ଛତ୍ରପୁର, (ବି.ବି.ନୁ୍ୟଜ୍): ଗଞ୍ଜାମ ସମେତ କନ୍ଧମାଳ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଫାଇନାନ୍ସ କର୍ମଚାରୀଙ୍କୁ ଟାର୍ଗେଟ୍ କରି ଲୁଟ୍ପାଟ କରୁଥିବା ଗ୍ୟାଙ୍ଗ୍କୁ କାବୁ କରିଛି ଗଞ୍ଜାମ ପୁଲିସ । ପ୍ରାୟ ୧୩ଟି ଲୁଟ୍ ମାମଲାରେ ସମ୍ପୃକ୍ତି ଅଭିଯୋଗରେ ପୁଲିସ ୯ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ଜବତ ହୋଇଛି ୪ ଦେଶୀ ପିସ୍ତଲ, ୧୦ ଗୁଳି, ଖଣ୍ଡା, ଛୁରି, ୧୬ ମୋବାଇଲ୍ ଓ ୪ ବାଇକ୍ । ଅଭିଯୁକ୍ତମାନେ ବିଭିନ୍ନ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କୁ ଟାର୍ଗେଟ୍ କରିବା ଖେଳନା ବନ୍ଧୁକ ଓ ପିସ୍ତଲ ଦେଖାଇ ଲୁଟୁଥିଲେ । ଆଉ କିଛି ଅଭିଯୁକ୍ତ ଫେରାର ଅଛନ୍ତି, ସେମାନଙ୍କୁ ମଧ୍ୟ ଅତି ଶୀଘ୍ର ଗିରଫ କରାଯିବ ବୋଲି ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରାଏ ଛତ୍ରପୁର ଠାରେ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଗିରଫ ଅଭିଯୁକ୍ତମାନେ ହେଲେ ଯୋଗୀ ଗୌଡ଼, ଶିବରାମ ଦାଶ, ସୁନୀଲ ମହାନ୍ତି, ଅଶ୍ୱିନୀ ଗୌଡ଼, ତନୁଜ ସ୍ୱାଇଁ, ମନୋଜ ଗୌଡ଼, ଭରତ ପ୍ରଧାନ, ସଞ୍ଜୟ ନାହାକ ଓ ଆଦିତ୍ୟ ପଲେଇ । ଫୁଲବାଣୀ, କବିସୂର୍ଯ୍ୟନଗର, ପୁରୁଷୋତ୍ତମପୁର, ପାଟପୁର, ଖଲିକୋଟ ଆଦି ଥାନା ଅଞ୍ଚଳର ଏହି ଅଭିଯୁକ୍ତମାନେ ଦୀର୍ଘ ଦିନ ହେଲା ଲୁଟ୍ପାଟ କରି ଆସୁଥିଲେ । ସେମାନଙ୍କୁ ଜେରା ପରେ କୋର୍ଟଚାଲାଣ କରାଯାଇଥିବା ସୂଚନା ଦେଇଛି ପୁଲିସ । ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍ପି ଠାକୁର ପ୍ରସାଦ ପାତ୍ର, ଡିଏସ୍ପି (ହେଡ୍କ୍ୱାର୍ଟର) ଉକ୍ରଳ କେଶରୀ ଦାସ, ଡିଏସ୍ପି ସଞ୍ଜୟ ମହାପାତ୍ର, ଛତ୍ରପୁର ଏସ୍ଡିପିଓ ଗୌତମ କିଶାନ୍, ପୁରୁଷୋତ୍ତମପୁର ଏସ୍ଡିପିଓ ସୀମା ସ୍ୱାଇଁ, ରିଜର୍ଭ ଇନିସପେକ୍ଟର ଗଙ୍ଗାଧର ଧାଙ୍ଗର, ଖଲିକୋଟ ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ପୁରୁଷୋତ୍ତମପୁର ଥାନାଧିକାରୀ ଜଗନ୍ନାଥ ମଲ୍ଲିକ, କବିସୂର୍ଯ୍ୟନଗର ଥାନାଧିକାରୀ ପ୍ରଭାତ କୁମାର ସାହୁ, ଗାଙ୍ଗପୁର ଥାନାଧିକାରୀ ଧୀରେଶ ଦାଶ, କୋଦଳା ଥାନାଧିକାରୀ ଦେବାଶିଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.