କଟକ,(ବି.ବି.ବୁ୍ୟରୋ): ପତ୍ନୀଙ୍କୁ ଡାକ୍ତରଖାନାକୁ ଆଣିବା ପାଇଁ ଆମ୍ବୁଲାନ୍ସଟିଏ ମିଳିଲାନି ବୋଲି ବୃଦ୍ଧ ବୟସରେ ଟ୍ରଲିରେ ବୋହି ବୋହି ଦୀର୍ଘ ୭୫ କିଲୋମିଟର ରାସ୍ତା ଅତିକ୍ରମ କରି ପତ୍ନୀ ସୁକାନ୍ତିଙ୍କୁ ଏସ୍ସିବି ଡାକ୍ତରଖାନାକୁ ଆଣିଥିଲେ ଗରିବ ଟ୍ରଲି ଚାଳକ କବିର୍ । ହେଲେ ଭାଗ୍ୟର ବିଡ଼ମ୍ବନା, ରୋଗ ନିରୂପଣ ହେବା ଆଗରୁ ସବୁଦିନ ପାଇଁ ଆଜି ଆଖି ବୁଜିଛନ୍ତି ସୁକାନ୍ତି । ଏସ୍ସିବିରେ ଚିକିତ୍ସା ବିଧିବଦ୍ଧ ଭାବେ ଆରମ୍ଭ ହେବା ପୂର୍ବରୁ ସୁକାନ୍ତିଙ୍କର ଆଜି ମୃତୁ୍ୟ ଘଟିଛି । ପତ୍ନୀଙ୍କ ମୃତୁ୍ୟ ପାଇଁ ନିଜ ଅଭାବୀ ସଂସାର ଓ ସରକାରୀ ଅବହେଳାକୁ ଦାୟୀ କରିଛନ୍ତି କବିର୍ । ପୁରୀ ଡାକ୍ତରଖାନାରେ ଭଲରେ ଚିକିତ୍ସା କରାଯାଇଥିଲେ ହୁଏତ ମୋ ସ୍ତ୍ରୀ ଆଉ କିଛି ଦିନ ବଞ୍ଚିଯାଇଥାନ୍ତା ବୋଲି କବିର୍ କହିଛନ୍ତି । ଟ୍ରଲିରେ ଧକଡ଼ ଚକଡ଼ ହୋଇ ବହୁତ ବାଟ ଆସିବାରୁ ତା’ ଦେହ ଅଧିକ ଖରାପ ହୋଇଗଲା ଓ ସେ ସଠିକ୍ ଚିକିତ୍ସା ପାଇବା ଆଗରୁ ଆଖି ବୁଜିଲା ବୋଲି କହିଛନ୍ତି କବିର । କ୍ଷୋଭ ବ୍ୟକ୍ତ କରି ଏକଥା ବି କହିଛନ୍ତି କି’ ଆଣିଥିଲି ଟ୍ରଲିରେ.. ହେଲେ ମହାପ୍ରୟାଣ ଗାଡ଼ିରେ ନେଇକରି ଯାଉଛି ।
ସାମାଜିକ କର୍ମୀଙ୍କ ଉଦ୍ୟମରେ ଗତକାଲି ଏସ୍ସିବି ଡାକ୍ତରଖାନାର ସର୍ଜରୀ ୱାର୍ଡରେ ଭର୍ତ୍ତି ହୋଇଥିଲେ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ଦାଶବିଦ୍ୟାଧରପୁର ପଞ୍ଚାୟତର କବିର ଭୋଇ(୬୫)ଙ୍କ ପତ୍ନୀ ସୁକାନ୍ତି ଭୋଇ(୫୫) । ଠିକ୍ ରୋଗ ନିରୂପଣ ଲାଗି ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ନିଦାନ କେନ୍ଦ୍ରକୁ ପଠାଯାଇଥିଲା । ସିଟି ସ୍କାନ ପାଇଁ ମଧ୍ୟ ଡାକ୍ତର ପରାମର୍ଶ ଦେଇଥିଲେ । ମାତ୍ର ଆଜି ସିଟି ସ୍କାନ୍ ହେବା ସମ୍ଭବ ନହେବାରୁ ଆସନ୍ତକାଲି ପରୀକ୍ଷା କରାଇବା ପାଇଁ ସମୟ ଧାର୍ଯ୍ୟ ହୋଇଥିଲା । ମାତ୍ର ସୁକାନ୍ତିଙ୍କ ରକ୍ତ ପରୀକ୍ଷା ରିପୋର୍ଟ ପହଞ୍ଚିବା ପୂର୍ବରୁ ତାଙ୍କର ମୃତୁ୍ୟ ଘଟିଥିଲା । ସୁକାନ୍ତିଙ୍କ ମୃତୁ୍ୟ ପରେ ୱାର୍ଡରେ କବିର୍ କାନ୍ଦିଥିଲେ । ଔଷଧ କିଣିବା ପାଇଁ କବିରଙ୍କର ସାମର୍ଥ୍ୟ ନଥିଲେ ମଧ୍ୟ ଗତକାଲିଠାରୁ ଜଣେ ଗରିବ ବୃଦ୍ଧ ଲୋକର ତା’ ପତ୍ନୀ ପ୍ରତି ଭଲପାଇବା ଦେଖି ସର୍ଜରୀ ୱାର୍ଡରେ ଅନ୍ୟ ରୋଗୀ ସମ୍ପର୍କୀୟମାନେ ଭାବବିହ୍ୱଳ ହୋଇପଡ଼ିଥିଲେ । ପତ୍ନୀଙ୍କ ମୃତୁ୍ୟ ପରେ କବିର୍ଙ୍କୁ ଦେଖି ଅନ୍ୟ ରୋଗୀଙ୍କ ଆଖିରେ ଲୁହ ଆସିଯାଇଥିଲା । ‘ସ୍ତ୍ରୀକୁ ମୋର ଭଲ କରିବି ବୋଲି କେତେ ଆଶା ନେଇ ଟ୍ରଲିରେ ବୋହି ଗାଁରୁ ଆଣିଥିଲି । ହେଲେ ଏବେ ଗାଁକୁ ତାର ଶବ ଧରି ଫେରୁଛି’ ବୋଲି କହି କାନ୍ଦି କାନ୍ଦି ନିଜର ଅସହାୟତା ପ୍ରକାଶ କରିଥିଲେ କବିର୍ । କବିରଙ୍କ ପତ୍ନୀଙ୍କ ମୃତୁ୍ୟ ପରେ ମୃତଦେହକୁ ଏସ୍ସିବି ଡାକ୍ତରଖାନା ପକ୍ଷରୁ ମହାପ୍ରୟାଣ ଗାଡ଼ିରେ ଦାଶବିଦ୍ୟାଧରପୁର ଅଞ୍ଚଳକୁ ପଠାଇ ଦିଆଯାଇଛି । ସୁକାନ୍ତିଙ୍କ ମୃତୁ୍ୟ ସମ୍ପର୍କରେ ଏସ୍ସିବି ଡାକ୍ତରଖାନାର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ କହିବା କଥା, ସମ୍ପୃକ୍ତ ବୃ୍ଦ୍ଧା ରୋଗିଣୀଙ୍କର ସଠିକ୍ ରୋଗ ନିରୂପଣ ହୋଇନଥିଲେ ମଧ୍ୟ ତାଙ୍କ ଶରୀରର ଲକ୍ଷଣରୁ ସେ କ୍ୟାନ୍ସର୍ ପୀଡ଼ିତ ଥିବା ଜଣାପଡୁଛି ।
ସୂଚନାଯୋଗ୍ୟ, କବିର ଭୋଇଙ୍କ ପତ୍ନୀ ସୁକାନ୍ତି ପେଟ ରୋଗ ଜନିତ ସମସ୍ୟା ଭୋଗୁଥିଲେ । ଛାତି, ପେଟ ବିନ୍ଧା ହେବା ସହ ବାନ୍ତି ହେଉଥିବାରୁ ସେ ଭଲରେ ମୁଠାଏ ଖାଇପାରୁନଥିଲେ । ଯାହା ଖାଇଲେ ତାଙ୍କର ବାନ୍ତି ହୋଇଯାଉଥିଲା ବୋଲି କବିର୍ କହିଛନ୍ତି । ସୁକାନ୍ତିଙ୍କୁ ଭଲ କରିବା ପାଇଁ ସେ ଘର ପାଖ ଡାକ୍ତରଖାନାଠାରୁ ଆରମ୍ଭ କରି ପୁରୀ ଡାକ୍ତରଖାନା ଏକାଧିକ ବାର ଯାଇଛନ୍ତି । ପୁରୀ ଡାକ୍ତରଖାନାରେ ସୁକାନ୍ତିଙ୍କୁ ଅଧା ଚିକିତ୍ସାରେ ଡାକ୍ତର ଘରକୁ ପଳାଇବା ପାଇଁ କହିବାରୁ ସେ ଗାଁକୁ ପଳାଇ ଆସିଥିଲେ ବୋଲି କବିର୍ କହିଛନ୍ତି । ଗାଁରେ ସରପଞ୍ଚ କିମ୍ବା ଅନ୍ୟ କେହି ସାହାଯ୍ୟ କରିନଥିଲେ କିମ୍ବା ୧୦୮ ଆମ୍ବୁଲାନ୍ସର ବନେ୍ଦାବସ୍ତ କରାଇନଥିଲେ । ଏପରି ସ୍ଥିତିରେ ପତ୍ନୀଙ୍କର ଜୀବନ ବଞ୍ଚାଇବାକୁ ବହୁ କଷ୍ଟରେ ଟ୍ରଲିରେ ବୋହି ସେ କଟକ ଆଣିଥିଲେ ବୋଲି କହିଛନ୍ତି ।
Comments are closed, but trackbacks and pingbacks are open.