ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପୁରୀ ବଡ଼ଦାଣ୍ଡ ଫାକାଡେ ଲାଇଟ୍ରେ ଝଲସିବ । କୋଠାବାଡ଼ି ଓ ରାସ୍ତା ସବୁ ଚିକ୍ମିକ୍ କରିବ । ଲଣ୍ଡନ, ଟୋକିଓ ରାସ୍ତା ଭଳି ବଡ଼ଦାଣ୍ଡର ଆଲୋକୀକରଣ ହେବ । କାର୍ଯ୍ୟକାରୀ ହେବ ଷ୍ଟି୍ରଟ୍ ଫାକାଡେ ଲାଇଟ୍ ପ୍ରକଳ୍ପ । ଶ୍ରଦ୍ଧାଳୁମାନଙ୍କ ପାଇଁ ନିର୍ମାଣ ହେବ ଭଗବାନଙ୍କ ଆନନ୍ଦ ବଗିଚା ( ପ୍ଲେଜର ଗାର୍ଡେନ ଅଫ ଲର୍ଡ) । ପୁରୀ ସମୁଦ୍ରକୂଳ ରାସ୍ତାକୁ ବିଶ୍ୱସ୍ତରୀୟ କରାଯିବ । ଶ୍ରୀକ୍ଷେତ୍ର ପାଇଁ ଏମିତି ନୂଆ ୬ଟି ପ୍ରକଳ୍ପର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଏ ବାବଦରେ ୯୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆପାତତଃ ଯୋଜନା ହୋଇଥିବା ଜଣାପଡିଛି ।
ଶ୍ରୀମନ୍ଦିରର ଚତୁଃପାଶ୍ୱର୍ ବିକାଶ ସହ ସମ୍ପୂର୍ଣ୍ଣ ପୁରୀ ସହରକୁ ବିଶ୍ୱସ୍ତରୀୟ ରୂପ ଦେବାକୁ ପୂର୍ତ୍ତ ବିଭାଗ ସମେତ ଅନ୍ୟାନ୍ୟ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ଲାଗି ପଡିଛନ୍ତି । ବଡ଼ଦାଣ୍ଡରେ ଉଜ୍ଜଳ ଆଲୋକ ବ୍ୟବସ୍ଥା ପାଇଁ ଷ୍ଟ୍ରିଟ୍ ଫାକାଡେ ଲାଇଟ୍ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏ ବାବଦରେ ୨୫୦ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିଭଳି ଆନନ୍ଦ ବଗିଚା (ପ୍ଲେଜର ଗାର୍ଡେନ୍ ଅଫ ଲର୍ଡ)ର ବିକାଶ କରାଯିବ । ଏହି ବଗିଚା ଭକ୍ତମାନଙ୍କୁ ଭକ୍ତିମୟ ପରିବେଶର ଅନୁଭୂତି ଦେବ । ଏ ବଗିଚାରେ ସୁମଧୁର ଭକ୍ତି ସଂଗୀତ ବାଜିବ । ଠାକୁରଙ୍କ ନୀତିକାନ୍ତି ସହ ସଂପୃକ୍ତ ବିଭିନ୍ନ ଫୁଲ ଗଛ ରହିବ ବଗିଚାରେ । ଏହି ପ୍ରକଳ୍ପ ପାଇଁ ୮୦ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର । ଭକ୍ତମାନେ ଏ ବଗିଚାରେ ଆନନ୍ଦମୟ ପରିବେଶରେ ଭକ୍ତିଭାବରେ ଭିଜିବେ ।
ପୁରୀ ସମୁଦ୍ରକୂଳ ରାସ୍ତାର ଚେହେରା ମଧ୍ୟ ବଦଳିଯିବ । ବାହାରୁ ବହୁ ପର୍ଯ୍ୟଟକ ଆସୁଥିବାରୁ ସମୁଦ୍ରକୂଳ ରାସ୍ତାକୁ ବିଶ୍ୱସ୍ତରୀୟ କରାଯିବ । ରାସ୍ତାର ଲେନ୍ ବଢିବା ସହ ଉଜ୍ଜଳ ଆଲୋକୀକରଣ କରାଯିବ । ଏ ବାବଦରେ ସରକାର ଖର୍ଚ୍ଚ କରିବେ ୧୮୦ କୋଟି ଟଙ୍କା ।
ପୁରୀରେ ଥିବା ଅନ୍ୟ ଐତିହ୍ୟ ରାସ୍ତାର ମଧ୍ୟ ବିକାଶ କରିବାକୁ ସରକାର ଯୋଜନା କରିଛନ୍ତି । ଏଥିପାଇଁ ୩୬୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଶ୍ରୀମନ୍ଦିର ସହ ଗୁଣ୍ଡିଚା ମନ୍ଦିରର ମଧ୍ୟ ବିକାଶ କରାଯିବ । ଶ୍ରୀଗୁଣ୍ଡିଚା ମନ୍ଦିରର ବିକାଶରେ ୫ କୋଟି ଟଙ୍କା ଖର୍ଚ୍ଚ ହେବ । ଗୁରୁକୁଳ ନାମରେ ନୂଆ ପ୍ରକଳ୍ପ ଆରମ୍ଭ ହେବ । ୨୫ କୋଟି ଟଙ୍କା ଖର୍ଚ୍ଚ କରିବେ । ଏ ଗୁରୁକୁଳରେ ସେବାୟତଙ୍କ ପିଲାମାନେ ପାଠ ପଢ଼ିବେ । ବେଦ, ପୁରାଣ, ନୀତିକାନ୍ତି ଉପରେ ଏଠାରେ ପାଠ୍ୟକ୍ରମରେ ଗୁରୁତ୍ୱ ଦିଆଯିବ । ଅବଢ଼ା ଯୋଜନାରେ ସରକାର ଏ ଯୋଜନା ପାଇଁ ଟଙ୍କା ଖର୍ଚ୍ଚ କରିବେ ।
ଉଲ୍ଳେଖଯୋଗ୍ୟ, ଗତ ଜନ୍ମାଷ୍ଟମୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିଲେ ବଡ଼ ଘୋଷଣା । ଶ୍ରୀକ୍ଷେତ୍ର ପୁରୀର ନବକଳେବର ପାଇଁ ବ୍ଲୁପ୍ରିଣ୍ଟ ଆସିଥିଲା । ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ସେ ପ୍ୟାକେଜ୍ ଘୋଷଣା କରିଥିଲେ । ପୁରୀ ବାଇପାସ୍ ଏନ୍ଏଚ୍ରୁ ଜଗନ୍ନାଥ ବଲ୍ଲଭ ମଠକୁ ଅତ୍ୟାଧୁନିକ ଟ୍ରମ୍ପେଟ୍ ସେତୁ ଦ୍ୱାରା ସଂଯୋଗ କରାଯିବ । ଏହାର ନାଁ ହେବ ‘ଶ୍ରୀ ସେତୁ’ । ପୁରୀ ପ୍ୟାକେଜ୍ରେ ଜଗନ୍ନାଥ ବଲ୍ଲଭ ମଠରେ ବ୍ୟାପକ ବ୍ୟବସ୍ଥା କରାଯିବ । ସବୁଠୁ ବଡ଼ ପଦକ୍ଷେପ ସ୍ୱରୂପ, ଯାତ୍ରୀଙ୍କ ସୁବିଧା ପାଇଁ ବହୁତଳ ପାର୍କିଂ ବ୍ୟବସ୍ଥା ହେବ । ୧୦ ହଜାର ଲୋକଙ୍କ ପାଇଁ ଧ୍ୟାନ କେନ୍ଦ୍ର ନିର୍ମାଣ କରାଯିବ । ନୂଆ ଜୀବନ ପାଇବ ମୂଷା ନଈ । ଏହାର ପୁନରୁଦ୍ଧାର ସହ ଏଭଳି ସୌନ୍ଦର୍ଯ୍ୟକରଣ କରାଯିବ, ଏହା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ପାଲଟିବ । ପୁରୀ ସହରରେ ଏକ କୃତ୍ରିମ ହ୍ରଦର ବିକାଶ କରାଯିବ । ଐତିହାସିକ ଅଠରନଳା ଝଲସିବ । ଏହାର ସୌନ୍ଦର୍ଯ୍ୟ ସାଙ୍ଗକୁ ଆଲୋକୀକରଣ ହେବ । ପୁରୀରେ ଥିବା ତୀର୍ଥ ପୁଷ୍କରିଣୀଗୁଡ଼ିକୁ ପୁନରୁଦ୍ଧାର କରାଯିବ । ଶ୍ୱେତଗଙ୍ଗା, ମାର୍କଣ୍ଡ, ନରେନ୍ଦ୍ର ଓ ଇନ୍ଦ୍ରଦୁ୍ୟମ୍ନ ପୁଷ୍କରିଣୀଗୁଡ଼ିର ପୁନରୁଦ୍ଧାର ଯୋଜନା କରାଯାଇଛି । ଏଥିପାଇଁ ଦୀର୍ଘମିଆଦି ଭାବେ ନବୀନ ୩ ବର୍ଷ ପାଇଁ ପାଣ୍ଠି ବରାଦ କରିଛନ୍ତି ।
‘ଅବଢ଼ା’ ଯୋଜନାରେ ପୁରୀରେ ଆସନ୍ତା ୩ ବର୍ଷରେ ୩୨୦୮ କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ କରାଯିବ । ଶ୍ରୀମନ୍ଦିର ଚୌହଦୀର ୭୫ ମିଟର ଅଞ୍ଚଳକୁ ଐତିହ୍ୟ ସୁରକ୍ଷା ଜୋନ୍ରେ ପରିଣତ କରାଯିବ । ତା’ ଭିତରେ ଏହାର ଭୌଗୋଳିକ ଅବସ୍ଥିତି, ବିଭିନ୍ନ ପ୍ରାଚୀନ ଦେବାଦେବୀ ମୂର୍ତ୍ତିି, ଜଗନ୍ନାଥ ସଂସ୍କୃତି ସହ ସଂଶ୍ଳିଷ୍ଟ ବୃକ୍ଷ ଲତା, କଳା ସ୍ଥାପତ୍ୟ ଓ ଭୋଗ କ୍ଷେତ୍ରକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳର ପୁନର୍ବିନ୍ୟାସ କରାଯିବ । ଯାହା ଶ୍ରୀ ମନ୍ଦିରର କଳା , ଭାସ୍କର୍ଯ୍ୟ ଓ ଐତିହ୍ୟକୁ ବହନ କରୁଥିବ । ସ୍ୱର୍ଗଦ୍ୱାରର ବିକାଶ ପାଇଁ ମଧ୍ୟ ନବୀନ ଅଣ୍ଟା ଭିଡିଛନ୍ତି । ନବୀନଙ୍କ ଏ ନିଷ୍ପତ୍ତି ଇତିହାସ ପୃÂାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି ଜଗନ୍ନାଥପ୍ରେମୀମାନେ କହୁଛନ୍ତି ।
Comments are closed, but trackbacks and pingbacks are open.