ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ଅନ୍ଧପସରା ରୋଡ୍ରେ ଥିବା ବାଲୁଙ୍କେଶ୍ୱର ବାଣ ମାର୍କେଟ୍କୁ ସୋମବାର ସିଲ୍ କରିଛି ଗୋସାଇଁନୂଆଗାଁ ଥାନା ପୁଲିସ । ବିନା ଲାଇସେନ୍ସରେ ବେଆଇନ ଭାବେ ବାଣ ଗଚ୍ଛିତ ରଖିବା ଓ ବିକ୍ରି କରିବା ଅଭିଯୋଗରେ ବଜାର ସିଲ୍ କରାଯାଇଥିବା କହିଛନ୍ତି ଏସ୍ଡିପିଓ ବିଷ୍ଣୁପ୍ରସାଦ ପତି । ବେଆଇନ ବାଣ ବିକ୍ରୀ କରାଯାଉଥିବା ସୂଚନା ପାଇ ରବିବାର ରାତିରେ ଚଢ଼ଉ ଆରମ୍ଭ ହୋଇଥିଲା । ସୋମବାର ମଧ୍ୟ ତନାଘନା ଜାରି ରହିଥିଲା । ମାଜିଷ୍ଟେ୍ରଟ୍ଙ୍କ ଉପସ୍ଥିତିରେ ୧୦ଟି ଦୋକାନର ତାଲା ଭାଙ୍ଗି ଷ୍ଟକ୍ ଯାଞ୍ଚ କରାଯିବା ସହ ସିଲ୍ କରାଯାଇଥିବା ବେଳେ ବର୍ତ୍ତମାନ ବାଣ ବଜାର ପୁଲିସ ଘେରାବନ୍ଦୀରେ ରହିଛି । ମାର୍କେଟ୍ ଭିତରକୁ କୌଣସି ବେପାରୀଙ୍କୁ ଛଡ଼ାଯାଉନି । ଦୀପାବଳି ଆଉ କିଛି ଦିନ ରହିଥିବା ବେଳେ ବାଣ ବ୍ୟବସାୟକୁ ନେଇ ଚିନ୍ତାରେ ରହିଛନ୍ତି ବେପାରୀ ।
ବ୍ରହ୍ମପୁର ଅନ୍ଧପସରା ରୋଡ୍ରେ ଦକ୍ଷିଣ ଓଡ଼ିଶାର ସର୍ବବୃହତ୍ ବାଲୁଙ୍କେଶ୍ୱର ବାଣ ବଜାର ରହିଛି ଯେଉଁଠାରୁ ରାଜ୍ୟ ତଥା ଜିଲ୍ଲାର ବିଭିନ୍ନ ସ୍ଥାନକୁ ବାଣ ଯାଇଥାଏ । ପ୍ରତିବର୍ଷ ବ୍ୟବସାୟୀମାନେ ଜିଲ୍ଲା ପ୍ରଶାସନର ଅନୁମତି ଆଣି ମିଳିଥିବା ଲାଇସେନ୍ସ ପ୍ରକାରେ କିଛି ଦିନ ପାଇଁ ବାଣ ବିକ୍ରି କରିଥାନ୍ତି । ଗତବର୍ଷ ବ୍ୟବସାୟୀଙ୍କୁ ମାତ୍ର ୩ ଦିନ ପାଇଁ ଲାଇସେନ୍ସ ଦିଆଯାଇ ଥିଲା । କିନ୍ତୁ ଚଳିତ ଥର ଲାଇସେନ୍ସ ଆଦୌ ଦିଆଯାଇ ନାହିଁ । କିନ୍ତୁ ବିନା ଲାଇସେନ୍ସରେ ଦୋକାନ ଓ ଗୋଦାମରେ ବାଣ ଗଚ୍ଛିତ ରଖାଯାଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ରବିବାର ରାତିରୁ ଆରମ୍ଭ ହୋଇଥିଲା ଚଢ଼ଉ । ମାଜିଷ୍ଟେ୍ରଟ୍ଙ୍କ ଉପସ୍ଥିତିରେ ବଜାରକୁ ନିଜ ହେପାଜତକୁ ନେଇଥିଲା ପୁଲିସ । ଆବଶ୍ୟକ କାଗଜପତ୍ର ଓ ବାଣ ଷ୍ଟକ୍ ଦେଖାଇବା ପାଇଁ ନିଜେ ଦୋକାନରେ ହାଜର ହେବାକୁ ପୁଲିସ ପକ୍ଷରୁ ୪୬ ଜଣ ବ୍ୟବସାୟୀଙ୍କୁ ନୋଟିସ୍ କରାଯାଇଥିଲା ବୋଲି ସୂଚନା ଦେଇଛନ୍ତି ଏସ୍ଡିପିଓ ବିଷ୍ଣୁପ୍ରସାଦ ପତି । ରବିବାର ସକାଳୁ ପୁଲିସବାହିନୀ ସହ ଏସ୍ଡିପି ବି.ପି.ପତି, ଗୋସାଇଁନୂଆଗାଁ ଥାନା ଆଇଆଇସି ସୁମିତ୍ ସୋରେନ୍, ସହକାରୀ ଅଗ୍ନିଶମ ଅଧିକାରୀ ସନାତନ ମହାପାତ୍ର, ଅତିରିକ୍ତ ଉପଜିଲ୍ଲାପାଳ ଡି.ମାଲେଶ୍ୱର ପାତ୍ର, ମାଜିଷ୍ଟେ୍ରଟ୍ ପ୍ରମୁଖ ମାର୍କେଟ୍ରେ ପହଞ୍ଚିଥିଲେ । ଦୀର୍ଘ ସମୟ ଅପେକ୍ଷା ସତ୍ତେ୍ୱ କୌଣସି ବ୍ୟବସାୟୀ ଆସି ନଥିଲେ । ଏହାପରେ ପୁଲିସ ମାଜିଷ୍ଟେ୍ରଟ୍ଙ୍କ ଉପସ୍ଥିତିରେ ଦୋକାନ ତାଲା ଭାଙ୍ଗି ଷ୍ଟକ୍ ଯାଞ୍ଚ୍ କରିବା ପରେ ଦୋକାନ ଓ ବାଣ ସିଲ୍ କରିଥିଲା । ପରବର୍ତ୍ତୀ ସମୟରେ ଦୁଇ ଜଣ ବ୍ୟବସାୟୀ ଦୋକାନରେ ହାଜର ହୋଇ ତାଲା ଖୋଲିଥିଲେ । ୧୦ଟି ଦୋକାନରେ ଷ୍ଟକ୍ ଯାଞ୍ଚ ପରେ ପୁଲିସ ସେସବୁ ସିଲ୍ କରି ଦେଇଛି । ବଜାର ଭିତରେ ମୋଟ ୭୬ଟି ଦୋକାନ ଘର ଓ ଗୋଦାମ ରହିଛି । ପରବର୍ତ୍ତୀ ସମୟରେ ଅନ୍ୟ ସବୁ ଦୋକାନରେ ଷ୍ଟକ୍ ଯାଞ୍ଚ୍ କରାଯିବ ବୋଲି ଏସ୍ଡିପିଓ କହିଛନ୍ତି ।
ପ୍ରତିବର୍ଷ ବାଣ ବଜାରକୁ ନେଇ ପୁଲିସ ଓ ବ୍ୟବସାୟୀଙ୍କ ମଧ୍ୟରେ ଏଭଳି ଛକାପ‚ା ଜାରି ରହିଥିବା ବେଳେ ବ୍ୟବସାୟକୁ ନେଇ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇ ଆସୁଛି । ପ୍ରତିବର୍ଷ କୋଟି କୋଟି ଟଙ୍କାର ବାଣ ଏଠାରେ ବିକ୍ରୀ ହେଉଥିବା ବେଳେ ଗତ ଦୁଇ ବର୍ଷ ହେଲା ପୁଲିସ ବିସ୍ଫୋରକ ଆଇନକୁ କଡ଼ାକଡ଼ି ଲାଗୁ କରିଛି । ପ୍ରଶାସନ ମଧ୍ୟ ବିସ୍ଫୋରକ ଆଇନ ଅନୁଯାୟୀ ଯେଉଁମାନେ ମାନଦଣ୍ଡ ପୂରଣ କରୁନାହାନ୍ତି ସେମାନଙ୍କୁ ଲାଇସେନ୍ସ ଦେବାକୁ ମନା କରି ଦେଉଛି । ଅନ୍ୟପକ୍ଷରେ ଦୀର୍ଘ ବର୍ଷ ଧରି ଏଠାରେ ବାଣ ମାର୍କେଟ୍ ଚାଲି ଆସିଥିବା ବେଳେ ଏବେ ମାର୍କେଟ୍କୁ ଲାଗି ଗୋଟିଏ ପେଟ୍ରୋଲ୍ ପମ୍ପ୍ ଖୋଲିବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ବର୍ଷରୁ ଏଠାରେ ବାଣ ବଜାର ହେବ କି ନାହିଁ, ସେ ନେଇ ଅନିଶ୍ଚିତତା ଲାଗି ରହିଛି । ତେବେ ସମସ୍ୟା ନେଇ ବାଣ ବଜାର ବ୍ୟବସାୟୀ ସଂଘ ସହ କୌଣସି ଯୋଗାଯୋଗ ହୋଇପାରିନି । ମାର୍କେଟ୍ରେ ଏବେ ବି କୋଟି କୋଟି ଟଙ୍କାର ବାଣ ମହଜୁଦ୍ ରହିଥିବା ବେଳେ ତାହା ପ୍ରଶାସନ ନିଜ ଅକ୍ତିଆରକୁ ନେବ ନା ବ୍ୟବସାୟୀଙ୍କୁ ଫେରାଇବ ତାହା ସାଧାରଣରେ ଚର୍ଚ୍ଚା ହେଉଛି ।


Comments are closed, but trackbacks and pingbacks are open.