ଭୁବନେଶ୍ୱର,(ବି.ବି.ବୁ୍ୟରୋ): “ନବୀନ ଅପରାଜେୟ । ତାଙ୍କ ପାଇଁ ହିଁ ବିଜେପୁର ବିଜୟ । ସେ ସର୍ବସ୍ୱ । ମୁଁ ନିମିତ୍ତ ମାତ୍ର ।” ବିଜେପୁର ଉପନିର୍ବାଚନ ବିଜୟ ପରେ ନବୀନଙ୍କୁ କୃତଜ୍ଞତା ଜଣାଇବା ପାଇଁ ନବୀନ ନିବାସ ଆସିଥିବା ବିଧାୟିକା ରୀତା ସାହୁ ଏପରି କହିଛନ୍ତି । ତାଙ୍କ ସହ ଆସିଥିବା ଶତାଧିକ ସମର୍ଥକ ମଧ୍ୟ ଏକ ସ୍ୱରରେ ଏ କଥାକୁ ଦୋହରାଇଛନ୍ତି । ବିଜେପୁର ବିଜୟ ପରେ ବିଧାୟିକା ରୀତା ଦଳୀୟ ସମର୍ଥକଙ୍କ ସହ ଆଜି ପହଞ୍ଚିଥିଲେ ନବୀନ ନିବାସରେ । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପ;ନାୟକଙ୍କୁ ଭେଟି ରୀତା ଜଣାଇଥିଲେ କୃତଜ୍ଞତା । ବିଜେପୁର ବିଜୟର ଶ୍ରେୟ ଦେଇଥିଲେ ନବୀନଙ୍କୁ । ଏହି ଅବସରରେ ରୀତା କହିଲେ, ଏଭଳି ବିଶାଳ ବିଜୟ କେବଳ ନବୀନ ବାବୁଙ୍କ ପାଇଁ ସମ୍ଭବପର ହୋଇପାରିଛି । ବିଜେପୁରବାସୀ ମୁଖ୍ୟମନ୍ତ୍ରୀଙ୍କୁ ହିଁ ଭୋଟ୍ ଦେଇଛନ୍ତି । ଦଳର ବିଜୟରେ ନବୀନ ଖୁସି ଜାହିର କରିବା ସହ ବିଜୟୀ ରୀତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିପୁଳ ସଂଖ୍ୟାରେ ଭୋଟ ଦେଇଥିବାରୁ ବିଜେପୁରବାସୀଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ।
ତେବେ ବିଜେପୁରର ବିଶାଳ ବିଜୟ ପରେ ନବୀନ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ରାଜ୍ୟରୁ ନେଇ ଜାତୀୟ ସ୍ତର ପର୍ଯ୍ୟନ୍ତ ସଭିଙ୍କୁ ଚକିତ କରିଛି ନବୀନଙ୍କ ଅପରାଜେୟ ରେକର୍ଡ । ବିଜେପୁର ଉପନିର୍ବାଚନ ପ୍ରମାଣିତ କରି ଦେଇଛି, ରାଜ୍ୟରେ ନବୀନଙ୍କ କ୍ରେଜ୍ ବଢ଼ି ବଢ଼ି ଚାଲିଛି ।
ବିଜେପୁର ସହ ଦେଶର ବିଭିନ୍ନ ରାଜ୍ୟରେ ବିଧାନସଭା ପାଇଁ ଉପନିର୍ବାଚନ ହୋଇଥିଲା । ହେଲେ ସବୁ ଫଳାଫଳଠୁ ଭିନ୍ନ ହୋଇଛି ବିଜେପୁର ଫଳ । କେତେକ ଜାଗାରେ ଉପନିର୍ବାଚନରେ ବିଜୟୀ ଦଳ ହାତରୁ ଆସନ ଖସିଥିବାବେଳେ ଆଉ କେଉଁଠି ବିଜୟର ବ୍ୟବଧାନ କମିଛି । ଏମିତିକି କେତେକ ଉପନିର୍ବାଚନରେ ଶାସକ ଦଳକୁ ଲୋକେ କଡ଼ା ଜବାବ ଦେଇଛନ୍ତି ଭୋଟ୍ରେ । ହେଲେ ବିଜେପୁର ଫଳାଫଳ ଦେଖିଲେ ଲାଗୁଛି, ନବୀନଙ୍କ ପ୍ରତିି ଜନତାଙ୍କ ବିଶ୍ୱାସ ଆହୁରି ବଢ଼ିଛି । ରାଜନୈତିକ ସମୀକ୍ଷକଙ୍କ କହିବାନୁଯାୟୀ ନବୀନ ଓଡ଼ିଶା ରାଜନୀତିରେ ଏବେ ସବୁଠୁ ବଡ଼ ନାଁ । ତାଙ୍କ ନାଁରେ ହିଁ ଭୋଟ୍ ଆସୁଛି । ନବୀନ ପ୍ରାର୍ଥୀ ହୁଅନ୍ତୁ କି ଦଳରୁ ଅନ୍ୟ କେହି, ଲୋକେ ନବୀନଙ୍କ ନାଁରେ ହିଁ ଭୋଟ୍ ଦେଉଛନ୍ତି । ଯେଉଁଥିପାଇଁ ରୀତା ରେକର୍ଡ ସଂଖ୍ୟକ ଭୋଟ୍ରେ ବିଜୟୀ ହୋଇଛନ୍ତି । ଏହାସହ ବିଜେପୁରରେ ବିଜେଡି ହ୍ୟାଟ୍ରିକ୍ ବିଜୟର ବାନା ଉଡ଼ାଇଛି ।
ସୂଚନାଯୋଗ୍ୟ, ଏଥର ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ୧ ଲକ୍ଷ ୩୫ ହଜାର ୯୫୭ ଖଣ୍ଡ ଭୋଟ୍ ପାଇଥିବାବେଳେ ଦ୍ୱିତୀୟରେ ଥିବା ବିଜେପି ପ୍ରାର୍ଥୀଙ୍କୁ ୩୭ ହଜାର ୯୬୭ ଖଣ୍ଡ ଭୋଟ୍ ମିଳିଛି । କଂଗ୍ରେସ ମାତ୍ର ୫୮୭୩ ଖଣ୍ଡ ଭୋଟ୍ ପାଇଛି । ବିଜେଡି ଓ ବିଜେପି ମଧ୍ୟରେ ବିଜୟ ବ୍ୟବଧାନ ହେଉଛି ୯୭ ହଜାର ୯୯୦ । ଓଡ଼ିଶା ବିଧାନସଭା ନିର୍ବାଚନ ଇତିହାସରେ ଏହା ହେଉଛି ସବୁଠୁ ବଡ଼ ବିଜୟ ବ୍ୟବଧାନ । ଗତ ସାଧାରଣ ନିର୍ବାଚନବେଳେ ନବୀନ ଏହି ଆସନରୁ ଜିତିଥିଲେ ୫୭ ହଜାର ୧୨୨ ଖଣ୍ଡ ଭୋଟ୍ ବ୍ୟବଧାନରେ । ହେଲେ ଏଥର ଉପନିର୍ବାଚନରେ ନବୀନଙ୍କୁ ଘେରି ବିଜେଡିକୁ ପାନେ ଦେବାକୁ ଯୋଜନା କରିଥିଲେ ବିରୋଧୀ । ଦୁଇଟି ଆସନରୁ ବିଜୟୀ ହେବା ପରେ ନବୀନ ବିଜେପୁରକୁ ଛାଡ଼ିଥିବାରୁ ବିରୋଧୀ ଉପନିର୍ବାଚନରେ ଏହାକୁ ପ୍ରସଙ୍ଗ କରିଥିଲେ । ହେଲେ ବିରୋଧୀଙ୍କ ଆକ୍ରମଣ ପ୍ରଭାବିତ କରିନଥିଲା ନବୀନଙ୍କୁ । ବିଜେପୁରରେ ନବୀନଙ୍କ ଦୁଇଦିନିଆ ମାରାଥନ ପ୍ରଚାର ଓ ରୋଡ୍ ସୋ’ ବିରୋଧୀଙ୍କ ସବୁ ପ୍ରସଙ୍ଗ ଓ ଅସ୍ତ୍ରକୁ ସମୁଦ୍ର ଭିତରକୁ ଠେଲି ଦେଇଥିଲା । ବିଜେପୁରରେ ପ୍ରଚାର କରିବାବେଳେ ନବୀନଙ୍କୁ ଦେଖିବା ପାଇଁ ସବୁଠି ପ୍ରବଳ ଭିଡ଼ ଲକ୍ଷ୍ୟ କରାଯାଇଥିଲା । ଯାହାକି ବିଜେଡିର ବିଜୟ ନେଇ ଆଗୁଆ ଆଭାସ ଦେଉଥିଲା । ହେଲେ ଏତେ ବଡ଼ ବିଜୟ ହେବ, କେହି କଳ୍ପନା କରିନଥିଲେ । ବିଜେପୁର ଫଳାଫଳ ବାହାରିବା ପରେ ନବୀନ ଯେ ଅପରାଜେୟ, ସେ ତାହାକୁ ପୁଣି ପ୍ରମାଣିତ କରିଛନ୍ତି ।
Comments are closed, but trackbacks and pingbacks are open.