ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜଧାନୀରେ ପିଆଜର ହୋଲସେଲ ଦର ୧୧୦ଟଙ୍କା । କିନ୍ତୁ ବଜାର ଓ ଛକରେ ଥିବା ଖୁଚୁରା ଦୋକାନରେ ଏହି ଦର ଦେଢ଼ ଶହ ଟଙ୍କା । ହୋଲସେଲ ଦରଠାରୁ ଖୁଚୁରା ଦର ଭିତରେ ଫରକ ୪୦ଟଙ୍କା । ନିୟମ ଅନୁସାରେ ଏହି ଫରକ ୪ ଟଙ୍କା ହେବା କଥା । ହେଲେ ଦରବୃଦ୍ଧିର ସୁଯୋଗ ନେଇ ଖୁଚୁରା ବେପାରୀ ଏବେ ଲୋକଙ୍କୁ ମନଇଚ୍ଛା ଲୁଟୁଛନ୍ତି । ପିଆଜ ଉପôାଦନ ଓ ସଂରକ୍ଷଣରେ ଫେଲ୍ ହେବା ପରେ ସରକାର ଏବେ ଖୁଚୁରା ବଜାରରେ ଦର ନିୟନ୍ତ୍ରଣ କରିବାରେ ଫେଲ୍ ହୋଇଛନ୍ତି ।
ଚଳିତ ବର୍ଷ ଲଗାଣ ବର୍ଷା ପାଇଁ ମହାରାଷ୍ଟ୍ରରେ ପିଆଜ ଉପôାଦନ ପ୍ରଭାବିତ ହୋଇଛି । ପିଆଜ ଆମଦାନୀ ପାଇଁ ଓଡ଼ିଶା ମହାରାଷ୍ଟ୍ର ଉପରେ ସର୍ବାଧିକ ନିର୍ଭର କରିଥାଏ । ମହାରାଷ୍ଟ୍ରରେ ପିଆଜ ଫସଲ ନଷ୍ଟ ପରେ ଓଡ଼ିଶାରେ ପିଆଜର ଅହେତୁକ ମୂଲ୍ୟବୃଦ୍ଧି ହୋଇଛି । ଓଡ଼ିଶାର କିଛି ସ୍ଥାନରେ ପିଆଜ ଫସଲ ଭଳ ହୁଏ । କିନ୍ତୁ ଏ ବର୍ଷ ଚାଷୀ ଉପଯୁକ୍ତ ମୂଲ୍ୟ ନ ପାଇବାରୁ ଅଭାବୀ ବିକ୍ରି ପରିସ୍ଥିତି ହେଲା । ଏହି ପିଆଜକୁ ସଂରକ୍ଷଣ କରାଯାଇଥିଲେ ଏହା ପିଆଜ ଅଭାବ ସ୍ଥିତିକୁ ଏଡ଼ାଇ ପାରିଥାଆନ୍ତା । କିନ୍ତୁ ସଂରକ୍ଷଣ ଗୃହ ଅଭାବ ଓ ପିଆଜର ଠିକ୍ ମୂଲ୍ୟ ନ ମିଳିବାରୁ ପିଆଜର ଅଭାବୀ ବିକ୍ରି ହେଲା । ସେବେ କିଲୋ ପିଛା ୫ଟଙ୍କାରେ ଓଡ଼ିଶା ଚାଷୀ ପିଆଜ ବିକ୍ରି କଲେ । କିନ୍ତୁ ଏବେ ପିଆଜ କିଲୋ ୧୫୦ଟଙ୍କାରେ ପହଞ୍ଚିଲାଣି ।
କୁବେରପୁରୀ ବ୍ୟବସାୟୀ ମହାସଂଘର ସମ୍ପାଦକ ଶକ୍ତିଶଙ୍କର ମିଶ୍ରଙ୍କ ସୂଚନା ଅନୁସାରେ, ଆଜି ରାଜଧାନୀକୁ ମାତ୍ର ୧୨୦ଟନ୍ ପିଆଜ ଆସିଛି । ସହରର ଦୈନିକ ପିଆଜ ଆବଶ୍ୟକତା ଅଢେଇ ଶହରୁ ତିନି ଶହ ଟନ୍ । କମ୍ ଆମଦାନୀ ଓ ପିଆଜ ଅଭାବ ପାଇଁ ପିଆଜ ଦର ବହୁତ ବଢିଛି । କୁବେରପୁରୀ ମଣ୍ଡିରେ ଆଜି ପିଆଜର ହୋଲସେଲ ଦର ୧୧୦ ଟଙ୍କାରେ ବିକ୍ରି ହୋଇଛି । ନାସିକ୍ରୁ ନୂଆ ପିଆଜ ବାହାରିବା ଆରମ୍ଭ ହେଉଛି । ଚଳିତ ମାସ ଶେଷ ସୁଦ୍ଧା ପିଆଜ ଦର ଖସିବ ବୋଲି ସେ କହିଛନ୍ତି ।
ମଣ୍ଡିରୁ କିଣା ହୋଇ ଖୁଚୁରା ଦୋକାନରେ ଏହି ପିଆଜ ପହଞ୍ଚିବା ପରେ ଏହା ୪୦ଟଙ୍କା ବଢ଼ିଯାଉଛି । ଯୋଗାଣ ବିଭାଗର ନିୟମ ଅନୁସାରେ ବ୍ୟବସାୟୀମାନେ ହୋଲସେଲ ଦରରେ ଯାହାକୁ କିଣିବେ ଖୁଚୁରା ଦୋକାନରେ ହୋଲସେଲ୍ ଦରଠାରୁ କିଲୋ ପିଛା ସର୍ବାଧିକ ୪ଟଙ୍କା ଅଧିକରେ ବିକ୍ରି ହେବ । କିନ୍ତୁ ପିଆଜ ଅଭାବ ସମୟରେ ସହରର ଖୁଚୁରା ଦୋକାନୀ ଲୋକଙ୍କ ଯନ୍ତ୍ରଣାକୁ ଆହୁରି ଦ୍ୱିଗୁଣିତ କରୁଛନ୍ତି । ମନଇଚ୍ଛା ପିଆଜ ଦର ବଢାଇ ଲୁଟୁଛନ୍ତି । ଏହା ଉପରେ ସରକାର ଲଗାମ ଲଗାଉ ନାହାନ୍ତି । ଖୁଚୁରା ଦୋକାନରେ ଦର ବୃଦ୍ଧି ଯାଞ୍ଚ ହେଉନି କି ଏହା ଉପରେ ରୋକ୍ ଲଗାଯାଉନି ।
Comments are closed, but trackbacks and pingbacks are open.