ଭଣ୍ଡାରିପୋଖରୀ,(ବି.ବି.ନୁ୍ୟଜ୍): ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥରୁ ମଙ୍ଗଳବାର ରାତିରେ ଦୁଇ ବେଆଇନ ଗୋରୁଗାଡ଼ି ଜବତ ହୋଇଛି । ଏହି ଗାଡ଼ି ଦ୍ୱୟରେ ଥିବା ୯୦ ଗୋରୁକୁ ପୁଲିସ ଉଦ୍ଧାର କରିଛି । ଦୁଇ ଗାଡ଼ିର ଚାଳକଙ୍କୁ ମଧ୍ୟ ପୁଲିସ ଗିରଫ କରିଛନ୍ତି ।
କୋଭିଡ-୧୯ ମୁକାବିଲା ପାଇଁ ରାଜପଥରେ ଯାତାୟତ କରୁଥିବା ବିଭିନ୍ନ ଯାତ୍ରୀ ଓ ଯାତ୍ରୀବାହୀ ଯାନକୁ ଠାବ କରିବାକୁ ନିୟୋଜିତ ସ୍ୱତନ୍ତ୍ର ପୁଲିସ ଆଖୁଆପଦାଠାରେ ଉକ୍ତ ଗାଡ଼ିଦ୍ୱୟକୁ ଧରିଥିଲା । ଯାଞ୍ଚବେଳେ ମଙ୍ଗଳବାର ରାତ୍ର ପ୍ରାୟ ୨.୩୦ ମି. ସମୟରେ ଓ.ଆର.୦୪.ଏଚ.୭୯୮୯ କଣ୍ଟେନର ଓ ଓ.ଆର.୨୨.୫୩୮୩ ନଂ ପିକଅପ ଭ୍ୟାନକୁ ପୁଲିସ ସନେ୍ଦହ କରି ଅଟକାଇଥିଲେ । ତନଖି ସମୟରେ କଣ୍ଟେନରରେ ୭୫ଟି ଓ ପିକଅପରେ ୧୫ଟି ଗୋରୁ ବେଆଇନ ଭାବେ ଚାଲାଣ କରାଯାଉଥିବା ଜାଣି ପୁଲିସ ସ୍ଥାନୀୟ ଥାନାକୁ ଜଣାଇଥିଲା । ଗୋରୁ ଗାଡି ଦୁଇଟିର ଚାଳକ ଭଦ୍ରକକୁ ଗୋରୁ ନିୟମିତ ଭାବେ ପରିବହନ କରାଯାଉଥିବା ପ୍ରକାଶ କରିଥିଲେ । ଥାନା ପାଟ୍ରୋଲିଂ ଭ୍ୟାନ ଗୋରୁ ବୋଝେଇ ଯାନ ଦୁଇଟିକୁ ଥାନାକୁ ଆଣିଥିଲା । ୯୦ଟି ଯାକ ଗୋରୁକୁ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ମଇତାପୁରସ୍ଥିତ ରୁଦ୍ରାଶ୍ରମ ଗୋଶାଳାରେ ରଖା ଯାଇଛି ।
ପୁରୁଣାବଜାର ଥାନା ଏଏସଆଇ ଲକ୍ଷ୍ମଣ କୁମାର ହାସଁଦାଙ୍କ ଅଭିଯୋଗ କ୍ରମେ ୧୧୮/୨୦ନଂ ମାମଲା ଋଜୁ କରାଯାଇ କଣ୍ଟେନର ଚାଳକ ପୁରୁଣାବଜାର ଥାନା ଅଞ୍ଚଳ ଦୁର୍ଗାପୁର ଗ୍ରାମର ଶେଖ ଅନୁସିଦ୍ଧିନ ଓ ପିକଅପ ଚାଳକ ଭଦ୍ରକ ଟାଉନ ଥାନା ଅଞ୍ଚଳର ଶେଖ ବାବୁକୁ ଗିରଫ କରାଯାଇଛି । ମଞ୍ଜୁରୀରୋଡ ଫାଣ୍ଡି ଅଧିକାରୀ ବ୍ରଜକିଶୋର ଦାସଙ୍କୁ ତଦନ୍ତକାରୀ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି । ଗତ ମେ ମାସ ୯ ତାରିଖ ବିଳମ୍ବିତ ରାତ୍ରରେ ଦକ୍ଷିଣବାଡ ସରପଞ୍ଚବିଜୟ ଶଙ୍କର ମହାନ୍ତି ୧୬ ନଂ ଜାତୀୟ ରାଜପଥରୁ ଛଅଟି ଲେଖାଏଁ ଗୋରୁ ଅତି ନିର୍ଦ୍ଧୟ ଭାବେ ବନ୍ଧା ହୋଇଥିବା ଓଡି.୦୧.ଏ.୧୮୭୮ ଓ ଓଡି.୦୧.୧୧୮୮ନଂ ଗୋରୁ ବୋଝେଇ ପିକଅପ ଭ୍ୟାନକୁ ଧରିଥିଲେ । ଅନ୍ଧାରର ସୁଯୋଗ ନେଇ ଚାଳକ ଓ ସେମାନଙ୍କ ସହଯୋଗୀ ସୁରକ୍ଷାକାରୀମାନେ ଫେରାର ହୋଇଯାଇଥିଲେ । ସରପଞ୍ଚଙ୍କ ଅଭିଯୋଗ କ୍ରମେ ଏ ସମ୍ପର୍କରେ ୮୭/୨୦ନଂ ମାମଲା ଋଜୁ ହୋଇଥିଲା । ୧୨ଟି ଯାକ ଗୋରୁକୁ ପୁଲିସ ଭଦ୍ରକ ଗୋଶାଳାକୁ ପଠାଇଥିଲା । ମାତ୍ର ଚାଳକ ଅଥବା ମାଲିକ କେହି ଧରାପଡିନଥିଲେ । କରୋନା କଟକଣା ସତ୍ତେ୍ୱ ବହୁ ବେଆଇନ ଗୋରୁ ଗାଡି ରାଜପଥରେ ଚଳାଚଳ କରୁଛି । ଏଥିନେଇ ଏକ ବୃହତ ଆନ୍ତଃରାଜ୍ୟ ଅପରାଧିକ ନେଟୱାର୍କ କାର୍ଯ୍ୟ କରୁଛି । ଗୋରୁ ଗାଡ଼ି ପାର କରିବାକୁ କେତେକ ପୁଲିସ କର୍ମଚାରୀ ହାତଗୁଞ୍ଜା ନେଉଥିବା ଅଭିଯୋଗ ହେଉଛି । ୧୬ ନଂ ଜାତୀୟ ରାଜପଥ ଦେଇ ନିୟମିତ ଭାବେ ଗୋରୁ ଚାଲାଣ ହେଉଥିବା ଅଭିଯୋଗ ଏସପିଙ୍କ ନିକଟକୁ ଯାଇଛି ।
Comments are closed, but trackbacks and pingbacks are open.