ଆଜିଠାରୁ କଟକ ବାଲିଯାତ୍ରା

Get real time updates directly on you device, subscribe now.

କଟକ,(ବି.ବି.ନୁ୍ୟଜ୍): ଆସନ୍ତାକାଲି (ମଙ୍ଗଳାବାର)ଠାରୁ ଆରମ୍ଭ ହେଉଛି ରାଜ୍ୟର ସର୍ବପ୍ରାଚୀନ ତଥା ସର୍ବବୃହତ୍ ମୁକ୍ତାକାଶ ବାଣିଜି୍ୟକ-ସାଂସ୍କୃତିକ ମେଳା, ଐତିହାସିକ କଟକ ବାଲିଯାତ୍ରା । ଚଳିତବର୍ଷ ଠାରୁ ଏହା ରାଜ୍ୟସ୍ତରୀୟ ମହୋତ୍ସବ ଭାବେ ପାଳନ କରାଯିବ । ପୂର୍ବବର୍ଷ ମାନଙ୍କ ତୁଳନାରେ ଏଥର ବିଶାଳ ମେଳା ଓ ବିପୁଳ ଆୟୋଜନ ଦେଖିବାକୁ ମିଳିବ । ୮ଦିନ ଧରି ବିସ୍ତୀର୍ଣ୍ଣ ମହାନଦୀ ପଠା ଓ ବାରବାଟୀ କିଲ୍ଲା ପଡ଼ିଆରେ ହେବାକୁ ଥିବା ବାଲିଯାତ୍ରାରେ ଅନେକ ଗୁଡିଏ ନୂଆ ବିଭବ ଯୋଡିଦିଆଯାଇଛି । ପ୍ରଥମଥର ପଥୋତ୍ସବ ଓ ବୋଟିଂ ମନୋରଞ୍ଜନ ଭେଟି ଦେଇ ମେଳାକୁ ଅଧିକ ଆକର୍ଷଣୀୟ କରିଛି କଟକ ଜିଲ୍ଲା ପ୍ରଶାସନ ।
୧୨ ରୁ ୧୯ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ବାଲିଯାତ୍ରାର ପ୍ରଥମ ଥର ପରିଚାଳନା ଦାୟିତ୍ୱରେ ରହିଛି ଜିଲ୍ଲା ସଂସ୍କୃତି ପରିଷଦ । ତେଣୁ ପ୍ରଶାସନର ନୂଆ ଟିମ୍ ଏଥର ବାଲିଯାତ୍ରାର କାୟା ବଦଳାଇଦେଇଛି । ଅତିରିକ୍ତ ପ୍ରାୟ ୧୦ଏକର ଜମିକୁ ସମ୍ପ୍ରସାରଣ କରାଯାଇଛି ବାଲିଯାତ୍ରା । ପୂର୍ବରୁ ଉଭୟ ଉପର ଓ ତଳ ପଡିଆ ମିଶାଇ ପ୍ରାୟ ୪୦ଏକର ଜମିରେ ମେଳା ଜମୁଥିବା ବେଳେ ଏଥର ପ୍ରାୟ ୫୦ଏକର ପରିମିତ ଜମିକୁ ମେଳାର ଆକାର ବ୍ୟାପିଛି । ଉପର ପଡିଆର ସମ୍ପୂର୍ଣ୍ଣ ଭାଗ ଏବଂ ତଳ ପଡିଆରେ କାର୍ତ୍ତିକେଶ୍ୱର ଗଡା ଠାରୁ ଆରମ୍ଭ କରି ସିସୋର୍ ଗଡ଼ା ପର୍ଯ୍ୟନ୍ତ ଲମ୍ବିବ ବାଲିଯାତ୍ରା । ଉଭୟ ଉପର ଓ ତଳ ପଡିଆ ମିଶି ୯୩୧ ଟି ପ୍ଲଟ୍ ବିକ୍ରି ହୋଇଛି । ଏହାବାଦ୍ ୬୬ଟି ଭେଣ୍ଡିଂଜୋନ୍ କରାଯାଇଛି । ପ୍ରତିବର୍ଷ ତୁଳନାରେ ଓରମାସର କାୟା ମଧ୍ୟ ବୃଦ୍ଧି ପାଇଛି । ଏଥର ୪୧୦ଟି ଷ୍ଟଲ୍ ହୋଇଛି । ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଭିନ୍ନକ୍ଷମଙ୍କ ପାଇଁ ୪୦ଟି, କିନ୍ନରଙ୍କ ପାଇଁ ୧୦ଟି ଷ୍ଟଲ୍ ନିର୍ମାଣ କରାଯାଇଥିବା ସୂଚନା । ଅନ୍ୟପକ୍ଷରେ ୯ଟି କମ୍ପାନୀ ପକ୍ଷରୁ ୩୫ଟି ଦୋଳି,ଝୁଲା ଓ ଟୟଟ୍ରେନ୍ ଆଦି ବାଲିଯାତ୍ରାରେ ପଡିଛି । ତେଣୁ ମୋଟ୍ ଉପରେ ୧୩୪୧ରୁ ଅଧିକ ଷ୍ଟଲ୍ ଶୋଭା ପାଇବ ବାଲିଯାତ୍ରାରେ ।
ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ୪ଟି ମଞ୍ଚ କରାଯାଇଛି । ଗଣକବି ବୈଷ୍ଣବ ପାଣି ମଞ୍ଚ, ମହାନଦୀ ଭୁ୍ୟ, ମୋ କଟକ ପ୍ୟାଭିଲିୟନ୍ ସମେତ ମହାନଦୀରେ ଭାସମାନ ଡଙ୍ଗାକୁ ମିଶାଇ ଗୋଟିଏ ମଞ୍ଚ ହୋଇଛି । ପ୍ରତ୍ୟେକ ଦିନ ଅପରାହ୍ନ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ପ୍ରଥମଥର ପାଇଁ ବଲିଉଡ୍ର ନାମୀଦାମୀ କଣ୍ଠଶିଳ୍ପୀ ଦଲେର୍ ମେହେନ୍ଦି, କେକେ, ସୋନା ମହାପାତ୍ର ଓ ଋତୁରାଜ ମହାନ୍ତି ପ୍ରମୁଖ ବାଲିଯାତ୍ରା ମଞ୍ଚରେ ସଂଗୀତ ପରିବେଷଣ କରିବେ । ଏହାବାଦ୍ ଓଡ଼ିଆ ସଂଗୀତ ଜଗତର ଲୋକପ୍ରିୟ କଳାକାରଙ୍କୁ ମଞ୍ଚରେ ଦେଖିବାକୁ ମିଳିବ । ପ୍ରଥମଥର ‘ପଥୋତ୍ସବ’ କରାଯାଉଛି । ପ୍ରତ୍ୟେକ ଦିନ ସକାଳୁ ୩ଘଣ୍ଟା ଏହି ଉତ୍ସବରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଦେଖିବାକୁ ମିଳିବ । ସେହିପରି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ବୋଟିଂ ସୁବିଧା ଉପଲବ୍ଧ କରାଯାଇଛି । ମେଳାକୁ ବୁଲି ଆସି ଲୋକେ ବୋଟିଂ ମଜା ନେଇପାରିବେ । ଏନେଇ ଦୁଇଟି ଅସ୍ଥାୟୀ ପୁଷ୍କରଣୀ କରାଯାଇ ଏହାର ପାରିପାଶ୍ୱିର୍କ ପରିବେଶର ସୌନ୍ଦର୍ଯ୍ୟକରଣ କରାଯାଇଛି । ‘ମାରିଟାଇମ୍ ଜୋନ୍’, ‘ଆମ ବାଲିଯାତ୍ରା’ଆପ୍, ‘ମୋ କଟକ ବାଲିଯାତ୍ରା ରିକ୍ସା’, ‘ମୋ ସାଇକଲ୍’, ‘ତାରକସି ପ୍ୟାଭିଲିୟନ୍’ ଆଦି ନୂଆ ବିଭବ ବାଲିଯାତ୍ରାରେ ଯୋଡି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons