ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡିଶାରେ ବିଜେଡି ଶାସନର ୫ମ ପାଳିର ପ୍ରଥମ ୬ ମାସରେ ୬ ବଡ଼ ବିଫଳତାକୁ ପ୍ରସଙ୍ଗ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ କୈଫିୟତ ମାଗିଛି ବିଜେପି । ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି, ରାଜ୍ୟରେ ମହିଳା ଧର୍ଷିତା ଓ ଅପମାନିତା ହେଉଛନ୍ତି । ଗରିବଙ୍କ ପକ୍କା ଘର ଯୋଜନାରେ ଗରିବ ବଦଳରେ ଦଳୀୟ କର୍ମୀ ଯୋଜନା ଘର ବାଣ୍ଟି ନେଉଛନ୍ତି । ସେହିଭଳି ‘ଫୋନି’ ଅର୍ଥର ବାଟମାରଣା, ମେକ୍ ଇନ୍ ଓଡ଼ିଶା ସମ୍ପୂର୍ଣ୍ଣ ଫେଲ୍ ମାରିବା ସହ ସିଏଜି ରିପୋର୍ଟରେ ରାଜ୍ୟ ସରକାରଙ୍କ ଅପାରଗତା ପଦାରେ ପଡ଼ିଛି । ନିର୍ବାଚନ ପୂର୍ବରୁ କେନ୍ଦ୍ରୀୟ ଯୋଜନାକୁ ଲାଗୁ କରୁନଥିବା ରାଜ୍ୟ ସରକାର ଏବେ ନିଜସ୍ୱ ଯୋଜନା ପାଇଁ ଅର୍ଥ ଅଭାବ ହେବାରୁ କେନ୍ଦ୍ରୀୟ ଯୋଜନାକୁ ଲାଗୁ କରିବାକୁ ଅଣ୍ଟା ଭିଡ଼ିଛନ୍ତି ବୋଲି ତାଚ୍ଛଲ୍ୟ କରିଛନ୍ତି ସମୀର ।
ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି, ଓଡ଼ିଶାରେ ମହିଳା ଧର୍ଷଣ ଖାଲି ବଢ଼ିନି ବରଂ ମହିଳାକୁ ସୁରକ୍ଷା ଦେବା ପାଇଁ ଉଦ୍ଧିଷ୍ଟ ପୁଲିସ ବାହିନୀ ଏବେ ଚାପରେ କାମ କରୁଛି । ମୃତା ସ୍ମିତାରାଣୀଙ୍କ ଚରିତ୍ର ସଂହାର କରିଛନ୍ତି ଯାଜପୁର ଏସପି । ମହିଳା ନିର୍ଯାତନାରେ ଦଣ୍ଡବିଧାନ ହାର କମି କମି ଚାଲିଛି ।
ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ଆବାସର ମହାଘୋଟାଲା ଖୋଦ୍ ବିଭାଗୀୟ ମନ୍ତ୍ରୀଙ୍କ ମହାଙ୍ଗା ନିର୍ବାଚନ ମଣ୍ଡଳୀରୁ ମିଳିଛି । ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳୁନି, ମାତ୍ର ଅଯୋଗ୍ୟ ହିତାଧିକାରୀ ଘର ପାଉଛନ୍ତି । ସେହିପରି ‘ଫୋନି ଆସିବା ପୂର୍ବରୁ ଓ ପରେ କେନ୍ଦ୍ର ସରକାର ରେକର୍ଡ ପରିମାଣର ଆର୍ଥିକ ସହାୟତା ରାଜ୍ୟକୁ ଯୋଗାଇ ଦେଲେ । ଫେନିରେ ପୁରୀ, ଖୋର୍ଦ୍ଧା ସମେତ ଅଳ୍ପ କେତୋଟି ଉପକୂଳ ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ଏବେ ବି ପଲିଥିନ୍ ତଳେ ଲୋକ ଜୀବନ ବିତାଉଛନ୍ତି । ଏ ନେଇ ଲୋକୟୁକ୍ତଙ୍କୁ ଅଭିଯୋଗ କରିବା ପରେ ସରକାର ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଟଙ୍କା ଆଦାୟ କରିବା ପାଇଁ ନୋଟିସ ଦେବା ଆରମ୍ଭ କଲେଣି ।ଶିଳ୍ପାୟନର ଡିଣ୍ଡିମ ପିଟୁଥିବା ନବୀନ ବାବୁଙ୍କ ରାଜ୍ୟ ସରକାର ମେକ୍ ଇନ୍ ଓଡ଼ିଶା ପ୍ରକଳ୍ପରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ସିଏଜିଙ୍କ ସଦ୍ୟତମ ରିପୋର୍ଟ ରାଜ୍ୟ ସରକାରଙ୍କର ମୁଖା ଖୋଲିଦେଇଛି । ଆସୁଥିବା ପ୍ରଚୁର କେନ୍ଦ୍ରୀୟ ଅନୁଦାନକୁ ଖର୍ଚ୍ଚ କରିବା ବଦଳରେ ବିନା କାରଣରେ ଋଣ ଆଣି ଓଡିଶା ଅର୍ଥନୀତିକୁ ଦେବାଳିଆ କରିବାରେ ବଡ଼ ଭୂମିକା ନେଇଛନ୍ତିି ରାଜ୍ୟ ସରକାର । ଚିଟ୍ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ କୁଆଡେ ଗଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।
ବିଜେପି ଅଭିଯୋଗ କରିଛି, ଏବେ ରାଜ୍ୟ ସରକାର କାଳିଆ ଯୋଜନାକୁ ପିଏମ କିଷାନ ନିଧି ଯୋଜନାରେ ସାମିଲ କରବା ପାଇଁ ଯାଉଛନ୍ତି । ନିର୍ବାଚନ ପୂର୍ବରୁ କେନ୍ଦ୍ରୀୟ ଯୋଜନାକୁ ଲାଗୁ କରାଇ ଦେଉନଥିବା ବେଳେ ନିର୍ବାଚନ ସରିବା ପରେ ରାଜ୍ୟ ଯୋଜନାର ଅର୍ଥ ଅଭାବ ହେବା ପରେ ଏବେ କେନ୍ଦ୍ରୀୟ ଯୋଜନାରେ ସାମିଲ କରିବାକୁ ପ୍ରୟାସ କରୁଛନ୍ତି । ପ୍ରସ୍ତାବିତ କୋଷ୍ଟାଲ ହାଇୱେକୁ ଶୀତଳଭଣ୍ଡାରରେ ପକାଇ ରଖିଲେ, ମାତ୍ର ଏବେ ପ୍ରକଳ୍ପ କରିବାକୁ ଆଗ୍ରହ ଦେଖାଉଛନ୍ତି । ଲୋକଙ୍କ ସ୍ୱାର୍ଥ ପାଇଁ ଉଦ୍ଧିଷ୍ଟ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନାକୁ ବନ୍ଦ ରଖିବା କ’ଣ ନବୀନ ବାବୁଙ୍କ ସଫଳତାର ମାପକାଠି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଏବଂ ମୁଖପାତ୍ର ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.