ବାପା ପରେ ଉଠିଲା ମାଆର କୋକେଇ

Get real time updates directly on you device, subscribe now.

ଦଶମନ୍ତପୁର,(ବି.ବି.ନୁ୍ୟଜ୍): ବାପା ପରେ କଞ୍ଚା ବୟସରେ ଆରପାରିକୁ ଚାଲିଯାଇଛି ମାଆ । କଞ୍ଚା ବାଉଁଶର କୋକେଇ ଉପରେ ଶୋଇଯାଇଛି ଚିର ନିଦ୍ରାରେ । ଆଉ କୋକେଇ ପାଖରେ ରାହା ଧରି କାନ୍ଦୁଛନ୍ତି ତିନି କୁନି କୁନି ପୁଅଝିଅ । ମାଆକୁ ଅନ୍ତିମ ବିଦାୟ ଦେବା ବେଳେ ଲୁହ ଏବଂ କୋହରେ ରୁନ୍ଧି ହୋଇଯାଇଛନ୍ତି । ଜୀବନ କ’ଣ ଜାଣିବା ଆଗରୁ ପ୍ରଥମେ ବାପା ଏବଂ ପରେ ମାଆକୁ ହରାଇଛନ୍ତି । ଦଇବର ଏହି ଦାରୁଣ ଦୁଃଖକୁ ଯିଏ ଦେଖିଛି, ଶୋକରେ ନିରବି ଯାଇଛି । କୋକେଇ ଉଠିବା ବେଳକୁ ସବୁରି ଆଖିରୁ ଝରିଛି ଲୁହ, ଭିଜିଯାଇଛି ଗାଁ ମାଟି । ଦୁଃଖ ଯେ ଏମିତି ଆସେ, ତାକୁ ଖୁବ୍ ପାଖରୁ ଦେଖିଛନ୍ତି ଗାଁ ଲୋକେ । ତିନି ବାଳୁତଙ୍କ ମୁଣ୍ଡ ଉପରେ ହାତ ରଖିଦେଇ ଦଇବକୁ ଧିକ୍କାରିଛନ୍ତି । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ୍ ସଦର ପଞ୍ଚାୟତର ବଦଳିକୁଡୁମା ଗାଁରେ ।
ଗୋଟିଏ ଝିଅ ଏବଂ ଦୁଇ କୁନି କୁନି ପୁଅଙ୍କୁ ନେଇ ଗାଁରେ ରହି ଆସୁଥିଲେ ଭାସ୍କର ନାୟକଙ୍କ ପରିବାର । ଅଭାବ ଅନଟନ ଭିତରେ ବି ଜିଇଁ ଆସୁଥିଲେ । ସ୍ତ୍ରୀ ଦେବକୀ ନାୟକଙ୍କ ସହ ଭାସ୍କର କୁଲି କାମ କରି ପରିବାର ଚଳାଉଥିଲେ । ୨ ବର୍ଷ ତଳେ ହଠାତ ଆଖି ବୁଜିଦେଲେ ଭାସ୍କର । ଏହାପରେ ପୂରା ପରିବାର ବୋଝ ପଡିଥିଲା ଦେବକୀ(୩୦)ଙ୍କ ଉପରେ । କେତେବେଳେ କୁଲି କାମ କରି ତ ଆଉ କେତେବେଳେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ପିଲାଙ୍କ ମୁହଁରେ ଦାନା ଦେଇ ଆସୁଥିଲେ ଦେବକୀ । ଗତ ମଙ୍ଗଳବାର ଦିନ ଅପରାହ୍ଣରେ ପିଲାଙ୍କୁ ଘରେ ଛାଡିÿ ଜାଳେଣି କାଠ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିଲେ । କାଠ ସଂଗ୍ରହ କରି ଘରକୁ ଫେରିବା ପରେ ହଠାତ୍ ବାନ୍ତି କରିଥିଲେ । ଗୁରୁତର ଅସୁସ୍ଥ ଅବସ୍ଥାରେ ଦେବକୀଙ୍କୁ ୧୦୮ ଆମ୍ବୁଲାନ୍ସରେ ସ୍ଥାନୀୟ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କର ମୃୃତୁ୍ୟ ହୋଇଯାଇଥିଲା । ଗାଁ ଲୋକଙ୍କ ସହାୟତାରେ ବନ୍ଧାଯାଇଥିଲା କୋକେଇ । ଶ୍ମଶାନକୁ ନେବା ସମୟରେ ମାଆର ପଣତକାନିକୁ ଝୁରି ହେଉଥିଲେ ତିନି ଅନାଥ ଶିଶୁ । କାନ୍ଦି କାନ୍ଦି ବେଦମ ହୋଇଯାଉଥିଲା ୨ ବର୍ଷର ପୁଅ ଲଳିତ । ସେମାନଙ୍କୁ କେମିତି ଆଶ୍ୱାସନା ଦେବେ, ଜାଣିପାରୁନଥିଲେ ଗାଁ ଲୋକେ । ଅଭାବ ଅନଟନ ଏବଂ ୨ ବର୍ଷ ଭିତରେ ବାପାମାଆଙ୍କ ମୃତୁ୍ୟରେ ଅନ୍ଧାର ହୋଇଯାଇଛି ତିନି ଶିଶୁଙ୍କ ଭବିଷ୍ୟତ ।
ଖାଁ ଖାଁ ଏବେ ଘର ଅଗଣା । ସାହା ଭରସା ବୋଲି କେହି ନାହାନ୍ତି । ଦୁଇ ଭାଇ ଲଛମନ(୫) ଓ ଲଳିତ(୨)ଙ୍କୁ ସାଙ୍ଗରେ ଧରି ୧୦ ବର୍ଷର ଭଗବତୀ ବଞ୍ଚିବାର ବାଟ ଖୋଜୁଛି । କେମିତି ରହିବେ, କ’ଣ ଖାଇବେ କିଛି ଜାଣିପାରୁନାହାନ୍ତି । ଏବେ ସାହା କହିଲେ କେବଳ ପ୍ରଶାସନ । ତୁରନ୍ତ ସହାୟତାର ହାତ ନବଢାଇଲେ ଏହି ତିନି କଅଁଳ କଢିଙ୍କ ଊବିଷ୍ୟତ ଉଜୁଡିଯିବ । ଏକଥା ଦୁଃଖର ସହ କହିଛନ୍ତି ଗାଁ ଲୋକେ । ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ସେମାନଙ୍କୁ କୋଳେଇ ନେବାକୁ ଅନୁରୋଧ କରିଛନ୍ତି । ଥଇଥାନ ସାଙ୍ଗକୁ କିଭଳି ଅନାଥ ତିନି ଶିଶୁ ପାଠ ଦି ଅକ୍ଷର ପଢି, ଜୀବନ ଯୁଦ୍ଧରେ ଆଗେଇବେ ତାହାର ରାସ୍ତା ପରିସ୍କାର କରିବାକୁ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ଏ ସମ୍ପର୍କରେ ସେମାନେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାଶଙ୍କୁ ଯୋଗାଯୋଗ କରିଛନ୍ତି । ଦେଖାଯାଉ, ସେମାନଙ୍କ ପାଖରେ ପ୍ରଶାସନିକ କଳ କେବେ ପହଞ୍ଚୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons