କୋଲକାତା: ସୌରଭ ଗାଙ୍ଗୁଲି ବିସିସିଆଇ ସଭାପତି ପଦରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ କ୍ରିକେଟର ବିକାଶ ଦିଗରେ ଗୁରୁତ୍ୱ ଦେଉଛନ୍ତି । କ୍ରିକେଟକୁ ଦୁର୍ନୀତିମୁକ୍ତ ରଖିବା ତାଙ୍କର ମୂଳ ଲକ୍ଷ୍ୟ । ବିସିସିଆଇର ପୂର୍ବ ଛବି ଫେରାଇ ଆଣିବା ଏବଂ ତୃଣମୂଳ ସ୍ତରରେ ଖେଳାଳିମାନଙ୍କ ଉନ୍ନତିକୁ ଗୁରୁତ୍ୱ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି ।
ବିସିସିଆଇ ସଭାପତି ଭାବେ ନୂଆ ଇନିଂସ୍ ଆରମ୍ଭ କରିଥିବା ଗାଙ୍ଗୁଲିଙ୍କୁ ବେଙ୍ଗଲ କ୍ରିକେଟ୍ ସଂଘ (ସିଏବି) ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ଗାଙ୍ଗୁଲି ବିସିସିଆଇ ସଭାପତି ଭାବେ ପରବର୍ତ୍ତୀ ଚ୍ୟାଲେଞ୍ଜ, ଭବିଷ୍ୟତ ଯୋଜନା ବିଷୟରେ ଆଲୋକପାତ କରିଥିଲେ । ସେ କହିଥିଲେ, ମୁଁ କେତେଦିନ ବିସିସିଆଇ ସଭାପତି ପଦରେ ରହିବି ତା’ହା ମୋ’ ପାଇଁ ଗୁରୁତ୍ୱ ରଖେନି । ଯେତିକି ସମୟ ରହିବି କ୍ରିକେଟର ବିକାଶ ଦିଗରେ କାର୍ଯ୍ୟ କରିବି । କ୍ରିକେଟକୁ ଦୁର୍ନୀତିମୁକ୍ତ କରିବା ମୋର ମୂଳ ଲକ୍ଷ । ଏଥିପାଇଁ ମୁଁ ଏବଂ ମୋ ଟିମ୍ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବ । କ୍ରିକେଟର ସର୍ବାଙ୍ଗୀନ ଉନ୍ନତି ହେବ ଆମର ପ୍ରାଥମିକତା ।

ଭାରତୀୟ ଦଳର ଭବିଷ୍ୟତ ଯୋଜନା ସମ୍ପର୍କରେ ଗାଙ୍ଗୁଲି କହିଛନ୍ତି, ବର୍ତ୍ତମାନ ଦଳ ଭଲ ପ୍ରଦର୍ଶନ କରୁଛି । ଆମେ କେବଳ ବଡ଼ ଟୁର୍ଣ୍ଣାମେଣ୍ଟ ଜିତିବାରେ ବିଫଳ ରହିଛୁ । ଏନେଇ ମୁଁ କୋହଲି ଓ ରୋହିତଙ୍କ ସହ ଆଲୋଚନା କରିସାରିଛି । ତୃଣମୂଳ ସ୍ତରରେ କିପରି କ୍ରିକେଟ୍ ଓ ଖେଳାଳିମାନଙ୍କ ବିକାଶ କରି ହେବ ତା’ହା ଉପରେ ଗୁରୁତ୍ୱ ଦିଆଯିବ । ଏଥିପାଇଁ ଯାହା ଆବଶ୍ୟକ ହେବ ଯୋଗାଇ ଦିଆଯିବ । ବିସିସିଆଇ ପାଖରେ ଅର୍ଥର ଅଭାବ ନାହିଁ । ତେଣୁ ଏହା ସମ୍ଭବ ହୋଇପାରିବ ।
ଗାଙ୍ଗୁଲି ଆଇପିଏଲ୍କୁ ଫୁଟ୍ବଲର ଇଂଲିଶ ପ୍ରିମିୟର ଲିଗ୍ (ଇପିଏଲ୍) ସହ ବିବେଚିତ କରିଛନ୍ତି । ସେ କହିଛନ୍ତି, ଇପିଏଲ୍ ଭଳି ଆଇପିଏଲ୍ ହେଉଛି ବିଶ୍ୱ ସବୁଠୁ ବଡ଼ ଲିଗ୍ । ଏହା ଯୁବ ଖେଳାଳିମାନଙ୍କ ପାଇଁ ଏକ ବଡ଼ ପ୍ଲାଟଫର୍ମ । ଘରୋଇ ଓ ପ୍ରଥମ ଶ୍ରେଣୀ କ୍ରିକେଟକୁ ଗୁରୁତ୍ୱ ଦିଆଗଲେ ଆମେ ପ୍ରତିଭାବାନ ଖେଳାଳି ସୃଷ୍ଟି କରିପାରିବୁ । ଯେଉଁମାନଙ୍କୁ ଜାତୀୟ ଦଳରେ ଖେଳିବାକୁ ସୁଯୋଗ ମିଳୁନାହିଁ, ସେମାନଙ୍କୁ ପ୍ଲାଟଫର୍ମ ଯୋଗଇ ଦିଆଯିବ ।
ସ୍ୱାର୍ଥ ନିହିତ ଦ୍ୱନ୍ଦ୍ୱ ପ୍ରସଙ୍ଗରେ ଗାଙ୍ଗୁଲି କହିଥିଲେ, ଏହା ଏକ ସମସ୍ୟା ଭାବେ ଉଭା ହୋଇଛି । ଏଥିପାଇଁ ଅନେକ ଯୋଗ୍ୟ ଓ ଉପଯୁକ୍ତ ବ୍ୟକ୍ତିଙ୍କ ଅବଦାନରୁ ଆମେ ବଞ୍ଚôତ ହୋଇଛୁ । ମୁଁ କୌଣସି ଯୋଗ୍ୟ ବ୍ୟକ୍ତିଙ୍କୁ ହରାଇବାକୁ ଚାହୁଁନି । ସୁପ୍ରିମକୋର୍ଟଙ୍କୁ ଏହି ପ୍ରସଙ୍ଗରେ ପୁନର୍ବିଚାର କରିବାକୁ ଅନୁରୋଧ କରିବୁ ।
ସେହିପରି ଟେଷ୍ଟ କ୍ରିକେଟର ମର୍ଯ୍ୟାଦା ଫେରାଇ ଆଣିବା ଏବଂ ଏହାକୁ ଅଧିକ ରୋମାଞ୍ଚକର ଓ ଲୋକପ୍ରିୟ କରିବା ପାଇଁ ଦିବାରାତ୍ର ଟେଷ୍ଟର ଆବଶ୍ୟକତା ରହିଛି ବୋଲି ଗାଙ୍ଗୁଲି କହିଛନ୍ତି । ସେ କହିଛନ୍ତି, ମୁଁ ଏନେଇ ଅଧିନାୟକ ବିରାଟ କୋହଲିଙ୍କ ସହ ଆଲୋଚନା କରିଛି । ସେ ଦିବାରାତ୍ର ଟେଷ୍ଟ ପାଇଁ ରାଜି ଅଛନ୍ତି । ପୂର୍ବରୁ କୋହଲି ଦିବାରାତ୍ର ଟେଷ୍ଟ ପାଇଁ ରାଜି ନଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । କିନ୍ତୁ ଏହା ସମ୍ପୂର୍ଣ୍ଣ ମିଥ୍ୟା । ଦିବାରାତ୍ର ଟେଷ୍ଟ ପାଇଁ ଏବେ କୌଣସି ନିଷ୍ପତ୍ତି ନିଆଯାଇନି । କିନ୍ତୁ ଭବିଷ୍ୟତାରେ ଭାରତ ନିଶ୍ଚିତ ଭାବେ ଭାରତ ଦିବାରାତ୍ର ଟେଷ୍ଟ ଆୟୋଜନ କରିବା ସହ ଖେଳିବ ।’
Comments are closed, but trackbacks and pingbacks are open.