କୋଲକାତା: କୋଲକାତାର ଉତ୍ତର ଭାଗରେ ଥିବା ତଲା ବ୍ରିଜ୍କୁ ଭଙ୍ଗାଯିବ । ଏହାର ଜୀବନକାଳ ଆଉ ମାତ୍ର ୩ ମାସ ରହିଛି । ତେବେ ଏହି ପୋଲକୁ ଭାଙ୍ଗିବା ପୂର୍ବରୁ ଏହାର ପରିବେଶ ପ୍ରଭାବ ମୂଲ୍ୟାୟନ ପାଇଁ ବ୍ୟାପକ ଅଧ୍ୟୟନ କରାଯିବ । ପଶ୍ଚିମବଙ୍ଗ ସରକାରଙ୍କ ପୂର୍ତ୍ତ ବିଭାଗ ଏ ନେଇ ଯୋଜନା କରୁଥିବା ଜଣାପଡ଼ିଛି ।
ପୋଲ ବିଶେଷଜ୍ଞ ଭି କେ ରାଇନାଙ୍କ ପରାମର୍ଶ ପରେ ରାଜ୍ୟ ସରକାର ତପôରତା ପ୍ରକାଶ କରିଛନ୍ତି । ଲୋକାର୍ପଣର ୩୦ ବର୍ଷ ପରେ ଏହି ବ୍ରିଜ୍ ଉପର ଦେଇ କେତେ ଯାନବାହନ ଚଳାଚଳ କରୁଛି, ତାହାର ହିସାବ କରାଯିବ । ସେହି ଅନୁସାରେ ନୂଆ ବି୍ରଜ୍କୁ ନିର୍ମାଣ କରାଯିବ । ନିର୍ମାଣ ହେବାକୁ ଥିବା ନୂଆ ପୋଲ ଉପରେ କେତେ ଯାନବାହନ ଚଳାଚଳ କରିବ ଏବଂ ଭବିଷ୍ୟତରେ କେତେ ଅଧିକ ଗାଡ଼ି ଚଳାଚଳ କରିବ, ତାହାର ବି ମୂଲ୍ୟାୟନ କରାଯିବ । ଭି କେ ରାଇନାଙ୍କ ରିପୋର୍ଟରେ ଏହିସବୁ ପରାମର୍ଶ ଦିଆଯାଇଛି ।
ରାଇନାଙ୍କ ରିପୋର୍ଟ ଆହୁରି ଦର୍ଶାଇଛି ଯେ ଏହି ବ୍ରିଜ୍ର ଜୀବନକାଳ ଆଉ ମାତ୍ର ୩ ମାସ ରହିଥିବାରୁ ଏହା ଉପରେ ଭାରୀଯାନ ଚଳାଚଳ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିବ । ଏହାକୁ ନିରାପଦ ରଖିବା ପାଇଁ କେବଳ ମୋଟରସାଇକେଲ ଏବଂ ହାଲୁକା ଯାନ ଚଳାଚଳକୁ ଅନୁମତି ଦେବା ଆବଶ୍ୟକ । ପାଖାପାଖି ୧.୫ ଟନ୍ ଓଜନର ଗାଡ଼ି ଚଳାଚଳକୁ ଅନୁମତି ଦେଲେ ଜୀବନ ହାନି ହେବା ଆଶଙ୍କା କମ୍ ହେବ । ଏମିତି କି ଏହି ପୋଲରେ ସ୍ପିଡ୍-ବ୍ରେକର୍ ବ୍ୟବସ୍ଥା ଆପଣାଇବାକୁ କୁହାଯାଇଛି । ଗାଡ଼ିଗୁଡ଼ିକ ଏହା ଉପର ଦେଇ ଗଲେ ଏଗୁଡ଼ିକର ବେଗ ଘଣ୍ଟା ପିଛା ୧୦ କିଲୋମିଟର ହେବା ଆବଶ୍ୟକ ।
ପୋଲ ଉପରେ ଥିବା ପାଦଚଲା ରାସ୍ତାର ଅଧିକାଂଶ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବାରୁ ଏଥିରେ ବାଲି ଭର୍ତ୍ତି କରାଯାଇଛି । କିନ୍ତୁ ଏହାଦ୍ୱାରା ଅଧିକ ବିପଦ ଉପୁଜିପାରେ ବୋଲି ରାଇନା ସତର୍କ କରାଇବା ସହ ବାଲିକୁ କାଢ଼ିବା ପାଇଁ ପରାମର୍ଶ ଦେଇଛନ୍ତି । ଜଣେ ଯନ୍ତ୍ରୀଙ୍କ କହିବାନୁଯାୟୀ ପୋଲ ଉପରେ ଦେଇ ବସ୍-ଟ୍ରକ୍ ଚଳାଚଳକୁ ନିଷେଧ କରାଯାଇଛି । ଫଳରେ ପୋଲରେ ପ୍ରଦୂଷଣ ମାତ୍ରା ହ୍ରାସ ପାଇଛି । ଅନ୍ୟ ଜଣେ ଅଧିକାରୀ କହିଛନ୍ତି, ପୋଲକୁ ଭାଙ୍ଗିବା ଦ୍ୱାରା ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇପାରେ । ଫଳରେ ବିଟି ରୋଡ୍ ନିକଟରେ ଥିବା ଲୋକମାନେ ପ୍ରଭାବିତ ହୋଇପାରନ୍ତି । ତେଣୁ ତାହାର ବି ମୂଲ୍ୟାୟନ କରାଯିବ ।
ପୋଲ ତଳେ ଦେଇ ଯାଇଥିବା ବିଦୁ୍ୟତ୍ ଏବଂ କେବଲଗୁଡ଼ିକୁ ହଟାଇବା ଦ୍ୱାରା କି ପ୍ରକାର ଅସୁବିଧା ସୃଷ୍ଟି ହେବ, ତାହାର ବି ଯାଞ୍ଚ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ । ପୋଲ ତଳେ ଥିବା ପାଇପ୍ଲାଇନ୍ ବ୍ୟବସ୍ଥାର ମଧ୍ୟ ଅନୁଧ୍ୟାନ କରାଯିବ । ପୋଲକୁ ଭାଙ୍ଗିବା ଯୋଗୁ ଯେମିତି ଅତ୍ୟାବଶ୍ୟକ ସେବା ପ୍ରଭାବିତ ନ ହୁଏ, ତାହା ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯିବ । ଏ ନେଇ ପୂର୍ତ୍ତ ବିଭାଗ ଆବଶ୍ୟକ କାର୍ଯ୍ୟପନ୍ଥା ଆରମ୍ଭ କରିଦେଇଛି ।
ଉଲ୍ଲେଖଯୋଗ୍ୟ, ନିକଟରେ ପଶ୍ଚିମବଙ୍ଗ ସରକାର ୨୦ଟି ପୋଲକୁ ଯାଞ୍ଚ କରିଥିଲେ । ତନ୍ମଧ୍ୟରୁ ୭ଟି ପୋଲ ବିପଜ୍ଜନକ ଅବସ୍ଥାରେ ଥିବା ଜଣାପଡ଼ିଥିଲା । ଏଗୁଡ଼ିକ ମଧ୍ୟରେ ବିଜନ୍ ସେତୁ, ଗୌରୀବାରି ଅରବିନେ୍ଦା ସେତୁ, ବେଲଗାଛିଆ ବ୍ରିଜ୍, ଟୋଲିଗୁଙ୍ଗେ ସର୍କୁଲାର ରୋଡ୍ ବ୍ରିଜ୍, ଢାକୁରିଆ ବ୍ରିଜ୍, ତଲା ବ୍ରିଜ୍ ଏବଂ ସନ୍ତ୍ରାଗାଛି ପୋଲ ଅନ୍ତର୍ଭୁକ୍ତ । ତେଣୁ ଏହି ପୋଲଗୁଡ଼ିକୁ ବିଭିନ୍ନ ପର୍ଯ୍ୟାୟରେ ଭାଙ୍ଗି ନୂଆ ନିର୍ମାଣ କରିବା ଲାଗି ଯୋଜନା କରାଯାଉଛି । ତେବେ ଏହି ପୋଲଗୁଡ଼ିକ ଉପରେ ଭାରୀଯାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି ।


Comments are closed, but trackbacks and pingbacks are open.