ସୁପି୍ରମକୋର୍ଟଙ୍କ ଐତିହାସିକ ରାୟ:ରାମ ଜନ୍ମଭୂମିରେ ରାମମନ୍ଦିର

Get real time updates directly on you device, subscribe now.

ନୂଆଦିଲ୍ଲୀ: ପ୍ରାୟ ୭୦ ବର୍ଷ ତଳର ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସ୍ଜିଦ ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଶନିବାର ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନି ଖଣ୍ଡପୀଠ ସର୍ବସମ୍ମତକ୍ରମେ ଅଯୋଧ୍ୟାରେ ବିବାଦୀୟ ୨.୭୭ ଏକର ଜମିକୁ ରାମ ମନ୍ଦିର ନିର୍ମାଣ ପାଇଁ ରାମଲାଲା ବିରାଜମାନ ପକ୍ଷ (ରାମ ଜନ୍ମଭୂମି ନ୍ୟାସ)କୁ ପ୍ରଦାନ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ମନ୍ଦିର ନିର୍ମାଣ ପାଇଁ ଏକ ଟ୍ରଷ୍ଟ ଗଠନ କରିବାକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି । ୩ ମାସ ଭିତରେ ଏହି ଟ୍ରଷ୍ଟ ଗଠନ କରାଯିବ ବୋଲି କୋର୍ଟ ସମୟ ସୀମା ଧାର୍ଯ୍ୟ କରିଛନ୍ତି ।

ଏଥିସହିତ କୋର୍ଟ ମସ୍ଜିଦ ନିର୍ମାଣ ଲାଗି ଅଯୋଧ୍ୟାର କୌଣସି ପ୍ରମୁଖ ସ୍ଥାନରେ ୫ ଏକର ଜମି ଉତ୍ତରପ୍ରଦେଶ ସୁନି ୱାକଫ ବୋର୍ଡକୁ ପ୍ରଦାନ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କହିଛନ୍ତି । ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ଭଙ୍ଗା ଯାଇଥିବା ମସ୍ଜିଦ ହିଁ ଭଗବାନ ଶ୍ରୀରାମଙ୍କ ଜନ୍ମସ୍ଥାନ । ଗତ ଅଗଷ୍ଟ ୬ରୁ ଅକ୍ଟୋବର ୧୬ ତାରିଖ ମଧ୍ୟରେ ଲଗାତାର ୪୦ ଦିନ ଧରି ସୁପି୍ରମକୋର୍ଟ ମାମଲାର ଶୁଣାଣି କରିବା ପରେ ରାୟ ସଂରକ୍ଷିତ ରଖିଥିଲେ ।
ସାମ୍ବିଧାନିକ ଖଣ୍ଡପୀଠ ଦୀର୍ଘ ୪୫ ମିନିଟ୍ରେ ୧,୦୪୫ ପୃÂାର ତାଙ୍କ ରାୟ ପଢ଼ି ଶୁଣାଇବା ସହିତ ବହୁବର୍ଷ ଧରି ଲାଗି ରହିଥିବା ଏହି ବିବାଦର ଅନ୍ତ ଘଟାଇଛନ୍ତି ।

ପ୍ରଧାନ ବିଚାରପତି ଜଷ୍ଟିସ୍ ଗୋଗୋଇଙ୍କ ବ୍ୟତୀତ ଜଷ୍ଟିସ ଏସ୍.ଏ ବୋବଡେ, ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ଏସ୍. ଅବଦୁଲ ନଜରି ଏହି ଖଣ୍ଡପୀଠର ଅନ୍ୟତମ ସଦସ୍ୟ ଥିଲେ ।
ପ୍ରଧାନ ବିଚାରପତି ଜଷ୍ଟିସ ଗୋଗୋଇ ରାୟ ଶୁଣାଇବା ଅବସରରେ କହିଛନ୍ତି ଯେ ଭଗବାନ ରାମ ନ୍ୟାୟିକ ବ୍ୟକ୍ତି ହୋଇପାରନ୍ତି, କିନ୍ତୁ ରାମ ଜନ୍ମଭୂମି ସ୍ଥାନ ନ୍ୟାୟିକ ବ୍ୟକ୍ତି ନୁହେଁ । ଭଙ୍ଗାଯାଇଥିବା ମସ୍ଜିଦ ହିଁ ଭଗବାନ ଶ୍ରୀରାମଙ୍କ ଜନ୍ମସ୍ଥାନ । ହିନ୍ଦୁମାନଙ୍କର ରହିଥିବା ଏହି ଆସ୍ଥା ଓ ବିଶ୍ୱାସ ନିର୍ବିବାଦୀୟ ।

ବିବାଦୀୟ ୨.୭୭ ଏକର ଜମିକୁ ରାମଲାଲା ବିରାଜମାନ ପକ୍ଷକୁ ପ୍ରଦାନ କରାଯିବ । କିନ୍ତୁ ଜମିର ପ୍ରକୃତ ମାଲିକାନା ରେକର୍ଡ କେନ୍ଦ୍ର ସରକାରଙ୍କ ଅଧୀନରେ ରହିବ । ୩ ମାସ ଭିତରେ ଏକ ଟ୍ରଷ୍ଟ ଗଠନ କରାଯାଇ ମନ୍ଦିର ନିର୍ମାଣ ଲାଗି ଯୋଜନା ପ୍ରସ୍ତୁତ କରାଯିବା ଆବଶ୍ୟକ ।
କୋର୍ଟ କହିଛନ୍ତି ଯେ ବିବାଦୀୟ ଜମିର ମାଲିକାନା ନିଜର ବୋଲି ପ୍ରମାଣିତ କରିବାରେ ଉତ୍ତରପ୍ରଦେଶର ସୁନ୍ନି ୱାକଫ ବୋର୍ଡ ବିଫଳ ହୋଇଛି । ମୁସଲିମ ପକ୍ଷ ଏଭଳି କୌଣସି ସାକ୍ଷ୍ୟ ପ୍ରମାଣ ଦାଖଲ କରିପାରି ନଥିଲେ ଯେଉଁଥିରେ ପ୍ରମାଣିତ ହୋଇପାରିବ କି ୧୮୫୭ ପୂର୍ବରୁ ମସ୍ଜିଦ ଉପରେ ସେମାନଙ୍କର ପୁରା ଅଧିକାର ରହିଥିଲା । ମସଜିଦ ପରିସରରେ ପ୍ରାର୍ଥନା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇ ନଥିବା ମଧ୍ୟ ପ୍ରମାଣିତ ହୋଇଥିଲା ।

ସର୍ବୋଚ୍ଚ ଅଦାଲତ କହିଥିଲେ କି ବାବି୍ରମ ମସ୍ଜିଦ ମୀର ବାକି ନିର୍ମାଣ କରିଥିଲେ । ଧର୍ମଶାସ୍ତ୍ର ଭିତରେ ପ୍ରବେଶ କରିବା ଅଦାଲତଙ୍କ ପାଇଁ ଆଦୌ ଠିକ୍ ହେବ ନାହିଁ । କିନ୍ତୁ ବାବ୍ରି ମସ୍ଜିଦ ଖାଲି ଜମିରେ ନିର୍ମାଣ କରାଯାଇ ନଥିଲା । ଏହା ଏଭଳି ଭୁଲ ଥିଲା ଯାହାକୁ ସୁଧାରିବାର ଆବଶ୍ୟକତା ରହିଥିଲା ।

ଯେଉଁ ମୁସଲିମଙ୍କ ମସଜିଦକୁ ଧ୍ୱଂସ କରିଦିଆଯାଇଛି ସେମାନଙ୍କ ଦାବି ଓ ଅଭିଯୋଗକୁ ଯଦି କୋର୍ଟ ଅଣଦେଖା କରିବେ ତେବେ ନ୍ୟାୟର ବିଜୟ ଘଟିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଧର୍ମ ନିରପେକ୍ଷ ଦେଶରେ ଏଭଳି ସମ୍ଭବ ନୁହେଁ । ଆମକୁ ନ୍ୟାୟ ଅନୁସାରେ ଚାଲିବାକୁ ପଡିବ । ଭୁଲକୁ ସୁଧରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ଅଯୋଧ୍ୟାର କୌଣସି ପ୍ରମୁଖ ସ୍ଥାନରେ ମସ୍ଜିଦ ନିର୍ମାଣ ଲାଗି ୫ ଏକର ଜମି ପ୍ରଦାନ କରିବାକୁ ପଡିବ ।

ସୁପି୍ରମକୋର୍ଟ କହିଛନ୍ତି ଯେ ଅଦାଲତକୁ ଧର୍ମ ଏବଂ ଶ୍ରଦ୍ଧାଳୁଙ୍କ ଆସ୍ଥା ଓ ବିଶ୍ୱାସକୁ ମାନିବାକୁ ପଡିବ । ଅଦାଲତକୁ ସନ୍ତୁଳନ ବଜାୟ ରଖିବାକୁ ହେବ । ହିନ୍ଦୁମାନେ ଉକ୍ତ ସ୍ଥାନକୁ ଭଗବାନ ଶ୍ରୀରାମଙ୍କ ଜନ୍ମସ୍ଥାନ ଭାବେ ଗ୍ରହଣ କରନ୍ତି । ମୁସଲିମମାନେ ମଧ୍ୟ ସେହି ବିବାଦୀୟ ଜମି ବିଷୟରେ ସମାନ କଥା କହିଥାନ୍ତି । ପ୍ରାଚୀନ ଗ୍ରନ୍ଥ ଓ ପରିବ୍ରାଜକଙ୍କ ଦ୍ୱାରା ଲିଖିତ ପୁସ୍ତକରୁ ଜଣାପଡେ ଯେ ଅଯୋଧ୍ୟା ହେଉଛି ଭଗବାନ ଶ୍ରୀରାମଙ୍କ ଜନ୍ମସ୍ଥାନ ।
ଅଦାଲତ ତାଙ୍କ ରାୟରେ କହିଛନ୍ତି ଯେ ମସ୍ଜିଦର ତଳେ ଯେଉଁ ଢ଼ାଞ୍ଚା ରହିଛି ତାହା ଇସ୍ଲାମିକ ଢ଼ାଞ୍ଚା ନୁହେଁ । ଧ୍ୱଂସ କରାଯାଇଥିବା ମସ୍ଜିଦ ତଳେ ମନ୍ଦିରର ଢ଼ାଞ୍ଚା ଥିବା ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)ତଥ୍ୟରୁ ସ୍ପଷ୍ଟ ପ୍ରତିୟମାନ ହେଉଛି । ଏହି ତଥ୍ୟକୁ ମତାମତ ଭାବେ ବିବେଚନା କରିବା ଏଏସ୍ଆଇ ପ୍ରତି ଅପମାନ ହେବ । କିନ୍ତୁ ମନ୍ଦିର ଭାଙ୍ଗି ମସ୍ଜିଦ ନିର୍ମାଣ କରାଯାଇଥିବା ନେଇ ଏଏସ୍ଆଇ ତଥ୍ୟରୁ କୌଣସି ପ୍ରମାଣ ମିଳିନାହିଁ ।
ସୀତା ରଷୋଇ, ରାମ ଚବୁତରା ଓ ଭଣ୍ଡାର ଗୃହ ରହିବା ଘଟଣା ସେହି ସ୍ଥାନ ପ୍ରକୃତରେ ଧାର୍ମିକ ବାସ୍ତବିକତାର ପ୍ରମାଣ ବହନ କରୁଛି । କିନ୍ତୁ ଆସ୍ଥା ଓ ବିଶ୍ୱାସର ଆଧାରରେ ମାଲିକାନା ନିର୍ଦ୍ଧାରଣ କରାଯାଇପାରିବ ନାହିଁ । ଏହା କେବଳ ବିବାଦ ସମାଧାନ କରିବାର ବାଟ ହେବ ।

ବିବାଦୀୟ ସ୍ଥାନ ରାଜସ୍ୱ ରେକର୍ଡରେ ସରକାରୀ ଜମି ଭାବେ ଚିହ୍ନଟ କରାଯାଇଥିଲା । ଏକଥା ପ୍ରମାଣିତ ହୋଇଛି କି ୧୮୫୭ ପୂର୍ବରୁ ସୀତା ରଷୋଇ ଓ ରାମ ଚବୁତରା ଠାରେ ହିନ୍ଦୁମାନେ ପୂଜାର୍ଚ୍ଚନା କରୁଥିଲେ । ସେତେବେଳେ ଏହା ବ୍ରିଟିଶ ଶାସନ ଅଧୀନରେ ଥିଲା । ରେକର୍ଡରୁ ପ୍ରମାଣ ମିଳୁଛି କି ମସ୍ଜିଦର ବାହାର ପରିସର ହିନ୍ଦୁମାନଙ୍କ ଅଧୀନରେ ଥିଲା ।
ସାମ୍ବିଧାନିକ ଖଣ୍ଡପୀଠ ଜମିର ପରିଚାଳନା ହକ୍ ଦାବି କରୁଥିବା ନିର୍ମୋହୀ ଆଖଡାର ଆବେଦନକୁ ଖାରଜ କରିଦେଇଥିଲେ । କିନ୍ତୁ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ମନ୍ଦିର ନିର୍ମାଣ ଲାଗି ବନାଯିବାକୁ ଥିବା ଟ୍ରଷ୍ଟରେ ନିର୍ମୋହୀ ଆଖଡାକୁ ପ୍ରତିନିଧିତ୍ୱ ଦେବାକୁ କହିଛନ୍ତି ।
୧୯୪୬ରେ ଫୈଜାବାଦ କୋର୍ଟଙ୍କ ଆଦେଶକୁ ଚାଲେଞ୍ଜ କରିଥିବା ଶିୟା ୱାକଫ ବୋର୍ଡର ବିଶେଷ ଅନୁମତି ଆବେଦନକୁ ସୁପି୍ରମକୋର୍ଟ ଖାରଜ କରିଦେଇଛନ୍ତି । ବିବାଦୀୟ ଢ଼ାଞ୍ଚାର ମାଲିକାନା ହକ୍ ଦାବି କରୁଥିଲା ଶିୟା ୱାକଫ ବୋର୍ଡ ।
ସେହିଭଳି ଅଯୋଧ୍ୟା ଜମି ବିବାଦ ମାମଲା ସହିତ ବିବାଦୀୟ ଢ଼ାଞ୍ଚା (ବାବ୍ରି ମସଜିଦ) ଭଙ୍ଗାଯିବା ମାମଲାର କୌଣସି ସମ୍ପର୍କ ନାହିଁ । ମସ୍ଜିଦ ଭଙ୍ଗାଯିବା କୋର୍ଟଙ୍କ ଆଦେଶର ଉଲ୍ଲଂଘନ ବୋଲି ସର୍ବୋଚ୍ଚ ଅଦାଲତ ଦର୍ଶାଇବା ସହ ଏହା ବିରୋଧରେ ଚାଲିଥିବା ମାମଲାର ବିଚାର ଜାରି ରହିବ ବୋଲି ସ୍ପଷ୍ଟ କରିଦେଇଛନ୍ତି ।
ଅପରପକ୍ଷରେ ସୁପି୍ରମକୋର୍ଟଙ୍କ ଏହି ରାୟକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଏପରିକି ମାମଲାର ପ୍ରମୁଖ ପିଟିସନକାରୀ ଉତ୍ତରପ୍ରଦେଶ ସୁନ୍ନି ୱାକଫ ବୋର୍ଡ ମଧ୍ୟ ରାୟକୁ ସ୍ୱାଗତ କରିଛି । ବୋର୍ଡର ଅଧ୍ୟକ୍ଷ ଜାଫର ଅହମ୍ମଦ ଫାରୁକି କହିଛନ୍ତି ସେ କୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରୁଛନ୍ତି । କୋର୍ଟଙ୍କ ରାୟକୁ ଚାଲେଞ୍ଜ କରାଯିବାର କୌଣସି ଯୋଜନା ନଥିବା ସେ ସ୍ପଷ୍ଟ କରିଛନ୍ତି । ପୂର୍ବରୁ ବୋର୍ଡର ଓକିଲ ଜାଫରୟାବ ଜିଲାନୀ କହିଥିଲେ କି ସେ ରାୟକୁ ଚାଲେଞ୍ଜ କରିବେ । ତେବ ଅଲ୍ ଇଣ୍ଡିଆ ମୁସଲିମ ପର୍ସନାଲ ଲ’ବୋର୍ଡ ରାୟକୁ ଚାଲେଞ୍ଜ କରିବ ବୋଲି କହିଛି ।
ଆହ୍ଲାବାଦ ହାଇକୋର୍ଟ ଜମିକୁ ୩ ଭାଗ କରିବାକୁ ୨୦୧୦ ସେପ୍ଟେମ୍ବର ୩୦ରେ ଦେଇଥିବା ରାୟକୁ ଭୁଲ ବୋଲି ସୁପି୍ରମକୋର୍ଟ ଦର୍ଶାଇଛନ୍ତି । ହାଇକୋର୍ଟ ଅଯୋଧ୍ୟାର ବିବାଦୀୟ ୨.୭୭ ଏକର ଜମିକୁ ସମାନ ୩ ଭାଗରେ ବିଭକ୍ତ କରି ୩ ପକ୍ଷ ଯଥା ରାମଲାଲା ବିରାଜମାନ, ନିର୍ମୋହୀ ଆଖଡା ଓ ସୁନ୍ନି ୱାକଫ ବୋର୍ଡକୁ ପ୍ରଦାନ କରିବାକୁ କହିଥିଲେ ।

ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ସୁପି୍ରମକୋର୍ଟରେ ୧୪ଟି ପିଟିସନ ଦାଖଲ ହୋଇଥିଲା । ସୁପି୍ରମକୋର୍ଟ ଏସବୁ ମାମଲାର ଏକାଠି ଶୁଣାଣି କରିଥିଲେ । ତେବେ ତା ପୂର୍ବରୁ ସର୍ବୋଚ୍ଚ ଅଦାଲତ ଏହି ମାମଲାର ଆପୋସ ସମାଧାନ ଲାଗି ପ୍ରୟାସ କରିଥିଲେ । ଏଥିପାଇଁ ସୁପି୍ରମକୋର୍ଟର ପୂର୍ବତନ ବିଚାରପତି ଏଫ.ଏମ୍. କଲିଫୁଲ୍ଲା, ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରବିଶଙ୍କର ଏବଂ ବରିÂ ଆଇନଜୀବୀ ଶ୍ରୀରାମ ପଞ୍ଚୁଙ୍କୁ ନେଇ ଏକ ମଧ୍ୟସ୍ଥି କମିଟି ଗଠନ କରିଥିଲେ । ମାତ୍ର କମିଟି ବିଭିନ୍ନ ପକ୍ଷ ସହ ଆଲୋଚନା କରି ଆପୋସ ସମାଧାନ କରିବାରେ ବିଫଳ ହେବାରୁ ଚଳିତବର୍ଷ ଅଗଷ୍ଟ ୬ ତାରିଖରୁ ସୁପି୍ରମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ମାମଲାର ନିୟମିତ ଶୁଣାଣି ଆରମ୍ଭ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons