଢ଼ିଛି ।
ରୁଷିଆରେ ୨୨,୭୭୮ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୯.୭୧ ଲକ୍ଷରେ ପହଞ୍ଚିଛି । ଆଉ ୩୦୩ ରୋଗୀ ପ୍ରାଣ ହରାଇବା ପରେ ମୋଟ ମୃତୁ୍ୟ ୩୩,୯୩୧କୁ ବଢ଼ିଛି । ଇଟାଲୀ ଓ ପୋଲାଣ୍ଡରେ ଯଥାକ୍ରମେ ୩୨,୧୯୧ ଓ ୧୯,୧୫୨ ନୂଆ ରୋଗୀ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୨.୩୮ ଲକ୍ଷ ଓ ୭.୫୨ ଲକ୍ଷ ପାର୍ କରିଛି । ଇଟାଲୀରେ ଦିନକରେ ୭୩୧ ଲୋକ ପ୍ରାଣ ହରାଇବା ପରେ ମୃତୁ୍ୟ ସଂଖ୍ୟା ୪୬,୪୬୪କୁ ବଢ଼ିଛି । ମେକ୍ସିକୋରେ ଗତ ୨୪ ଘଣ୍ଟାରେ ୩୧୯ ଲୋକଙ୍କ ଜୀବନ ଯିବା ପରେ ମୋଟ ମୃତୁ୍ୟ ୯୮,୮୬୧ରେ ପହଞ୍ଚିଛି ।
ୟୁରୋପୀୟ ରାଷ୍ଟ୍ର ଏବଂ ଆମେରିକାରେ କରୋନା ମହାମାରୀ ଭୟାନକ ସ୍ଥିତି ନେବା ଯୋଗୁ ବିଶ୍ୱରେ ମୋଟ ଆକ୍ରାନ୍ତ ସଂଖ୍ୟା ୫.୫୬ କୋଟି ଅତିକ୍ରମ କରିଛି । ୩ କୋଟି ୮୭ ଲକ୍ଷ ଲୋକ ଆରୋଗ୍ୟ ଲାଭ କରିସାରିଲେଣି । ମୃତୁ୍ୟ ସଂଖ୍ୟା ୧୩.୩୬ ଲକ୍ଷ ଡେଇଁଛି । ଦିନକରେ ବିଶ୍ୱରେ ୫ ଲକ୍ଷରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି । ସକି୍ରୟ ମାମଲା ସଂଖ୍ୟା ୧.୫୫ କୋଟି ରହିଛି ।
Comments are closed, but trackbacks and pingbacks are open.