ବନିଶୀରେ ପଡ଼ିଲା ୫୦ କିଲିଆ କଇଁଛ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି. ବୁ୍ୟରୋ): ଓୟୁଏଟି ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଶୁକ୍ରବାର ପହଞ୍ଚିଥିଲା ଏକ ବିରଳ ପ୍ରଜାତିର କଇଁଛ । କଇଁଛଟି ବନିଶୀ କଣ୍ଟାରେ ଗୁନ୍ଥାଯାଇଥିବା ଥୋପକୁ ଗିଳି ଗୁରୁତର ଅସୁସ୍ଥ ହେବାରୁ ତାକୁ ଏଠାକୁ ଅଣାଯାଇଥିଲା । ଓୟୁଏଟି ପ୍ରାଣୀ ବିଶେଷଜ୍ଞ ଓ ଡାକ୍ତରୀ ଟିମ୍ ସଫଳତା ପୂର୍ବକ କଇଁଛ ତଣ୍ଟିରୁ ଅସ୍ତେ୍ରାପଚାର କରି ବନିଶୀ କଣ୍ଟାଟିକୁ କାଢ଼ିବାରେ ସଫଳ ହୋଇଛନ୍ତି ।
ସୂଚନା ମୁତାବକ, କଟକ ଜିଲ୍ଲା ଟାଙ୍ଗୀ ବ୍ଲକ ଶାଳଗାଁରେ ରହିଛି ଏକ ବିରାଟ ପୁଷ୍କରିଣୀ । ପୁଷ୍କରିଣୀରେ ଗାଁ ଲୋକେ ମାଛ ଧରିବାକୁ ପୋତା ବନିଶୀରେ ଥୋପ ଲଗାଇ ପକାଇଥିଲେ । ଗୁରୁବାର ରାତିରୁ ଏହି ବନିଶୀ ଥୋପକୁ ଗିଳିଥିଲା କଇଁଛଟି । କଣ୍ଟାଟି ତା’ ଗଳାରେ ଅଟକି ଯିବାରୁ ସେ ଆଉ ଯାଇପାରିନଥିଲା । ବନିଶୀରେ ଲାଗି ଛଟପଟ ହୋଇଥିଲା । ଏହା ଦେଖି ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ସ୍ଥାନୀୟ ଡିଏଫ୍ଓ ଏବଂ ରେଞ୍ଜର ଶାଳଗାଁରେ ପହଞ୍ଚି କଇଁଛଟିକୁ ଉଦ୍ଧାର କରି ଓୟୁଏଟି ପଠାଇଥିଲେ ।
କଇଁଛଟିର ଓଜନ ୫୦ରୁ ୬୦ କିଲୋ ହେବ ଏବଂ ଏହା ସିଡୁ୍ୟଲ୍-୧ ପ୍ରଜାତିର ବୋଲି ଓୟୁଏଟି ପ୍ରାଣୀ ଚିକିତ୍ସକ ଇନ୍ଦ୍ରମଣି ନାଥ କହିଛନ୍ତି । ଏହି ପ୍ରଜାତିର କଇଁଛ ଅତି କମ୍ ସଂଖ୍ୟାରେ ଦେଖାଯାଇଥାନ୍ତି । କଇଁଛଟି ଓୟୁଏଟିରେ ପହଞ୍ଚିବା ପରେ ପ୍ରଥମେ ତା’ର ଏକ୍ସରେ କରାଯାଇଥିଲା । ରିପୋର୍ଟରେ ଦେଖାଗଲା ଯେ ବନିଶୀ କଣ୍ଟାଟି ତା’ର ଗଳାରେ ଅଟକି ରହିଛି । ପରେ କଇଁଛଟିକୁ ସାମାନ୍ୟ ଆନାସ୍ଥେସିଆ ଦିଆଯାଇଥିଲା । ଚେତାରେ ଥିବାରୁ ଖୋଳପାରୁ ସେ ବେକ କାଢ଼ୁ ନଥିଲା । ତେଣୁ ଅସ୍ତେ୍ରାପଚାର ପାଇଁ ସୁବିଧା ହୋଇନଥିଲା । ଅଚେତ ହେବା ପରେ ବେକଟି ତା’ ଖୋଳ ଭିତରୁ ବାହାରି ଆସିଥିଲା ।
ପ୍ରାୟ ଦେଢ଼ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଡାକ୍ତର ଇନ୍ଦ୍ରମଣି ନାଥ ଓ ତାଙ୍କ ଟିମ୍ କଇଁଛର ତଣ୍ଟିରୁ କଣ୍ଟାଟିକୁ ବାହାର କରିଥିଲେ । କିଛି ସମୟ ପର୍ଯ୍ୟନ୍ତ ତାକୁ ସ୍ୱତନ୍ତ୍ର ଅବଜରବେସନରେ ରଖାଯାଇଥିଲା ଓ ସାଲାଇନ୍ ଲଗାଯାଇଥିଲା । ଡାକ୍ତର ଇନ୍ଦ୍ରମଣି ନାଥଙ୍କ ସହିତ ତାଙ୍କ ଟିମ୍ ଏହି ଅସ୍ତେ୍ରାପଚାରରେ ସାମିଲ ହୋଇଥିଲେ । ଏଥିରେ ଡାକ୍ତର ସିଦ୍ଧାର୍ଥ, ଡାକ୍ତର ପ୍ରୀତିଶ୍, ଡାକ୍ତର ଦିଲ୍ଲୀପ ପ୍ରମୁଖ ଡାକ୍ତର ନାଥଙ୍କୁ ସହଯୋଗ କରିଥିଲେ । ଆସନ୍ତାକାଲି ଟାଙ୍ଗୀ ଡିଏଫ୍ଓ ଏବଂ ରେଞ୍ଜରଙ୍କ ସହିତ ଆଲୋଚନା କରାଯାଇ କଇଁଛଟିକୁ ତା’ର ମୂଳ ଆବାସସ୍ଥଳୀରେ ଛଡ଼ାଯିବ ବୋଲି ଓୟୁଏଟି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons