୯୨ ବର୍ଷ ବୟସରେ ଅଯୋଧ୍ୟା ମାମଲା ଲଢି ଜିତିଲେ ପରାସରନ୍

Get real time updates directly on you device, subscribe now.

ନୂଆଦିଲ୍ଲୀ: ଦୀର୍ଘ ୭୦ବର୍ଷ ଧରି ଚାଲି ଆସିଥିବା ବହୁଚର୍ଚ୍ଚିତ ଅଯୋଧ୍ୟା ରାମ ଜନ୍ମଭୂମି ମାମଲାର ରାୟ ଆଜି ସୁପ୍ରିମକୋର୍ଟ ପ୍ରକାଶ କରିଛନ୍ତି। ଏହି ଶୁଣାଣି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ମାତ୍ର ୩୦ ମିନିଟ ମଧ୍ୟରେ ସର୍ବସମ୍ମତି କ୍ରମେ ଅଯୋଧ୍ୟାର ବିବାଦୀୟ ସ୍ଥଳରେ ରାମ ମନ୍ଦିର ନିର୍ମାଣ ହେବ ଏବଂ ମସ୍‌ଜିଦ୍‌ ନିର୍ମାଣ ଲାଗି ଅନ୍ୟତ୍ର ୫ ଏକର ଜମି ଦିଆଯିବ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି । କିନ୍ତୁ ଏହି ମାମଲାରେ ହିନ୍ଦୁ ପକ୍ଷକାରଙ୍କ ବିଜୟର ମୁଖ୍ୟ ନାୟକ ହେଉଛନ୍ତି ବରିଷ୍ଠ ଆଇନଜୀବି କେ. ପରାସରନ୍। କେନ୍ଦ୍ର ସରକାରଙ୍କ ସଲିସିଟର ଜେନେରାଲ ଦାୟିତ୍ୱ ତୁଲାଇସାରିଥିବା ଏହି ବରିଷ୍ଠ ଓକିଲ ୯୨ ବର୍ଷ ବୟସରେ ମଧ୍ୟ ଏହି ମାମଲା ଲଢ଼ୁଥିଲେ। ପରାସରନ୍ ଏତେ ବୟସ ହୋଇଥିଲେ ମଧ୍ୟ ସେ ନିଜର ଏକ ଯୁବା ଟିମ୍ ସହିତ ସୁପ୍ରିମକୋର୍ଟରେ ହିନ୍ଦୁଙ୍କ ପକ୍ଷରୁ ଏହି କେସ୍ ଲଢିଥିଲେ। ପରିଣତ ବୟସରେ ସୁପ୍ରିମକୋର୍ଟରେ ଲଗାତାର ୪୦ ଦିନ ଧରି ଠିଆ ହୋଇ କେସ୍ ଲଢିବା ଯଦିଓ ଖୁବ୍ କଷ୍ଟକର ଥିଲା କିନ୍ତୁ ଏହାକୁ ସେ ସମ୍ଭବ କରିଛନ୍ତି। ଅଯୋଧ୍ୟା ମାମଲାରେ ସେ ଏହି କେସକୁ ଜିତିବାକୁ ତାଙ୍କ ଜୀବନର ସବୁଠାରୁ ବଡ ଚ୍ୟାଲେଞ୍ଜ ବୋଲି ସେ ମାନିନେଇଥିଲେ।
ନିକଟରେ ପରାସରନ୍ ଅଯୋଧ୍ୟା ମାମଲା ନେଇ କହିଥିଲେ, ‘ମୁଁ ବଞ୍ଚିଥିବା ଅବସ୍ଥାରେ ରାମଲାଲାଙ୍କୁ ଆଇନଗତ ପକ୍ରିୟାରେ ବିରାଜମାନ କରିବାକୁ ଚାହେଁ।’ ସବୁଠାରୁ ବଡ କଥା ହେଲା ଯେଉଁ ବୟସରେ ସାଧାରଣତଃ ଲୋକମାନେ କାମ ଛାଡି ଦେଇଥାନ୍ତି ସେତେବେଳେ ପରାସରନ୍ ସମ୍ପୂର୍ଣ୍ଣ ସକ୍ରିୟ ଭାବରେ ରାମ ଜନ୍ମଭୂମି କେସ୍ ଲଢିଥିଲେ। ଏହି ମାମଲା ନେଇ ଯେତେବେଳେ କୋର୍ଟରେ ପ୍ରତିଦିନ ଶୁଣାଣି ଆରମ୍ଭ ହୋଇଥିଲା ତାଙ୍କର ବୟସ ଦେଖି ବିରୋଧୀ ପକ୍ଷର ଓକିଲ କହିଥିଲେ ତାଙ୍କ ପାଇଁ ଅସୁବିଧା ହୋଇପାରେ। କିନ୍ତୁ ପରାସରନ୍ ଏହାକୁ ଭୁଲ୍ ପ୍ରମାଣିତ କରି ଘଣ୍ଟା ଘଣ୍ଟା ଧରି ମାମଲାର ଶୁଣାଣି ବେଳେ ପ୍ରତିପକ୍ଷ ଓକିଲଙ୍କ ସହିତ ଯୁକ୍ତି କରିଥିଲେ।
ଅଯୋଧ୍ୟା ମାମଲାର ଶୁଣାଣି ସମୟରେ ଥରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ କହିଥିଲେ ଆପଣ ବସିକି ଯୁକ୍ତି ରଖିପାରିବେ। ବୟସ ଦୃଷ୍ଟିରୁ ଠିଆ ହୋଇ ଯୁକ୍ତି ରଖିବାରେ କାଳେ ସମସ୍ୟା ହେଉଥିବ ଭାବି ଜଷ୍ଟିସ୍‌ ଗୋଗୋଇ ତାଙ୍କୁ ଏପରି କହିଥିଲେ, କିନ୍ତୁ ପରାଶରନ୍‌ ରାଜି ହୋଇନଥିଲେ। ସେ କହିଥିଲେ, ମୁଁ ଠିକ୍‌ ଅଛି। ଠିଆ ହୋଇ ଯୁକ୍ତି ରଖିବା ବାର୍‌ର ପରମ୍ପରା। ମୁଁ ଏହାକୁ ବଜାୟ ରଖିବି। ଆଉ ସେପରି ମଧ୍ୟ ସେ କରିଥିଲେ। ଧର୍ମ ଓ ପୁରାଣରେ ଅଗାଧ୍ୟ ପାଣ୍ଡିତ୍ୟ ଥିବା କାରଣରୁ ସେ ସ୍କନ୍ଦ ପୁରୁଣାର ଶ୍ଲୋକ, ରାମ ଚରିତ ମାନସ ଓ ବାଲ୍ମିକୀ ରାମାୟଣ ଜରିଆରେ ଭଗବାନ ରାମ ଓ ରାମ ମନ୍ଦିରର ଅସ୍ତିତ୍ବକୁ ପ୍ରମାଣିତ କରିବାକୁ ଚେଷ୍ଟା କରିଥିଲେ।
ସେ ଅଯୋଧ୍ୟା ମାମଲାରେ ରାମଲାଲା ବିରାଜମାନର ଓକିଲ ରହିବା ସହିତ ସବରିମାଳା ମନ୍ଦିର ମାମଲାରେ ଭଗବାନ ଆୟପ୍ପାଙ୍କର ମଧ୍ୟ ପକ୍ଷକାରଙ୍କ ଓକିଲ ଥିଲେ। ସେଥିପାଇଁ ତାଙ୍କୁ ଭଗବାନଙ୍କ ଓକିଲ ମଧ୍ୟ ଅନେକ କହିଥାନ୍ତି। ଅଯୋଧ୍ୟା ମାମଲାରେ ୪୦ ଦିନ ପର୍ୟ୍ୟନ୍ତ ଚାଲିଥିବା ନିୟମିତ ଶୁଣାଣିରେ ସେ ପ୍ରତିଦିନ ଖୁବ୍ ପରିଶ୍ରମ କରୁଥିଲେ। ତାଙ୍କୁ ଭାରତୀୟ ଓକିଲାତି ଦୁନିଆର ‘ଭୀଷ୍ମ ପିତାମହ’ ବୋଲି କୁହାଯାଏ।
୯ ଅକ୍ଟୋବର ୧୯୨୭ରେ ତାମିଲନାଡ଼ୁର ଶ୍ରୀରଙ୍ଗମ୍‌ଠାରେ ଜନ୍ମ ନେଇଥିବା ପରାସରନଙ୍କ ବାପା ମଧ୍ୟ ଓକିଲ ଥିଲେ। ପରାସରନ୍ ତାମିଲନାଡୁର ଆଡଭୋକେଟ୍ ଜେନେରାଲ ରହିବା ବ୍ୟତୀତ ଭାରତର ଆଟର୍ଣ୍ଣିଂ ଜେନେରାଲ ମଧ୍ୟ ରହିସାରିଛନ୍ତି। ୧୯୫୮ରେ ଓକିଲ ବୃତ୍ତି ଆରମ୍ଭ କରି ଜରୁରୀକାଳୀନ ଶାସନ ସମୟରେ ୧୯୭୬ ମସିହାରେ ତାମିଲନାଡ଼ୁ ସରକାରଙ୍କ ଆଡଭୋକେଟ୍‌ ଜେନେରାଲ ଦାୟିତ୍ୱ ନେଇଥିଲେ।ଏହାଛଡା ସେ ୨୦୧୨ ରୁ ୨୦୧୮ ଭିତରେ ରାଜ୍ୟସଭାର ସଦସ୍ୟ ଥିଲେ। ପରାସରନକୁ ‘ପଦ୍ମଭୂଷଣ’ ଓ ‘ପଦ୍ମବିଭୂଷଣ’ରେ ସମ୍ମାନିତ ହୋଇଥିଲେ। ପ୍ରଥମେ ଭାରତ ସରକାରଙ୍କ ସଲିସିଟର ଜେନେରାଲ ହେବା ପରେ ୧୯୮୩-୧୯୮୯ ମସିହାରେ ସ୍ୱର୍ଗତ ଇନ୍ଦିରା ଗାନ୍ଧି ଏବଂ ରାଜୀବ ଗାନ୍ଧିଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଆଟର୍ଣ୍ଣି ଜେନେରାଲର ଦାୟିତ୍ୱ ତୁଲାଇଥିଲେ ପରାସରନ୍‌।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons