ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଗୋଟାଏ ପିଆଜ ଦିଅ । ଛୋଟ ପିଆଜ ଅଢେ଼ଇ ଶହକୁ କେତେ? ଦୋକାନରେ ଗ୍ରାହକଙ୍କ ମୁହଁରୁ ଏମିତି ଶୁଣିବାକୁ ମିଳୁଛି । ପିଆଜ ଦର ଏବେ ଲୋକଙ୍କ ଚିନ୍ତାର କାରଣ ହୋଇଛି । ଆଜି ରାଜ୍ୟର ବିଭିନ୍ନ ଖୁଚୁରା ବଜାରରେ ପିଆଜ ଦର ୧୪୦ ଟଙ୍କାରେ ପହଞ୍ଚିଛି । ଏଭଳି ଦର ଶୁଣି ଲୋକେ କାନମୁଣ୍ଡା ଆଉଁସି ଘରକୁ ଫେରୁଛନ୍ତି ।
ଆଜି ରାଜଧାନୀର ବିଭିନ୍ନ ସ୍ଥାନରେ ପିଆଜ କିଲୋ ପିଛା ୧୪୦ ଟଙ୍କାରେ ବିକ୍ରି ହୋଇଛି । ପିଆଜ ଦରବୃଦ୍ଧି ରେକର୍ଡ ସ୍ତରରେ ପହଞ୍ଚିଛି । ବରମୁଣ୍ଡା, ଶିରିପୁର ଛକ, ଗଙ୍ଗନଗର, ୟୁନିଟ-୪, ଶାସ୍ତ୍ରୀନଗର, ନୂଆପଲ୍ଲୀ ଓ ଚନ୍ଦ୍ରଶେଖରପୁର ଭଳି ଅଞ୍ଚଳରେ ପିଆଜ ଏଭଳି ମହରଗ ହୋଇଯାଇଛି । କଟକରେ ବି ପିଆଜ ୧୪୦ । ପୁରୀ, ବାରିପଦାରେ ୧୪୦ରେ ପହଞ୍ଚି ସାରିଛି । ଖୋର୍ଦ୍ଧା, ଭଦ୍ରକ, ନୟାଗଡ଼ ଓ ଅନୁଗୁଳରେ ଛୁଇଁବା ଛୁଇଁବା ହେଉଛି । ଜୟପୁରରେ ୧୦୦ ଟଙ୍କା, ରାୟଗଡ଼ାରେ ୯୫ ଓ କେନ୍ଦୁଝରରେ ୧୦୦ ଟଙ୍କା ଅଛି ।
ଗତକାଲି ରାଜ୍ୟର ଅଧିକାଂଶ ସ୍ଥାନରେ ପିଆଜ ୧୦୦ରୁ ୧୨୦ ଟଙ୍କାରେ ବିକ୍ରି ହେଉଥିଲା । ଆଜି କିନ୍ତୁ ପିଆଜ ଦରବୃଦ୍ଧି ସବୁ ପୁରୁଣା ରେକର୍ଡକୁ ଟପିଯାଇଛି । ଦିନକରେ ଗୋଟିଏ କେଜିରେ ୨୦ ଟଙ୍କା ଦରବୃଦ୍ଧି ଘଟିଛି । ଗୋଟିଏ କିଲୋ ବଡ଼ ପିଆଜ ଓଜନ କଲେ ଏଥିରେ ୧୨ରୁ ୧୪ଟି ପିଆଜ ଉଠୁଛି । ଆଉ ଗୋଟିଏ ପିଆଜ ପିଛା ହିସାବ କଲେ ୧୦ ଟଙ୍କା ପଡ଼ିଯାଉଛି । ଅନେକ ଗ୍ରାହକ ଦୋକାନକୁ ଆସି ଗୋଟିଏ ଦୁଇଟି ପିଆଜ ମାଗୁଛନ୍ତି ।
ପିଆଜର ଅହେତୁକ ମୂଲ୍ୟବୃଦ୍ଧି ସବୁ ବର୍ଗର ଲୋକଙ୍କୁ ବାଧିଛି । ଦରବୃଦ୍ଧି ସିଧାସଳଖ ପ୍ରଭାବ ହୋଟେଲ ଓ ରେସ୍ତୋରାଁରେ ପଡ଼ିଛି । ପିଆଜ ପାଇଁ ହୋଟେଲରେ ତରକାରି ମହଙ୍ଗା ହୋଇଛି । ରାଜଧାନୀର କିଛି ଫାଷ୍ଟଫୁଡ୍ ଦୋକାନରେ ଚିଲି ଚିକେନ୍ ଓ ଅନ୍ୟ ଫାଷ୍ଟଫୁଡ୍ ଦର ବଢ଼ିଯାଇଛି । ପିଆଜର ରେକର୍ଡ ଦରବୃଦ୍ଧି ଯୋଗୁ ହାଣ୍ଡିଶାଳରେ ଚଡ଼କ ପଡ଼ିଛି । ବିନା ପିଆଜରେ ରୋଷେଇ କରିବାକୁ ଅନେକ ବାଧ୍ୟ ହେଉଛନ୍ତି ।
ଆଗମାର୍କ ନେଟ୍ରେ ପ୍ରଦତ୍ତ ପିଆଜ ତଥ୍ୟ ଅନୁସାରେ, ଆଜି ମହାରାଷ୍ଟ୍ରର ନାସିକ୍ ବଜାରକୁ ବହୁତ କମ୍ ପିଆଜ ଆସିଥିଲା । ଏଣୁ ରାଜ୍ୟକୁ ନାସିକ୍ରୁ କୌଣସି ପିଆଜ ଆସିନି । ମହାରାଷ୍ଟ୍ରର କୋହ୍ଲାପୁରରେ ଆଜି ପିଆଜ କୁଇଣ୍ଟାଲ ୧୨ହଜାର ୫୦୦ଟଙ୍କା ଥିଲା । ଲାସଲଗାଓଁରେ ୯୩୫୨, ପିମ୍ପଲଗାଓଁରେ ୯୫୦୦, ପୁନେରେ ୧୨ହଜାର ଥିଲା । ଏବେ ଆନ୍ଧ୍ରପ୍ରଦେଶ ଓ ହାଇଦ୍ରାବାଦରୁ ଓଡ଼ିଶାକୁ ପିଆଜ ଆମଦାନୀ ହୋଇ ଆସୁଛି ।
ଓଡ଼ିଶାକୁ ଆଜି ବହୁତ କମ୍ ପିଆଜ ଆମଦାନୀ ହୋଇ ଆସିଛି । ଏଥିପାଇଁ ଦର ବୃଦ୍ଧି ନିୟନ୍ତ୍ରଣ ବାହରକୁ ଚାଲିଯାଇଛି । ରାଜଧାନୀ ଭୁବନେଶ୍ୱରକୁ ମାତ୍ର ୮୦ରୁ ୧୦୦ଟନ୍ ପିଆଜ ଆମଦାନୀ ହୋଇଛି । ଏଥିପାଇଁ ଆସନ୍ତାକାଲି ମଧ୍ୟ ପିଆଜ ଦର ବଢ଼ିବ । ଦୁଇ ଦିନ ଭିତରେ ଏହି ଦର ଦେଢ ଶହ ଟପିବ ବୋଲି ଯୋଗାଣ ବିଭାଗର ଜଣେ ଅଧିକାରୀ କହିଛନ୍ତି ।
ରାଜଧାନୀ କୁବେରପୁରୀ ବ୍ୟବସାୟୀ ସଂଘ ସମ୍ପାଦକ ଶକ୍ତିଶଙ୍କର ମିଶ୍ର କହିଛନ୍ତି, କମ୍ ଆମଦାନୀ ପାଇଁ ଆଜି ପିଆଜ ଦର ପୁଣି ବଢିଛି । ହୋଲସେଲରେ ପିଆଜ କେଜି ୧୧୦ରୁ ୧୨୦ଟଙ୍କାରେ ବିକ୍ରି ହୋଇଛି । ତେବେ ନାସିକ୍ରୁ ନୂଆ ପିଆଜ ବାହାରିବାକୁ ଆହୁରି ସମୟ ଲାଗିବ । ସେବେଯାଏ ପିଆଜ ଦର ଖସିବାର ପ୍ରଶ୍ନ ଉଠୁନି ।
ସେପଟେ ନିୟମ ଅନୁସାରେ ହୋଲସେଲ ଦରଠାରୁ ୪ଟଙ୍କା ଅଧିକରେ ଖୁଚୁରା ବଜାରରେ ପିଆଜ ବିକ୍ରି ହେବା କଥା । କିନ୍ତୁ ହୋଲସେଲ ଦରଠାରୁ ୨୦ଟଙ୍କା ଅଧିକରେ ପିଆଜ ବିକ୍ରି ହେଉଛି । ଏହା ଉପରେ ଲଗାମ୍ ଲଗାଇବାରେ ଯୋଗାଣ ବିଭାଗ ଫେଲ୍ ମାରିଛି ।
Comments are closed, but trackbacks and pingbacks are open.