କୋରାପୁଟ,(ବି.ବି.ନୁ୍ୟଜ୍): ଛଅ ଜଣ ନାବାଳକଙ୍କ ସମେତ ୧୧ ଜଣ ଦାଦନ ଶ୍ରମିକଙ୍କୁ ରବିବାର କୋରାପୁଟ ଟାଉନ ଥାନା ପୁଲିସ ଉଦ୍ଧାର କରିଛି । ଏହି ଘଟଣାରେ ରାଇଘର ଗାଁର ଦଲାଲ୍ ଦିନେଶ ଗଣ୍ଡ ଗିରଫ୍ ହୋଇଛି । ଦାଦନଙ୍କୁ ଆନ୍ଧ୍ର ଚାଲାଣ କରାଯାଉଥିଲା ବୋଲି ଟାଉନ ଥାନା ଆଇଆଇସି ପିତବାସ ଧାରୁଆ କହିଛନ୍ତି । ଏ ନେଇ କୋରାପୁଟ ଟାଉନ ଥାନାରେ ଏକ ମାମଲା(୨୭୮/୧୯ରେ ) ରୁଜୁ ହୋଇଛି ।
ପୁଲିସ ସୂଚନା ଅନୁସାରେ, ଦଲାଲ୍ ଦିନେଶର କଥାରେ ପଡ଼ି ଏହି ଶ୍ରମିକମାନେ ଅଧିକ ମଜୁରି ଆଶାରେ ପଡୋଶୀ ଆନ୍ଧ୍ରକୁ କାମ କରିବାକୁ ଯାଉଥିଲେ । ସ୍ଥାନୀୟ ଷ୍ଟାଣ୍ଡରୁ ବସ୍ରେ ଆନ୍ଧ୍ର ଯିବାକୁ ଏମାନେ ଗାଡ଼ିରେ ବସିଥିଲେ । ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଟାଉନ ଥାନା ପୁଲିସ ବସଷ୍ଟାଣ୍ଡରୁ ରାୟଗଡ଼ା ଏବଂ ବିଜୟନଗର ଯାଉଥିବା ବସ୍ଗୁଡ଼ିକୁ ଯାଞ୍ଚ କରିଥିଲା । ଯାଞ୍ଚବେଳେ ଆନ୍ଧ୍ରର ବିଜୟନଗର ଯାଉଥିବା ଏକ ବସ୍ରେ ଏମାନେ ବସିଥିବା ଜଣାପଡ଼ିଥିଲା । ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଥାନାକୁ ଅଣାଯାଇଥିଲା । ଖବର ପାଇ ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ କୁମାର ପାଣିଗ୍ରାହୀ ଥାନାରେ ପହଞ୍ଚି ଥିଲେ । ପରେ ନବରଙ୍ଗପୁର ଶ୍ରମ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ । ଦଲାଲ ଦିନେଶ ବେଆଇନ ଭାବେ ଏହି ଶ୍ରମିକମାନଙ୍କୁ ଆନ୍ଧ୍ର ନେଉଥିବା ତଦନ୍ତ ବେଳେ ଜଣାପଡ଼ିଥିଲା ।
Comments are closed, but trackbacks and pingbacks are open.