ୱୁହାନ୍କୁ ଫେରିଲା କରୋନା:୩୭ ଦିନ ପରେ ଜଣେ ପଜିଟିଭ୍

Get real time updates directly on you device, subscribe now.

ୱୁହାନ୍: ଚୀନ୍ର ୱୁହାନ୍ ସହରରୁ କରୋନା ସାରା ବିଶ୍ୱକୁ ବ୍ୟାପିଥିଲା । କିନ୍ତୁ ପ୍ରଥମେ ଏହି ସହର କରୋନାମୁକ୍ତ ହୋଇଥିଲା । ଏହାପରେ ସବୁକିଛି ସ୍ୱାଭାବିକ ହୋଇପଡ଼ିଥିଲା । ୭୬ ଦିନ ଧରି ଲକ୍ଡାଉନ୍ରେ ସହରବାସୀ ଅଣନିଃଶ୍ୱାସୀ ହୋଇଯାଇଥିଲେ । ତେବେ କରୋନାମୁକ୍ତ ଘୋଷଣା ହେବା ପରେ ଜୀବନଜୀବିକା ସ୍ୱାଭାବିକ ପାଲଟିଥିଲା । କିନ୍ତୁ ଏବେ ୱୁହାନ୍କୁ ପୁଣି ଗ୍ରାସ କରିଛି କରୋନା ଭୂତାଣୁ । ୩୭ ଦିନ ଧରି କରୋନାମୁକ୍ତ ଆଖ୍ୟା ପାଇବା ପରେ ଏହି ସହରକୁ କରୋନା ପୁନଃ ପ୍ରବେଶ କରିଛି । ଏଠାରେ ଜଣେ ରୋଗୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ହୁବେଇ ପ୍ରଦେଶର ଏହି ରାଜଧାନୀ ସହରରେ ପୁଣି କୋକୁଆ ଭୟ ସୃଷ୍ଟି ହୋଇଛି ।
ଚୀନ୍ର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗଙ୍କ ସୂଚନା ମୁତାବକ ଦେଶରେ ୧୪ଟି କରୋନା ମାମଲା ଦେଖାଦେଇଛି । ଏପ୍ରିଲ ୨୮ ପରଠାରୁ ଏହା ସର୍ବାଧିକ । ଏହା ମଧ୍ୟରେ ୱୁହାନ୍ର ଜଣେ କରୋନା ପଜିଟିଭ୍ ବ୍ୟକ୍ତି ରହିଛନ୍ତି । ତେବେ ତାଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇ ନ ଥିଲା । କିନ୍ତୁ ଏବେ ନମୁନା ରିପୋର୍ଟ ପଜିଟିଭ୍ ଆସିଥିବାରୁ ଏହା ଚିନ୍ତାଜନକ ପାଲଟିଛି ।
୨୦୧୯ ଡିସେମ୍ବରରେ ୱୁହାନ୍ ସହରରେ କରୋନା ଭୂତାଣୁ ଚିହ୍ନଟ କରାଯାଇଥିଲା । ଏହି ସହରର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଥିଲା । ଚାହୁଁ ଚାହୁଁ ସଂକ୍ରମିତ ସଂଖ୍ୟା ହୁ ହୁ ହୋଇ ବଢ଼ିଥିଲା । ଅନେକ ଲୋକ ପ୍ରାଣ ହରାଇଥିଲେ । ୱୁହାନ୍ର ସ୍ଥିତି ଦେଖି ବିଶ୍ୱବାସୀ ମର୍ମାହତ ହୋଇଥିଲେ । ତେବେ ଏପ୍ରିଲ ୩ ତାରିଖ ପରଠାରୁ ଏଠାରେ ଗୋଟିଏ ବି ରୋଗୀ ଦେଖିବାକୁ ମିଳି ନ ଥିଲା । କରୋନା ଏଠାରୁ ବିଦାୟ ନେଇଥିବା ଭଳି ମନେହୋଇଥିଲା । ଲୋକମାନେ ପୂର୍ବ ଭଳି ଏଠାକାର ବଜାର ହାଟରେ ବୁଲାବୁଲି କରିଥିଲେ । ପର୍ଯ୍ୟଟନସ୍ଥଳୀ ଓ ସିନେମା ହଲ୍ରେ ଗହଳି ଜମିଥିଲା । କିନ୍ତୁ ପୁଣି ନୂଆ ମାମଲା ଆସିବା ପରେ ସବୁ ଓଲଟା ପଡ଼ିଯାଇଛି ।
ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ ଗତ ଗୁରୁବାର ଦେଶର ସମସ୍ତ ଅଞ୍ଚଳକୁ କମ୍ ବିପଜ୍ଜନକ ବୋଲି ଘୋଷଣା କରାଯାଇଥିଲା । ରବିବାର ସଂଖ୍ୟା ଜାରି ହେବାର ଦିନକ ପୂର୍ବରୁ ଗୋଟିଏ କରୋନା ମାମଲା ଚିହ୍ନଟ କରାଯାଇଥିଲା । ଚୀନ୍ର ଉତ୍ତରପୂର୍ବ ଜିଲିନ ପ୍ରଦେଶ ଅଧୀନ ସୁଲାନ ସହରରେ ଗୋଟିଏ କରୋନା ମାମଲା ଦେଖିବାକୁ ମିଳିଥିଲା । କିନ୍ତୁ ରବିବାର ଆଉ ୧୧ଟି ମାମଲା ଚିହ୍ନଟ କରାଯାଇଛି । ସ୍ୱାସ୍ଥ୍ୟ ଆୟୋଗ ସୂଚନା ମୁତାବକ ଦେଶରେ ମୋଟ କରୋନା ମାମଲା ୮୨,୯୦୧ରେ ପହଞ୍ଚିଥିବା ବେଳେ ୪,୬୩୩ ଲୋକ ପ୍ରାଣ ହରାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons