ଭୁବନେଶ୍ୱର: ଦ୍ୱିତୀୟ ଲହରୀରେ କରୋନା ସଂକ୍ରମଣ କୋପ କମୁଛି । ହେଲେ ଏବେଠାରୁ ସମ୍ଭାବ୍ୟ ତୃତୀୟ ଲହରୀ ମୁକାବିଲା ପାଇଁ ଓଡ଼ିଶା କମର କଷି ଲାଗି ପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ଏବେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଆହୁରି ମଜବୁତ କରିବାକୁ ଅଣ୍ଟା ଭିଡ଼ିଛି । ବୁଧବାର ରାଜ୍ୟର ୭ ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟ ପାଇଁ ଭିତ୍ତିପ୍ରସ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାଲେଶ୍ୱରର ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲ, କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ, ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ, ବୁର୍ଲା ଭିମସାର, କଟକ ଏସ୍ସିବି, କ୍ୟାପିଟାଲ ହସ୍ପିଟାଲରେ ତରଳ ମେଡିକାଲ ଅକ୍ସିଜେନ ଯୋଗାଣ ପାଇଁ ଆଜି ଶିଳାନ୍ୟାସ ଦିଆଯାଇଛି । ଏହାସହ ୭ଟି ପିଏସଏ ବ୍ୟବସ୍ଥାର ଭିତ୍ତି ପଡ଼ିଛି ।
ବାଲେଶ୍ୱରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହାୟତାରେ ଅତିରିକ୍ତ ସ୍ୱାସ୍ଥ୍ୟ ସୁବିଧା କେନ୍ଦ୍ର, ଡେଙ୍ଗୁ ଓ ଡାଇରିଆ ୱାର୍ଡ, ରକ୍ତ ବର୍ଗୀକରଣ ୟୁନିଟ୍ ଖୋଲିଛି । କଟକରେ ଫୁସ୍ଫୁସ୍ ରୋଗର ଚିକିତ୍ସା ପାଇଁ ଏକ ଉକ୍ରର୍ଷ କେନ୍ଦ୍ର ଓ ନବରଙ୍ଗପୁରରେ ଏକ ଆର୍ଟିପିସିଆର୍ ଟେଷ୍ଟ ଲାବୋରେଟୋରୀର ମଧ୍ୟ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସମସ୍ତ ଭିତ୍ତିଭୂମି ପାଇଁ ୨୯ କୋଟି ୪୧ ଲକ୍ଷ ଟଙ୍କା ବିନିଯୋଗ କରାଯାଇଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନାର ଦ୍ୱିତୀୟ ଲହରୀରେ ମେଡିକାଲ ଅକ୍ସିଜେନର ଆବଶ୍ୟକତା ବହୁତ ବଢ଼ିଯାଇଥିଲା । ଏହି ସମୟରେ ଓଡ଼ିଶାରେ ଅକ୍ସିଜେନ ଯୋଗାଣ ନେଇ କୌଣସି ସମସ୍ୟା ହୋଇନାହିଁ । ନିଜର ଆବଶ୍ୟକତା ପୂରଣ କରିବା ସହ ଓଡ଼ିଶା ୧୭ଟି ରାଜ୍ୟକୁ ଅକ୍ସିଜେନ ଯୋଗାଇ ଅନେକ ମୂଲ୍ୟବାନ ଜୀବନ ରକ୍ଷା କରିପାରିଛି । ଓଡ଼ିଶା ପାଇଁ ଏହା ନିଶ୍ଚିତ ଭାବରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଆତ୍ମସନ୍ତୋଷ ଆଣିଛି ।
ନବୀନ କହିଛନ୍ତି, ଅକ୍ସିଜେନର ଉପôାଦନଠାରୁ ଆରମ୍ଭ କରି ରୋଗୀକୁ ସେବା ଯୋଗାଇ ଦେବା ପର୍ଯ୍ୟନ୍ତ ବ୍ୟବସ୍ଥା ଏକ ଜଟିଳ ପ୍ରକ୍ରିୟା । ଏଥିରେ ବହୁତ ଯନ୍ତ୍ରପାତି, ଯାନବାହନ, ନିରନ୍ତର ତଦାରଖ ଓ ଅନ୍ୟାନ୍ୟ ବ୍ୟବସ୍ଥାର ଆବଶ୍ୟକତା ଜରୁରୀ । ଓଡ଼ିଶାକୁ ଆମେ ଦେଶର ବିଭିନ୍ନ ସ୍ଥାନରୁ ଏପରିକି ଚୀନରୁ ଅକ୍ସିଜେନ ସିଲିଣ୍ଡର ଆଣି ଆମର ବ୍ୟବସ୍ଥାକୁ ସୁଦୃଢ଼ କରିଛୁ ।
କରୋନା ଭୂତାଣୁ ସଂକ୍ରମଣର ଅନିଶ୍ଚିତ ଗତି ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନଠାରୁ ଆମକୁ ପ୍ରସ୍ତୁତ ରହିବାକୁ ହେବ । ଏଥିପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମି, ସ୍ୱାସ୍ଥ୍ୟ କର୍ମଚାରୀ, ପ୍ରଶିକ୍ଷଣ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ କାମ କରାଯାଉଛି । ଆଜିର ନୂଆ ବ୍ୟବସ୍ଥାଗୁଡ଼ିକ ଲୋକଙ୍କୁ ଖୁବଶୀଘ୍ର ସେବା ଯୋଗାଇବ । ଏସବୁ ଭିତ୍ତିଭୂମି ପାଇଁ କର୍ପୋରେଟ କ୍ଷେତ୍ରର ସହାୟତା ନେଇ ସେ ଧନ୍ୟବାଦ ଜଣାଇଛନ୍ତି ।
ରାଜ୍ୟର ସମସ୍ତ ପ୍ରମୁଖ ହସ୍ପିଟାଲରେ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରଜ ଓ ସାବିତ୍ରୀ ଉତ୍ସବ ସମୟରେ ଜନସାଧାରଣ ସତର୍କ ରହିବା ସହ କୋଭିଡ ନିୟମ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।
ଏହି ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ କହିଛନ୍ତି, ଓଡ଼ିଶା ବର୍ତ୍ତମାନ ଅକ୍ସିଜେନ କ୍ଷେତ୍ରରେ ସାରା ଦେଶ ପାଇଁ ଏକ ନୂଆ ଆଶା ହୋଇପାରିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱକୁ ପ୍ରଶଂସା କରିବା ସହ ଏହି ନୂଆ ଭିତ୍ତିଭୂମି ବ୍ୟବସ୍ଥା ସମ୍ଭାବ୍ୟ ତୃତୀୟ ଲହର ମୁକାବିଲାରେ ସହାୟକ ହେବ ବୋଲି କହିଛନ୍ତି ।
ବଲାଙ୍ଗିରରରୁ ମନ୍ତ୍ରୀ ଟୁକୁନି ସାହୁ, ଭୁବନେଶ୍ୱରରୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ବିଧାୟକମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ.ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ ।
ଏହି ଅବସରରେ ସାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି, ନବରଙ୍ଗପୁରକୁ ମିଶାଇ ରାଜ୍ୟର ୧୭ଟି ଜିଲ୍ଲାରେ ଆରଟି-ପିସିଆର ଟେଷ୍ଟ ଲାବ୍ କରାଯାଇଛି । ସବୁ ଜିଲ୍ଲାରେ ଏ ବ୍ୟବସ୍ଥା ହେବ । ଔଷଧ ନିଗମ ପରିଚାଳନା ନିଦେ୍ର୍ଧଶକ ଯାମିନୀ ଷଡ଼ଙ୍ଗୀ ଧନ୍ୟବାଦ ଦେଇଥିଲେ ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.