ଭୁବନେଶ୍ୱର,(ବି.ବି.ବ୍ୟୁରୋ): ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ‘ମୋ ଛତୁଆ ୱେବ୍ସାଇଟ୍’, ଆପ୍ ଓ ସୂଚନା ପରିଚାଳନା ବ୍ୟବସ୍ଥାର ବିକାଶ କରାଯାଇଛି । ଆଜି ପୋଖରୀପୁଟସ୍ଥିତ ମିଶନ ଶକ୍ତି ଭବନରେ ଆୟୋଜିତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ବିଭାଗୀୟ ମନ୍ତ୍ରୀ ଟୁକୁନୀ ସାହୁ ଏହି ୱେବ୍ସାଇଟ୍ ଓ ଆପ୍ର ଶୁଭାରମ୍ଭ କରିଛନ୍ତି । ଏଥି ସହିତ ଘରକୁ ନେବା ଖାଦ୍ୟ(ଟେକ୍ ହୋମ୍ ରାସନ୍) ସଂଶୋଧିତ ନିୟମାବଳୀକୁ ମଧ୍ୟ ଉନ୍ମୋଚନ କରିଛନ୍ତି । ‘ମୋ ଛତୁଆ’ ଆପ୍ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ଏବଂ ଅଜିମ୍ ପ୍ରେମ୍ଜୀ ଫିଲାନ୍ଥ୍ରୋପିକ୍ ଇନିସିଏଟିଭସ୍ର ଏକ ଯୁଗ୍ମ ପରିକଳ୍ପନା ।
ୱେବ୍ସାଇଟ୍ ଲୋକାର୍ପଣ କରି ମନ୍ତ୍ରୀ ଶ୍ରୀମତୀ ସାହୁ କହିଲେ, ଅପପୁଷ୍ଟି ରୋକିବା ଦିଗରେ ରାଜ୍ୟ ସରକାରଙ୍କ ଦ୍ୱାରା ବ୍ୟାପକ କାର୍ଯ୍ୟକ୍ରମ କରାଯାଉଛି । ରାଜ୍ୟର ମହିଳା, ଗର୍ଭବତୀ, କିଶୋରୀ ଏବଂ ଶିଶୁଙ୍କୁ ଆବଶ୍ୟକୀୟ ପୁଷ୍ଟିସାଧାନ ପାଇଁ ପରିପୂରକ ଖାଦ୍ୟ ଯୋଜନା ଆବଶ୍ୟକୀୟ ଶୁଖିଲା ଖାଦ୍ୟ ଏବଂ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ଏହି ଖାଦ୍ୟ ଯୋଗାଣରେ ଅଧିକ ସ୍ୱଚ୍ଛତା ଆଣିବା ଏବଂ ଏହାର ପରିଚାଳନା ବ୍ୟବସ୍ଥାକୁ ନିୟମିତ ଭାବେ ନୀରକ୍ଷଣ ଏବଂ ତଦାରଖ କରିବା ଦିଗରେ ଏହି ୱେବ୍ସାଇଟ୍ ଅତ୍ୟନ୍ତ ଉପଯୋଗୀ ହୋଇପାରିବ । ଛତୁଆର ମାନବୃଦ୍ଧି ସହ ପୁଷ୍ଟିସାଧନ ଲକ୍ଷ୍ୟ ହାସଲ ଦିଗରେ ଏହା ଏକ ସମନ୍ୱିତ ପ୍ରୟାସ ବୋଲି ସେ ମତବ୍ୟକ୍ତ କରିଥିଲେ ।
ୱେବ୍ସାଇଟ୍ ସମ୍ପର୍କରେ ସୂଚନା ଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ କହିଲେ, ଏହି ୱେବ୍ସାଇଟ୍ ଜରିଆରେ ଛତୁଆ ଯୋଗାଣ, ମାନ ନିର୍ଦ୍ଧାରଣ, ସାମଗ୍ରୀ କ୍ରୟ, ପ୍ରସ୍ତୁତି ଏବଂ ବଣ୍ଟନ ବ୍ୟବସ୍ଥାକୁ ଅଧିକ ବ୍ୟବସ୍ଥିତ କରାଯାଇପାରିବ । ଏହି ଆପ୍ ଦ୍ୱାରା ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଅନ୍ଲାଇନ୍ ମନିଟରିଂ କରାଯିବା ସହ ମାସର ଏକ ନିର୍ଦ୍ଧିଷ୍ଟ ଦିନରେ ଛତୁଆ ପ୍ରସ୍ତୁତକାରୀ ସ୍ୱୟଂ ସହାୟକ ଗୋଷ୍ଠୀ ଛତୁଆ ମିଶ୍ରଣ କରିବେ । ଯାଞ୍ଚ କମିଟିଙ୍କ ଉପସ୍ଥିତିରେ ନିର୍ଦ୍ଧିଷ୍ଟ ଦିନରେ ଗର୍ଭବତୀ ମହିଳା, କିଶୋରୀ, ଶିଶୁଙ୍କୁ ଛତୁଆ ବଣ୍ଟନ କରାଯିବ । ଏଥି ସହିତ ସ୍ୱୟଂ ସହାୟକ ଗୋଷ୍ଠୀମାନେ ଅନ୍ଲାଇନ୍ ବିଲ୍ ପୈଠ କରିବେ ଏବଂ ଦେୟ ବି ଇ-ପେମେଣ୍ଟ ଜରିଆରେ କରାଯିବ । ଏଥିପାଇଁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଶିଶୁ ବିକାଶ ଅଧିକାରୀ ଏବଂ ଅଙ୍ଗନବାଡି ସୁପରଭାଇଜରମାନେ ଜାରି କରାଯାଇଥିବା ଗାଇଡ୍ଲାଇନ୍ର ଅନୁପାଳନ କରିବାକୁ ସେ ପରାମର୍ଶ ଦେଇଥିଲେ ।
ଅନ୍ୟପକ୍ଷରେ କେନ୍ଦ୍ରୀୟ ଖାଦ୍ୟ ପ୍ରଯୁକ୍ତି ଗବେଷଣା ପ୍ରତିଷ୍ଠାନ ସହିତ ବିଭାଗ ପକ୍ଷରୁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ପ୍ରତିଷ୍ଠାନ ପକ୍ଷରୁ ମୁଖ୍ୟ ବୈଜ୍ଞାନିକ ଡ. ଶ୍ରୀଦେବୀ ଅନ୍ନପୂର୍ଣ୍ଣ ସିଂ ବୁଝାମଣା ପତ୍ରରେ ସ୍ୱାକ୍ଷରିତ କରିଥିଲେ । ହିତାଧିକାରୀମାନେ କିଭଳି ଉକ୍ରୃଷ୍ଟମାନର ଆବଶ୍ୟକୀୟ ପୁଷ୍ଟିକାର ଶୁଖିଲା ଖାଦ୍ୟ ପାଇପାରିବେ ସେଥିପାଇଁ ଏହି ପ୍ରତିଷ୍ଠାନ ଜରିଆରେ ବୈଷୟିକ ଜ୍ଞାନ ପ୍ରୟୋଗ କରି ଛତୁଆର ଗୁଣାତ୍ମକ ମାନ ନିୟମିତ ଯାଞ୍ଚ ହେବ । ବୈଷୟିକ ଜ୍ଞାନକୌଶଳ ପ୍ରୟୋଗରେ ଛତୁଆ ଯୋଗାଣରେ ସ୍ୱଚ୍ଛତା ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘୫ ଟି’ ସୂତ୍ର ଆଧାରରେ ଏହି ୱେବ୍ସାଇଟ୍ର ବିକାଶ କରାଯାଇଛି । ଆଜିର ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କମିଶନର ତଥା ନିର୍ଦ୍ଦେଶକ ସୁଜାତା ଆର୍. କାର୍ତ୍ତିକେୟନ୍, ସମାଜ କଲ୍ୟାଣ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ, ଅଜିମ୍ ପ୍ରେମ୍ଜୀ ଫିଲାନ୍ଥ୍ରୋପିକ୍ ଇନିସିଏଟିଭସ୍ର ଉପସଭାପତି ଦେବଜିତ୍ ମିତ୍ର ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ସବୁ ଜିଲ୍ଲା ମଙ୍ଗଳ ଅଧିକାରୀମାନେ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ ।
Comments are closed, but trackbacks and pingbacks are open.