ଭୁବନେଶ୍ୱର : ଦେଢ଼ ଶହ ଛୁଇଁଲା ପିଆଜ । ବଜାରରେ ବେପାରୀଠୁ ଗ୍ରାହକ ଯିଏ ଯେତେ ହୋ-ହଲ୍ଲା କଲେ ବି ଫଳ ଶୂନ୍ । ପିଆଜ ସଂକଟକୁ ନେଇ ଯେତେବେଳେ ଯୋଗାଣ ବିଭାଗ ହାତ ଟେକି ଦେଇଛି, ସେତେବେଳେ ଏଭଳି ହୋ-ହଲ୍ଲାର କିଛି ବି ମତଲବ ନାହିଁ । ବାହାରୁ ପିଆଜ ଆସିଲେ ହିଁ ଦର କମିପାରେ । ହେଲେ ରାଜ୍ୟରେ ଏଭଳି ସଂକଟ ବେଳେ ଆଜି ପର୍ୟ୍ୟନ୍ତ କୋଉଠି ପିଆଜ ମହଜୁଦ୍କାରୀଙ୍କ ଉପରେ କାର୍ୟ୍ୟାନୁଷ୍ଠାନ କାହିଁକି ହେଉନି ତାକୁ ନେଇ ଉଠିଛି ପ୍ରଶ୍ନ ?
କାଲି ଶୁଣାଯାଉଥିଲା । ଆଜି ତାହା ଦେଖିବାକୁ ମିଳିଲା । ମାନେ ବଜାରରେ ପିଆଜ ଦର ୧୫୦ ଛୁଇଁଗଲା । ଯେତେବେଳେ କଟକ ଛତ୍ର ବଜାରେ ପିଆଜ ୧୫୦, ସେଠି ବାକି ମାର୍କେଟ କଥା କ’ଣ କହିବା । ଗଲା ୨-୪ଦିନ ଭିତରେ ପ୍ରତିଦିନ ୧୦-୧୫-୨୦ ବଢ଼ି ଶହେରୁ ଦେଢ଼ଶ‘ରେ ପହଞ୍ଚିଲାଣି ପିଆଜ । ବଜାରରେ ବେପାରୀଙ୍କ ଠାରୁ ଆରମ୍ଭ କରି ଗ୍ରାହକଙ୍କ ପର୍ୟ୍ୟନ୍ତ ଖାଲି କ୍ୟାମେରା ଦେଖି ସିନା ହୋ-ହଲ୍ଲା କରୁଛନ୍ତି, ହେଲେ ପରିସ୍ଥିତିକୁ ନେଇ ଯୋଗାଣ ବିଭାଗ କିନ୍ତୁ ଚୁପ୍ । ଚୁପ୍ ରହିବେନି ବା କେମିତି ? ବାହାରୁ ପିଆଜ ଆସିବା ଯାଏଁ, ସେମାନଙ୍କ ହାତରେ ବି କିଛି ନାହିଁ । ମନ୍ତ୍ରୀ ତ ପୂରା ହାତ ଟେକିଦେଇଛନ୍ତି । ଯାହାକୁ ଦେଖି କିଛି ବେପାରୀ ମଧ୍ୟ ମଉକାର ଧୁମ୍ ଫାଇଦା ଉଠାଇବାରେ ମାତିଛନ୍ତି । ଖାଲି ଯାହା ତୁଣ୍ଡ ସାରୁଛନ୍ତି ବିଚରା ଗ୍ରାହକ ।
ପଖାଳ କଂସା ପାଖରୁ ପିଆଜ ଗାଏବ୍ ହୋଇଯାଇଛି । ମାଛମାଂସ ପ୍ରିୟ ଲୋକଙ୍କ ପାଟି ବି ଅସ୍ବାଦ ଧରିଲାଣି । ବିନା ପିଆଜରେ କେମିତି ଚଳିବ ମଣିଷ । ମନ ସହୁନି, ସେଥିପାଇଁ ଯିଏ ଯାହା ପାରୁଛନ୍ତି ଗୁଡ଼ାଏ ବକି ଯାଉଛନ୍ତି । ହେଲେ କ’ଣ ହେବ ପିଆଜ ଥିଲେ ତ ମିଳିବ ।
ସବୁ ବର୍ଷ ଏଇ ଦିନରେ ପିଆଜ ସଂକଟ ଦେଖାଦେଉଛି । ଆମ ରାଜ୍ୟରେ ଉତ୍ପାଦନ ହେଉଥିବା ପିଆଜ ତକ ଯଦି ଆମେ ରଖିପାରନ୍ତେ ତାହେଲେ ବି ଏତେ ଅସୁବିଧା ହୁଅନ୍ତା ନାହିଁ । ହେଲେ ସେକଥା କିଏ ବୁଝୁଛି । ସବୁ କଥା ପାଇଁ ଅନ୍ୟ ରାଜ୍ୟ ଉପରେ ଭରସା କଲେ ଏମିତି ହିଁ ଦଶା ଭୋଗିବାକୁ ପଡ଼ିବ ।
ସଂସଦରୁ ସଡ଼କ ଏବେ ପିଆଜକୁ ନେଇ ହୋ-ହଲ୍ଲା ଚାଲିଛି । ରାଜନୀତି ବି ଖୁବ୍ ହେଉଛି । ହେଲେ ଏସବୁର ମତଲବ କିଛି ନାହିଁ । ମାର୍କେଟକୁ ନୂଆ ପିଆଜ ଆସିବା ପର୍ୟ୍ୟନ୍ତ ଏ ତାତି ଏମିତି ରହିବ ।
Comments are closed, but trackbacks and pingbacks are open.