ମୁନିଗୁଡା: ରାୟଗଡା ଜିଲ୍ଲା ମୁନିଗୁଡା ପୁଲିସକୁ ମିଳିଛି ସଫଳତା । ବିଶାଖାପାଟଣାରୁ ହରିୟାଣାକୁ ଚାଲାଣ ହେଉଥିବା ୭କୁଇଣ୍ଟାଲ ୮୦ କେଜି ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୮ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ଆକଳନ କରିଛି । ଏହି କାରବାରରେ ସମ୍ପୃକ୍ତ ମାଷ୍ଟରମାଇଣ୍ଡ୍ ସମେତ ୬ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ପାଖରୁ ଗଞ୍ଜେଇ ପରିବହନରେ ବ୍ୟବହୃତ ଏକ ଟ୍ରକ, ଟ୍ରାକ୍ଟର, ଅଟୋ ସହ ନଗଦ ୩୪ହଜାର ଟଙ୍କା ଜବତ କରାଯାଇଛି । ଗିରଫ ବ୍ୟକ୍ତିମାନେ ହେଲେ ମାଷ୍ଟରମାଇଣ୍ଡ କୁହାଯାଉଥିବା କରୁଣା ହିଆଲ(୫୦), ତାଙ୍କ ଦୁଇପୁଅ ବିରେନ୍ଦ୍ର ହିଆଲ(୩୦) ଓ ଜିତେନ୍ଦ୍ର ହିଆଲ(୨୫), ବାବୁଲା ସେଠୀ(୩୫), ଟ୍ରକମାଲିକ ନିମାରାମ(୨୧) ଏବଂ ଡ୍ରାଇଭର ହେମାରାମ (୪୨) । ଜିଲ୍ଲାରେ ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ବିଷମକଟକ ଏସଡିପିଓ ଆକାଶଚନ୍ଦ୍ର ସାହୁ କହିଛନ୍ତି, ବିଶାଖାପାଟଣାରୁ ଫେରୋ ନିକେଲ ବୋଝେଇ ହୋଇଥିବା ଏକ ଟ୍ରକ(ଆରଜେ ୧୯ଜିଡି ୮୮୨୩)ରେ ହରିୟାଣାକୁ ଗଞ୍ଜେଇ ଚାଲାଣ ହେଉଥିଲା । ବିଶେଷସୂତ୍ରରୁ ଖବର ମିଳିବା ପରେ ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇଥିଲା । ଏହି ଗଞ୍ଜେଇ ପରିବହନରେ ଏକ ଟ୍ରାକ୍ଟର(ଓଡି ୧୮ଏଚ ୪୭୪୦) ଓ ଏକ ଅଟୋ (ଓଡି ୧୮ ୭୯୭୧) ମଧ୍ୟ ଲାଗିଥିଲା । ସମସ୍ତ ଗାଡିକୁ ଅଟକ ରଖାଯାଇ ଯାଞ୍ଚ କରାଯିବା ପରେ ସେଥିରୁ ୭କୁଇଣ୍ଟାଲ ୮୦କେଜି ଗଞ୍ଜେଇ ଜବତ କରାଯାଇଥିଲା । ଏହି କାରବାରରେ ସମ୍ପୃକ୍ତ ମାଷ୍ଟରମାଇଣ୍ଡ ଶ୍ରୀ ହିଆଲଙ୍କୁ ଧରିବା ପାଇଁ ଜାଲ ବିଛାଯାଇଥିଲା । ବହୁଦିନରୁ ଏହି କାରବାରରେ ସେ ସମ୍ପୃକ୍ତ ଥିଲେ । ଗତ ୮ମାସ ହେଲା ଶ୍ରୀ ହିଆଲକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରହିଥିଲା । ଶନିବାର ରାତିରେ ମୁନିଗୁଡା ଆଇଆଇସି ସୁଜ୍ଞାନୀ ସାହୁ, ସବଇନ୍ସପେକ୍ଟର ଦୟାନିଧି ପାତ୍ର, ପ୍ରତାପ ବେହେରା, ହୋମଗାର୍ଡ କମାଣ୍ଡାଣ୍ଟ ଟୁଲୁ ପାଢି, ନିରଞ୍ଜନ ଦାସଙ୍କ ସହ ଏକ ଟିମ୍ ମାଳିତୋଟାଗୁଡା ରେଳଟ୍ରାକ୍ ନିକଟରେ ପହଞ୍ଚିଥିଲେ । ସେଠାରେ ଟ୍ରାକ୍ଟର ଓ ଅଟୋରେ ବୁହାଯାଇଥିବା ଗଞ୍ଜେଇକୁ ଟ୍ରକ୍ରେ ଲୋଡ କରୁଥିବା ବେଳେ ସମସ୍ତଙ୍କୁ କାବୁ କରିଥିଲେ । ଏହି ଗଞ୍ଜେଇ ଚନ୍ଦ୍ରପୁର, ଗୁଡାରୀ, ହନୁମନ୍ତପରରୁ ଅଣାଯାଇ ଏକ ନିର୍ଜନ ସ୍ଥାନରେ ରଖାଯାଇଥିଲା । ସେଠାରୁ ଅଣାଯାଇ ଲୋଡ କରାଯିବା ବେଳେ ଧରାପଡିଥିଲେ ବୋଲି ଏସଡିପିଓ ଶ୍ରୀ ସାହୁ କହିଛନ୍ତି । ସେ କହିଛନ୍ତି ଯେ, ୨୦୧୦ରୁ ଏହି ବ୍ୟବସାୟ ଚାଲୁ ରହିଛି । ଧରାପଡିଥିବା ଗଞ୍ଜେଇ ମାଫିଆମାନେ ଉପରୋକ୍ତ ଅଞ୍ଚଳର ଚାଷୀଙ୍କୁ ଗଞ୍ଜେଇ ଚାଷ କରିବା ପାଇଁ ୫୦ଲକ୍ଷରୁ ଅଧିକ ଟଙ୍କା ଦେଇଥିଲେ । ଗଞ୍ଜେଇ ଅମଳ ହେବା ପରେ ଏହାକୁ ଦିଲ୍ଲୀ, ହରିୟାଣା, ଉତ୍ତରପ୍ରଦେଶ, ଛତିଶଗଡ ଅଞ୍ଚଳକୁ ଚାଲାଣ କରାଯାଉଥିଲା । ଏଥିସହ ମୁନିଗୁଡାର ଗୋବର୍ଦ୍ଧନ ଓ ବିଭିନ୍ନ ହୋଟେଲରେ ଗଞ୍ଜେଇ ଚାଷୀଙ୍କୁ ରଖିବା ପାଇଁ ଘର ଭଡା ମଧ୍ୟ ନିଆଯାଇଥିଲା । ଜେରାବେଳେ ଅଭିଯୁକ୍ତ ଏହା ସ୍ୱୀକାର କରିଥିବା ପୁଲିସ କହିଛି । ଏନେଇ ମୁନିଗୁଡା ଥାନାରେ ୮୩/୨୧ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସଡିପିଓ ଶ୍ରୀ ସାହୁ କହିଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ


Comments are closed, but trackbacks and pingbacks are open.