ପୁଣି ଚର୍ଚ୍ଚାରେ ଦାନ ମାଝି:ଦାନଙ୍କ ଦୁଆରେ ଖୁସିର ଜୁଆର

Get real time updates directly on you device, subscribe now.

ଭବାନୀପାଟଣା,(ବି.ବି.ନୁ୍ୟଜ୍): ଦାନ ମାଝି ଏବେ ପୁଣି ଚର୍ଚ୍ଚାରେ । ଗତ କିଛି ଦିନ ହେଲା ସୋସିଆଲ ମିଡିଆରେ ଦାନ ମାଝିଙ୍କ କିଛି ଫଟୋ ଘୂରିବୁଲୁଛି । ଫଟୋଟିରେ ଦାନ ମାଝି ଏକ ଶିଶୁକୁ ପାରମ୍ପରିକ ଗଣ୍ଠିଲିରେ କାନେ୍ଧଇ ଥିବା ଦେଖିବାକୁ ମିଳିଛି । ଦାନଙ୍କ ପାରମ୍ପରିକ ପରିଧାନ କିନ୍ତୁ ବଦଳି ଯାଇଛି । ଏକ ବରମୁଡ଼ା ଏବଂ ଟି-ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି । ଏଥିସହିତ ସେହି ପୋଷ୍ଟରେ ଏକ ଆଧୁନିକ ଘରର ଫଟୋ ମଧ୍ୟ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏଭଳି ପୋଷ୍ଟ ଦେଖିବା ପରେ ଆମେ ଏହାର ସତ୍ୟାସତ୍ୟ ଅନୁସନ୍ଧାନ କରିଥିଲୁ । ଫଟୋ ଗୁଡିକ ଭବାନୀପାଟଣାର ଜଣେ ସାମାଜିକ କର୍ମୀ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ଦାନ ଯେଉଁ ଶିଶୁଟିକୁ ଧରିଛନ୍ତି ତାହା ତାଙ୍କର ନବଜାତ ପୁତ୍ର ଏବଂ ଯେଉଁଘରଟିର ଫଟୋ ରହିଛି ତାହା ଦାନଙ୍କର ନବନିର୍ମିତ କୋଠା । ନିଜ ଗାଁ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମେଲଘରା ଠାରେ ସେ ଏହି ଘରଟି ତିଆରି କରିଛନ୍ତି । କୋଠାକାମ ପ୍ରାୟ ନବେ ପ୍ରତିଶତ ସରିଗଲାଣି । ଖୁବଶୀଘ୍ର ଦାନ ଗୃହପ୍ରବେଶ କରିବେ ବୋଲି ଜଣାପଡିଛି । ଦାନ ମାଝିଙ୍କର ଏହି ଫଟୋ ଗୁଡିକ ଏବେ ଚର୍ଚ୍ଚାରେ ରହିଛି ।
ସୂଚନାଯୋଗ୍ୟ ଯେ, ୨୦୧୬ ମସିହା ଅଗଷ୍ଟ ୨୪ ତାରିଖରେ ଦାନ ମାଝି ନିଜ ପତ୍ନୀଙ୍କ ମୃତ ଦେହକୁ ୧୨ କିଲୋମିଟର ବାଟ କାନ୍ଧରେ ବୋହି ନେଇ ଚର୍ଚ୍ଚାକୁ ଆସିଥିଲେ । ତାଙ୍କ ପତ୍ନୀ ଅମାଙ୍ଗଦେଇ ଦୀର୍ଘଦିନରୁ ଯକ୍ଷ୍ମା ରୋଗରେ ପିଡ଼ିତ ଥିଲେ । ଶେଷରେ ଭବାନୀପଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ । ପତ୍ନୀଙ୍କ ମୃତୁ୍ୟପରେ ତାଙ୍କ ମୃତ ଦେହ ଗାଁକୁ ନେବା ପାଇଁ କୌଣସି ଗାଡ଼ି ନପାଇବାରୁ ଦାନ ନିଜ ପତ୍ନୀଙ୍କ ଶବ କାନ୍ଧରେ ବୋହି ଭେଲଘରା ବାହାରିଥିଲେ । ବାଟରେ ୧୨ କିଲୋମିଟର ଦୂରରେ କେତେକ ବ୍ୟକ୍ତି ତାହାଙ୍କୁ ଦେଖି ଗାଡ଼ିର ବ୍ୟବସ୍ଥା କରିଥିଲେ । ତାହାପରେ ଦାନଙ୍କ କାହାଣୀ ଲୋକଲୋଚନକୁ ଆସିଥିଲା । ଘଟଣାଟି ସେତେବେଳେ ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିଲା । ଏପରିକି ବିଶ୍ୱସମୁଦାୟରେ ଦାନମାଝି ଏକ ଚର୍ଚ୍ଚାର ପାତ୍ର ପାଲଟିଥିଲେ । ତାଙ୍କ ପ୍ରତି ସମବେଦନାର ସୁଅ ଛୁଟିଥିଲା । ଦାନଙ୍କ ସଂଘର୍ଷର କଥା ଜାଣିବା ପରେ ଦେଶ ବିଦେଶରୁ ତାଙ୍କୁ ଆର୍ଥିକ ସହାୟତା ମିଳିଥିଲା ।
ପରେପରେ ଦାନ ମାଝି ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଦାମନଘାଟି ଗାଁର ଅଲମତି ଦେଇଙ୍କୁ ତୃତୀୟ ପତ୍ନୀ ଭାବେ ବିବାହ କରିଥିଲେ । ଏବେ ତାଙ୍କ ତୃତୀୟ ପତ୍ନୀ ଅଲମତୀଙ୍କ ଗର୍ଭରୁ ଏକ ଶିଶୁପୁତ୍ର ଜନ୍ମ ହୋଇଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଏଥିସହ ଦାନ ମାଝି ପାଇଥିବା ଆର୍ଥିକ ସହାୟତାରେ ପକ୍କାଘର ତିଆରିକରି ଏକ ଉନ୍ନତ ଜୀବନଯାପନ ଆରମ୍ଭ କରିଥିବା ସାଧାରଣରେ ବେଶ ଚର୍ଚ୍ଚାର ବିଷୟ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons