ନୟାଗଡ଼, (ବି.ବି.ନୁ୍ୟଜ୍): ରବିବାର ରାତିରେ ଏକ ଗୟଳ ନିକଟସ୍ଥ ଜଙ୍ଗଲରୁ ଘାଇଲା ହୋଇ ଗାଁ ଭିତରକୁ ପଶି ଆସିଥିଲା । ଗାଁକୁ ଲାଗି ରହିଥିବା ଧାନ ବିଲରୁ ଧାନ ଖାଉଥିବା ବେଳେ ଗ୍ରାମର କେତେକ ଲୋକ ଦେଖି ଗୟଳକୁ ତଡ଼ିବାକୁ ଉଦ୍ୟମ କରିଥିଲେ । ହେଲେ ଗୟଳଟି ଲୋକମାନଙ୍କୁ ଆକ୍ରମଣ କରିଥିଲା । ଆକ୍ରମଣରେ ୩ଜଣ ଆହତ ହୋଇଛନ୍ତି । ଘଟଣାରୁ ପ୍ରକାଶ,ନୟାଗଡ଼ ସହରକୁ ଲାଗି ରହିଥିବା ଘଡ଼ୁଆଳ ଗ୍ରାମର ଲୋକମାନେ ସୋମବାର ସକାଳେ ଫୋଖରୀକୁ ଯିବା ସମୟରେ ଏକ ଗୟଳ ପୋଖରୀ ତଳ ଧାନ ବିଲରେ ପଶି ଧାନ ଖାଇବା ସହ ଦଳାଚକଟା କରି ଧାନ ଫସଲ ନଷ୍ଟ କରୁଥିଲା । ଗ୍ରାମର ଲୋକମାନେ ଗୟଳକୁ ପଣ୍ଡା(ପୋଢ଼) ବୋଲି ଭାବି ଧାନ ବିଲରୁ ତଡ଼ିବାକୁ ଯିବା ସମୟରେ ଗୟଳ ଲୋକମାନଙ୍କୁ ଆକ୍ରମଣ କରିଥିଲା । ଏପରିକି ଗ୍ରାମ ଭିତରକୁ ପଶି ଆସି ଗ୍ରାମର ମନ୍ଦିର ସାହିର ଗୁରୁବାରି ବରାଡ଼ଙ୍କ ପୁଅ ସମ୍ବାରି ବରାଡ଼(୫୮) ଦାଣ୍ଡରେ ଠିଆ ହୋଇଥିଲେ । ହଠାତ୍ ଗୟଳ ତାଙ୍କୁ ଆକ୍ରମଣ କରି ସିଂଘରେ ମାରି ପକାଇଥିଲା ।

ଆକ୍ରମଣରେ ସମ୍ବାରିଙ୍କ କାନ୍ଧର ହାଡ଼ ଭାଙ୍ଗିଯିବା ସହିତ ଦେହରେ ଅନେକ କ୍ଷତ ହୋଇଛି । ସେହିଭଳି ପୋଖରୀରୁ ଗାଧାଇସାରି ଘରକୁ ଫେରୁଥିବା ବାଲିସାହିର କୈବଲ୍ୟ ପାଳଙ୍କ ପୁଅ ନିରଞ୍ଜନ ପାଳ(୨୨)ଙ୍କୁ ଗୟଳ ଆକ୍ରମଣ କରିଥିଲା । ସିଂଘରେ ମାରି ଫୋପାଡ଼ି ଦେବାରୁ ଘଟଣାସ୍ଥଳରେ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ । ଲୋକମାନେ ପାଟିକରି ଗୟଳ ନିକଟକୁ ଯିବାରେ ସେଠାରୁ ଗୟଳ ପଞ୍ଚାୟତ କାର୍ଯ୍ୟାଳୟ ଆଡ଼କୁ ପଳାଇ ଯାଇଥିଲା ।
ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଧାନକ୍ଷେତକୁ ଯାଇଥିବା ରୋଡ଼ସାହିର ଶରତ ଚନ୍ଦ୍ର ପଣ୍ଡା(୫୮) ଘାଇଲା ଗୟଳ ସମ୍ମୁଖରେ ପଡ଼ି ଯାଇଥିଲେ । ଘାଇଲା ଗୟଳ ତାଙ୍କୁ ମଧ୍ୟ ଛାଡ଼ି ନଥିଲା । ତାଙ୍କୁ ମାରି ତଳେ ପକାଇ କ୍ଷତବିକ୍ଷତ କରିଦେଇଥିଲା । ଗ୍ରାମର ଶହ ଶହ ଲୋକ ହୋହାଲ୍ଲା କରିବା ପରେ ଗୟଳ ଗହିର ବିଲ ଭିତର ଦେଇ ରେଳଧାରଣା ଆଡ଼କୁ ପଳାଇ ଯାଇଥିଲା । ଆହାତମାନଙ୍କୁ ତୁରନ୍ତ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅପରାହ୍ନରେ ଆହତମାନେ ଘରକୁ ଫେରିଛନ୍ତି ।


Comments are closed, but trackbacks and pingbacks are open.