ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସାତ ମାସର ‘ରାଜନୈତିକ ମଧୁଚନ୍ଦ୍ରିକା’ ଶେଷ । ଗଲା ମାର୍ଚ୍ଚ ୧୪ରେ ଅଚାନକ ଯେମିତି ବିଜେପିର ହାତ ଧରିଥିଲେ, ଅକ୍ଟୋବର ୧୪ରେ ଅତର୍କିତ ଭାବେ ଠିକ୍ ସେମିତି ପଦ୍ମର ସାଥ୍ ଛାଡ଼ିଛନ୍ତି, ରାଜ୍ୟର ବରିÂ ରାଜନେତା ଡା. ଦାମୋଦର ରାଉତ ।
ସାଧାରଣ ନିର୍ବାଚନ ପରଠୁ ଦଳ ଭିତରେ ସଂପୂର୍ଣ୍ଣ କୋଣଠେସା, ଅଲୋଡ଼ା ଓ ଅପଚରା ହୋଇଯାଇଥିବା ଅନୁଭବ କରି ଏହାକୁ ହିଁ ନିଜ ଇସ୍ତଫାର କାରଣ ଦର୍ଶାଇଛନ୍ତି ଦାମ । ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ଅଲୋଡ଼ା ହୋଇଯିବାର ଦୁଃଖ ଓ ମନସ୍ତାପ ତାଙ୍କୁ ଏତେ ବାଧିଛି ଯେ, କେବଳ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇନାହାନ୍ତି ସେ । ଉପରନ୍ତୁ, ସକ୍ରିୟ ନିର୍ବାଚନ ରାଜନୀତିରୁ ସଂପୂର୍ଣ୍ଣ ଅବ୍ୟାହତି ନେବାକୁ ବି ଏକରକମ ବାଧ୍ୟ ହୋଇଛନ୍ତି । ଦଳୀୟ ନିର୍ବାଚନୀ ରାଜନୀତିରେ ଆଉ ସେ ନିଜକୁ ସଂଶ୍ଳିଷ୍ଟ କରିବେନି ବୋଲି କହି ଆଜି ସେ ଏକରକମ ସନ୍ନ୍ୟାସ ଘୋଷଣା କରିବାକୁ ବାଧ୍ୟ ହୋଇଛନ୍ତି ।
ତେବେ ସାତ ଥର ବିଧାୟକ ତଥା ଛଅ ଥର କ୍ୟାବିନେଟ୍ ମନ୍ତ୍ରୀ ରହି ଏକ ଲମ୍ବା ରାଜନୈତିକ ଇନିଂସ୍ ଖେଳି ସାରିଥିବା ଭେଟେରାନ୍ ଦାମଙ୍କ ଏ ପ୍ରକାରର ବାଧ୍ୟ ସନ୍ନ୍ୟାସକୁ ନିହାତି ହାଲୁକା ଢଙ୍ଗରେ ଗ୍ରହଣ କରିଛନ୍ତି ସମସ୍ତେ । ବିଜେପି କହିଛି, ଏହାର କିଛି ବୋଲି କିଛି ପ୍ରଭାବ ପଡ଼ିବନି ଦଳ ଉପରେ । ଶାସକ ବିଜେଡିର କେତେଜଣ ଏ ପ୍ରସଂଗକୁ ଗୌଣ ଜ୍ଞାନ କରି ସଂପୂର୍ଣ୍ଣ ଏଡ଼ାଇ ଯାଇଥିବା ବେଳେ ଆଉ କେତେ ଜଣ ପରାମର୍ଶ ଛଳରେ ସକ୍ରିୟ ରାଜନୀତିରୁ ଦାମଙ୍କ ଜବରଦସ୍ତ ସନ୍ନ୍ୟାସକୁ ସ୍ୱାଗତ କରିଛନ୍ତି । ବୟସାଧିକ୍ୟ ହେତୁ ତାଙ୍କର ଏ ପଦକ୍ଷେପ ଯଥାର୍ଥ, ବରଂ ଅନେକ ଆଗରୁ ଏହା ସେ କରିବାର ଥିଲା ବୋଲି ବି ଅନେକ ମତ ରଖିଛନ୍ତି ।
ଗଲା କିଛି ଦିନ ହେଲାଣି ଦାମ ବିଜେପି ଛାଡ଼ିବେ.. ରାଜନୀତିରୁ ସନ୍ନ୍ୟାସ ନେବେ.. ବୋଲି ଚର୍ଚ୍ଚା ଚାଲିଥିଲା । ନିଜେ ଦାମ ବି ଏ ଚର୍ଚ୍ଚାକୁ ଖୋରାକ୍ ଯୋଗାଉଥିଲେ । ନିର୍ବାଚନ ଆଗରୁ ବିଜେପି ତାଙ୍କୁ ପାଛୋଟି ନେଇ ଦଳର ରାଜ୍ୟ ପ୍ରଚାର କମିଟି ଆବାହକ କରିଥିଲା, ହେଲିକପ୍ଟର୍ରେ ବସାଇ ରାଜ୍ୟସାରା ବୁଲାଉଥିଲା, ହେଲେ ନିର୍ବାଚନ ପରେ ଆଉ ତାଙ୍କୁ କେଉଁ ମିଟିଂକୁ ଡାକୁନି କି ତାଙ୍କୁ ପଚାରୁନି ବୋଲି କିଛି ଦିନ ତଳେ ଗଣମାଧ୍ୟମ ଆଗରେ ଖୋଲାଖୋଲି ନିଜ ଜମାଟବନ୍ଧା ଅସନ୍ତୋଷକୁ ଉଦ୍ଗାରିଥିଲେ ସେ । ରାଜନୀତି ପଣ୍ଡିତମାନଙ୍କ କହିବା କଥା, ବୋଧହୁଏ ସେ ଆଶା କରୁଥିଲେ, ଏହାପରେ ଦଳ ତାଙ୍କ ମାନଭଂଜନ କରିବ । ମାତ୍ର ସେମିତି କିଛି ହେଲାନି । ବିଜେପୁର ଉପନିର୍ବାଚନର ଚାଳିଶ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକାରେ ବି ସ୍ଥାନ ମିଳିଲାନି ତାଙ୍କୁ । ଦଳରେ ପତ୍ରଟିଏ ବି ହଲିଲାନି ତାଙ୍କ ଗରମ ପ୍ରତିକ୍ରିୟାର ପବନରେ । ଦଳର କୌଣସି ବରିÂ ନେତା ତ’ ଦୂରର କଥା, ସ୍ଥାନୀୟ ସାନ ନେତା ବି କେହି ଥରେ ତାଙ୍କୁ ଭେଟି ପଦେ ସାନ୍ତ୍ୱନା ଦେବାକୁ ଉଚିତ ମଣିଲେନି । ଯାହା ତାଙ୍କୁ ଭୀଷଣ ମାନସିକ ଆଘାତ ଦେଲା । ଦଳରେ ଯେ ତାଙ୍କ ଆବଶ୍ୟକତା ସରିଯାଇ ସାରିଛି ତାହା ସେ ଭଲଭାବେ ବୁଝିଗଲେ ।
ଫଳସ୍ୱରୂପ, ଗଲା ୧୪ ତାରିଖରେ ବିଜେପିର ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ କୁମାର ପଣ୍ଡାଙ୍କୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି ଦାମ । ଅନୁରୋଧ କରିଛନ୍ତି, ତାଙ୍କ ଇସ୍ତଫା ଗ୍ରହଣ କରିନେବାକୁ । ଆଜି ଏକଥା ଗଣମାଧ୍ୟମ ଆଗରେ ଖୋଲିବା ସହ ନିର୍ବାଚନୀ ରାଜନୀତିରୁ ପୂର୍ଣ୍ଣ ଅବ୍ୟାହତି ନେଉଥିବା କଥା ବି ଘୋଷଣା କରିଛନ୍ତି । ନିଜ ଇସ୍ତଫାପତ୍ରରେ ଦଳ ଛାଡ଼ିବାର କାରଣ ଦର୍ଶାଇବାକୁ ଯାଇ ଦାମ ଲେଖିଛନ୍ତି କି’ ଦଳ କିମ୍ବା ଦଳର ନେତୃତ୍ୱ ବିରୋଧରେ ମୋର ଅସୂୟା ମନୋଭାବ ବା ଅଭିଯୋଗ କିଛି ନାହିଁ । ତେବେ ନିର୍ବାଚନ ପରଠାରୁ ଦଳୀୟ କାର୍ଯ୍ୟକ୍ରମରେ ବା ନୀତି ନିଷ୍ପତ୍ତି ପ୍ରକ୍ରିୟାରେ ମୋର ଉପସ୍ଥିତି ବା ସଂପୃକ୍ତି ଆଉ ଆଦୌ ଦରକାର ପଡୁନଥିବା ମୁଁ ଅନୁଭବ କରୁଛି । ଡା. ରାଉତ ମାନିଛନ୍ତି ଯେ, ଏସବୁ ଘଟଣା ତାଙ୍କ ଭିତରେ ଗଭୀର ମାନସିକ ଅସନ୍ତୁଳନ ସୃଷ୍ଟି କରିଛି । ୩୫ ବର୍ଷ ବିଧାୟକ ରହିବା ପରେ ଅଲୋଡା ହୋଇଯିବା ଭଳି ସ୍ଥିତି ତାଙ୍କୁ ସକ୍ରିୟ ନିର୍ବାଚନ ରାଜନୀତିରୁ ସଂପୂର୍ଣ୍ଣ ଅବ୍ୟାହତି ନେବା ପାଇଁ ବାଧ୍ୟ କରୁଛି । ଏ ପରିଣତ ବୟସରେ ସେ ଆଉ ନିର୍ବାଚନ ରାଜନୀତିରେ ରହିବେ ନାହିଁ । ରଚନାତ୍ମକ କାମରେ ଅବଶିଷ୍ଟ ଜୀବନ ବିତାଇବେ ।
ଦାମଙ୍କ ଅଭିମାନଭରା ‘ଅଲୋଡ଼ା ଓ ଅପଚରା’ ବକ୍ତବ୍ୟକୁ କିନ୍ତୁ ଖଣ୍ଡନ କରିଛି ବିଜେପି । ଦଳର ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଦୃଢୋକ୍ତି ବାଢିଛନ୍ତି ଯେ, ବିଜେପିରେ କେବେ କାହାରିକୁ ଅଣଦେଖା କରାଯାଏ ନାହିଁ କି ଦାମଙ୍କୁ କରାଯାଇ ନାହିଁ । ତାଙ୍କୁ ସବୁ ବୈଠକକୁ ଡକାଯାଉଥିଲା । ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡା ମଧ୍ୟ କହିଛନ୍ତି କି’ ବିଜେପିରେ ସମସ୍ତେ ନେତା, ସମସ୍ତଙ୍କୁ ସମାନ ସମ୍ମାନ ଦିଆଯାଏ । ସମସ୍ତେ ମିଳିତ ଭାବେ ନିଷ୍ପତ୍ତି ନିଅନ୍ତି । କାହାରିକୁ ପଚରା ନଯିବାର ପ୍ରଶ୍ନ ଉଠୁନି । ତେବେ ଦାମଙ୍କ ଇସ୍ତଫା ବିଜେପି ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ବିଜେପି ପ୍ରଭାରୀ ଅରୁଣ ସିଂହ ଦୃଢୋକ୍ତି ବାଢିଥିବା ବେଳେ ଦାମଙ୍କ ରାଜନୀତି ଛାଡ଼ିବା ନିଷ୍ପତ୍ତିକୁ ସେ ସ୍ୱାଗତ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବିଜେପି ଛାଡ଼ିବା ପରେ ଦାମ ବିଜେଡିକୁ ବାହୁଡ଼ିବାର ସମ୍ଭାବନାକୁ ନେଇ କିନ୍ତୁ ବିଜେଡି ଶିବିରରୁ କିଛି ଠୋସ୍ ପ୍ରତିକ୍ରିୟା ମିଳିନାହିଁ । ଦଳରୁ ବହିଷ୍କୃତ ହୋଇଥିବା ଦାମଙ୍କ ବାବଦରେ ମୁହଁ ଖୋଲିବାକୁ ଉଚିତ ମନେନକରି ପ୍ରାୟ ସମସ୍ତେ ଚୁପ୍ ରହିଛନ୍ତି । ନିଜେ ଦାମ ମଧ୍ୟ ଏ ପ୍ରସଂଗରେ ବେଶୀ କିଛି ଖୋଲିନାହାନ୍ତି । କେବଳ ଏତିକି କହିଛନ୍ତି, ମୁଁ ଆଉ ସକ୍ରିୟ ନିର୍ବାଚନୀ ରାଜନୀତିରେ ରହିବିନି । ଯଦି କେଉଁଠୁ କିଛି ପ୍ରସ୍ତାବ ଆସେ ତେବେ ଆଲୋଚନା କରି ଦେଖିବି । ଦାମଙ୍କ ପୁଅ ତଥା ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କୁ ଏ ପ୍ରସଂଗରେ ପଚରାଯିବାରେ ସେ କହିଛନ୍ତି କି’ ବିଜେପିରେ ଯୋଗ ଦେବା ସଂପର୍କରେ ବାପାଙ୍କ ନିଷ୍ପତ୍ତି ଭୁଲ୍ ଥିଲା । ସେତେବେଳେ ମୁଁ ତାଙ୍କୁ ଚାହିକରି ବି ରୋକି ପାରିନଥିଲି । ଏବେ ସେ ବିଜେପି ଛାଡ଼ି ଠିକ୍ ନିଷ୍ପତ୍ତି ନେଇଛନ୍ତି । ବିଜେଡି ନେତୃତ୍ୱ ଚାହିଲେ ସେ ପୁଣି ଦଳକୁ ଫେରିପାରନ୍ତି । ବିଜୁବାବୁଙ୍କ ଲୋକ ହିସାବରେ ଅନ୍ୟ କେଉଁ ଦଳରେ ସେ ରହିବା କଷ୍ଟ । ତେବେ ରାଜନୈତିକ ବିଶ୍ଳେଷକମାନଙ୍କ କହିବା କଥା, ଦାମଙ୍କ ପାଇଁ ବିଜେଡିକୁ ବାହୁଡ଼ିବାର ରାସ୍ତା ଅନେକ ଆଗରୁ ଏକପ୍ରକାର ବନ୍ଦ ହୋଇସାରିଛି । ତାଙ୍କୁ ଆଉ କେହି ଡାକିହାକି ଲୋଡ଼ିବାର ପ୍ରଶ୍ନ ଉଠୁନି । ସେକଥା ଜାଣି ହିଁ ସେ ନିଜପଟୁ ନିଜ ସନ୍ନ୍ୟାସ ଘୋଷଣା କରିଛନ୍ତି । ନିଜ ହାତରେ ନିଜ ୩୫ ବର୍ଷର ରାଜନୈତିକ କ୍ୟାରିୟର୍ର ଅନ୍ତ ଘଟାଇ ନିରବରେ ରାଜନୀତି ମଇଦାନରୁ ବାହାରି ଯାଇଛନ୍ତି ।
Comments are closed, but trackbacks and pingbacks are open.