ନୂଆଦିଲ୍ଲୀ:ଆସନ୍ତା ବଜେଟ୍ ପାଇଁ ଅର୍ଥ ମନ୍ତ୍ରାଳୟ ପ୍ରସ୍ତୁତି ଆରମ୍ଭ କରିସାରିଲାଣି । ପ୍ରଥମ ଥର ପାଇଁ ଏହା ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଟିକସ ଉପରେ ଶିଳ୍ପ ଏବଂ ବାଣିଜ୍ୟ ସଂଘଗୁଡିକଠାରୁ ପରାମର୍ଶ ଲୋଡିଛି ।
ଆସନ୍ତା ଫେବ୍ରୁଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ଆର୍ଥିକବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ । ସାପାରଣତଃ ବଜେଟ୍ ପୂର୍ବରୁ ଅର୍ଥ ମନ୍ତ୍ରାଳୟ ବିଭିନ୍ନ ଶିଳ୍ପ କ୍ଷେତ୍ରର ପ୍ରତିନିପି ଏବଂ ଅଂଶୀଦାରମାନଙ୍କ ସହ ପ୍ରାକ୍-ବଜେଟ୍ ବୈଠକ କରିଥାଏ । କିନ୍ତୁ ପ୍ରଥମ ଥର ପାଇଁ ଏହା ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଟିକସରେ କୌଣସି ପ୍ରକାର ପରିବର୍ତ୍ତନ ଆଣିବା ନେଇ ଉଭୟ ବ୍ୟକ୍ତିବିଶେଷ ଏବଂ କର୍ପୋରେଟ୍ ଜଗତଠାରୁ ପରାମର୍ଶ ଲୋଡିଛି ।
ଏ ନେଇ ନଭେମ୍ବର ୧୧ରେ ସର୍କୁଲାର ଜାରି କରାଯାଇଛି । ଟିକସ ଢ଼ାଞ୍ଚା, ଟିକସ ହାର ସହ ଟିକସଦାତାଙ୍କ ପରିସର ବୃଦ୍ଧି ଉପରେ ଏହା ପରାମର୍ଶ ଲୋଡିଛି ।
ସୂଚନାଯୋଗ୍ୟ, ଜୁଲାଇ ୫ରେ ଅର୍ଥମନ୍ତ୍ରୀ ସୀତାରମଣ ତାଙ୍କର ପ୍ରଥମ ବଜେଟ୍ ଉପସ୍ଥାପନ କରିଥିଲେ । ଏହାର ତୁରନ୍ତ ବାଦ ସେପ୍ଟେମ୍ବର ୨୦ରେ ସେ କର୍ପୋରେଟ୍ ଟିକସ ହ୍ରାସ କରି କର୍ପୋରେଟ୍ ଜଗତକୁ ଖୁସି କରିଥିଲେ । ଘରୋଇ କମ୍ପାନିଗୁଡିକ ପାଇଁ ଏହାକୁ ୩୦%ରୁ ୨୨%କୁ ହ୍ରାସ କରାଯାଇଛି । କୌଣସି ପ୍ରକାର ରିହାତି କିମ୍ବା ପ୍ରୋତ୍ସାହନ ନେଉ ନ ଥିବା କମ୍ପାନିଗୁଡିକ ପାଇଁ ଅନ୍ୟ ସବୁ ଅତିରିକ୍ତ ଶୁଳ୍କ ମିଶିବା ପରେ ପ୍ରଭାବୀ କମ୍ପାନି ଟିକସ ୨୫.୨% ହେବ ।
ଅକ୍ଟୋବର ୧ ପରେ ଗଠିତ ନୂଆ ବିନିର୍ମାଣ କମ୍ପାନି ୧୫% କମ୍ପାନି ଟିକସ ଦେବେ । ପୂର୍ବରୁ ଏମାନେ ୨୫% ଟିକସ ଦେଉଥିବାବେଳେ ବର୍ତ୍ତମାନ ୧୫%କୁ ହ୍ରାସ ଘଟିଛି । ଅନ୍ୟ ଶୁଳ୍କଗୁଡିକ ମିଶିବା ପରେ ପ୍ରଭାବୀ ଦର ୧୭ଧ ରହିବ । ଏହି ନିଷ୍ପତ୍ତି ଯୋଗୁ ୨୦୧୯-୨୦ ଆର୍ଥିକବର୍ଷରେ ସରକାର ୧.୪୫ ଲକ୍ଷ କୋଟି ଟଙ୍କାର ରାଜସ୍ୱ କ୍ଷତି ସହିବେ ।
ଏହାସତ୍ତେ୍ୱ ବ୍ୟକ୍ତିଗତ ଆୟକର ହ୍ରାସ କରିବା ପାଇଁ ଦାବି ହେଉଛି । ଲୋକଙ୍କ ହାତକୁ ଅପିକ ଟଙ୍କା ଦେବାକୁ ଏହା ଉପରେ ସରକାର ବିଚାର କରନ୍ତୁ ବୋଲି ବିଭିନ୍ନ ମହଲରୁ କୁହାଯାଇଛି । ନିମ୍ନମୁଖୀ ଅର୍ଥନୀତିରେ ଚାହିଦା ବଢ଼ାଇବା ଲାଗି ଏହି ନିଷ୍ପତ୍ତି ନିଆଯାଇପାରେ ବୋଲି ଆଶା କରାଯାଉଛି ।
ସୂଚନାଯୋଗ୍ୟ, ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରୟମାସରେ ଦେଶର ଜିଡିପି ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତର ୫%କୁ ଖସିଆସିଛି । ଏହା ସହିତ ଦ୍ୱିତୀୟ ତ୍ରୟମାସରେ ଏହା ୪.୨%କୁ ଖସିଯିବ ବୋଲି ଏସ୍ବିଆଇ ଏହାର ରିସର୍ଚ୍ଚ ପେପର୍ରେ ପ୍ରକାଶ କରିଛି । ଚଳିତ ଆର୍ଥିକବର୍ଷ ଦେଶର ବିକାଶ ହାର ୫% ରହିବ ବୋଲି ଏହା କହିଛି ।


Comments are closed, but trackbacks and pingbacks are open.