ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସ୍ୱଳ୍ପ ଦୂରଗାମୀ ଯାତ୍ରା ପାଇଁ ଯାତ୍ରୀଙ୍କୁ ଅଣସଂରକ୍ଷିତ ସ୍ଲିପର କ୍ଲାସ୍ ସୁବିଧା ଦିଆଯିବ । ଏହି ଉଦେ୍ଧଶ୍ୟରେ ପୂର୍ବତଟ ରେଳପଥ ପକ୍ଷରୁ ଆହୁରି ୩ ଟ୍ରେନ୍ରେ ଏହି ସୁବିଧା କରାଯାଇଛି । ସ୍ୱଳ୍ପ ଦୂରଗାମୀ ଯାତ୍ରୀମାନେ ଆସନ୍ତା ଫେବ୍ରୁଆରୀ ମାସ ଶେଷ ଓ ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ଏହି ସୁବିଧା ପାଇବେ । ଯାତ୍ରୀମାନେ ସାଧାରଣ ଦ୍ୱିତୀୟ ଶ୍ରେଣୀରୁ ମାତ୍ର ଅଳ୍ପ କିଛି ଅଧିକ ଦେୟ ଦେଇ ଆହୁରି ୩ଟି ଟ୍ରେନ୍ରେ ଅଣସଂରକ୍ଷିତ ସ୍ଲିପର କ୍ଲାସ୍ ଯାତ୍ରା ସୁବିଧା ପାଇପାରିବେ । ରେଳପଥ ପକ୍ଷରୁ ଭୁବନେଶ୍ୱର-ରାମେଶ୍ୱରମ୍ ଏକ୍ସପ୍ରେସ୍, ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ୍ ଓ ତିରୁପତି-ପୁରୀ ଏକ୍ସପ୍ରେସ୍ରେ ଏହି ବ୍ୟବସ୍ଥା କରାଯାଇଛି ।
ଭୁବନେଶ୍ୱର-ରାମେଶ୍ୱରମ୍ ଏକ୍ସପ୍ରେସ୍ରେ ମାର୍ଚ୍ଚ ୬ ତାରିଖରୁ ଭୁବନେଶ୍ୱର ଓ ବ୍ରହ୍ମପୁର ମଧ୍ୟରେ ଯାତ୍ରୀଙ୍କୁ ଅଣସଂରକ୍ଷିତ ସ୍ଲିପର କ୍ଲାସ୍ ସୁବିଧା ମିଳିବ । ସେହିପରି ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ୍ରେ ଫେବ୍ରୁଆରୀ ୨୩ ତାରିଖରୁ ପୁରୀ ଓ ବ୍ରହ୍ମପୁର ମଧ୍ୟରେ ଏବଂ ତିରୁପତି-ପୁରୀ ଏକ୍ସପ୍ରେସ୍ରେ ଫେବ୍ରୁଆରୀ ୧୮ ତାରିଖରୁ ବ୍ରହ୍ମପୁର-ପୁରୀ ମଧ୍ୟରେ ଏହି ସୁବିଧା ଦିଆଯିବ । ଯାତ୍ରୀମାନେ ସାଧାରଣ ଦ୍ୱିତୀୟ ଶ୍ରେଣୀ କୋଚ୍ରେ ଭିଡ଼ ପାଇଁ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଭିଡ଼ ପାଇଁ ଅନଧିକୃତ ଭାବେ ସ୍ଲିପର୍ କ୍ଲାସ୍ରେ ଯାତ୍ରା କରୁଥିଲେ । କିନ୍ତୁ ଏହି ସୁବିଧା ମିଳିବା ପରେ ଯାତ୍ରୀମାନେ ସାଧାରଣ ଦ୍ୱିତୀୟ ଶ୍ରେଣୀ ଭଡ଼ାରୁ ଅଳ୍ପ ଅଧିକ ଦେୟ ଦେଇ ସ୍ଲିପର କ୍ଲାସ୍ରେ ସ୍ୱଳ୍ପଦୂରତା ପାଇଁ ଯାତ୍ରା କରିପାରିବେ ।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ପୂର୍ବତଟ ରେଳପଥ ପକ୍ଷରୁ ୨୦୧୧-୧୨ ମସିହାରେ କୋଣାର୍କ ଏକ୍ସପ୍ରେସ୍ ଟ୍ରେନ୍ରେ ଏହି ସୁବିଧା ପରୀକ୍ଷାମୂଳ ଭାବେ ଆରମ୍ଭ କରାଯାଇଥିଲା । ଏହାର ସଫଳତା ଏବଂ ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ରେଳପଥ ପକ୍ଷରୁ ୨୦୧୪ରେ ବିଶାଖା ଏକ୍ସପ୍ରେସ୍ରେ ଭୁବନେଶ୍ୱର ଓ ପଲାସା ମଧ୍ୟରେ ଏହି ସୁବିଧା ପ୍ରଦାନ କରଯାଇଛି । ବର୍ତ୍ତମାନ ସୁଦ୍ଧା ୭ଟି ଟ୍ରେନ୍ରେ ଅଣସଂରକ୍ଷିତ ସ୍ଲିପର କ୍ଲାସ୍ ସୁବିଧା ପ୍ରଦାନ କରାଯାଇଛି ।


Comments are closed, but trackbacks and pingbacks are open.